ଇଷ୍ଟ ଜାଭା (ଇଣ୍ଡୋନେସିଆ): ରବିବାର ଏଠାରେ ଏକ ଫୁଟ୍‌ବଲ୍‌ ମ୍ୟାଚ୍‌ ବେଳେ ଷ୍ଟାଡିୟମ୍‌‌ରେ ଦଳାଚକଟା ଘଟଣାରେ ୧୭୪ ଜଣଙ୍କ ପ୍ରାଣହାନି ଘଟଣା ସାରା ବିଶ୍ବକୁ ସ୍ତବ୍‌ଧ କରିଦେଇଛି। ତେବେ ଏଭଳି ଘଟଣା ନୁଆ ନୁହେଁ। ଗତ ୪୦ ବର୍ଷ ମଧ୍ୟରେ ଫୁଟ୍‌ବଲ ଷ୍ଟାଡିୟମ୍‌ରେ ଏଭଳି ବଡ଼ ଧରଣର ଦୁଃଖଦ ଘଟଣା ୧୪ ଥର ଘଟିଛି। ଆସନ୍ତୁ ଏଭଳି ଘଟଣା ଉପରେ ନଜର ପକାଇବା।

Advertisment

ଜାନୁଆରି ୨୦୨୦ (କାମେରନ): ୟାୟୋନ୍ଦେ ଓଲେମ୍ବେ ଷ୍ଟାଡିୟମ୍‌‌ରେ ଆଫ୍ରିକା ନେସନ୍‌ସ କପ୍‌ର କାମେରନ୍‌ ଓ କୋମୋରୋସ୍‌ ପ୍ରିକ୍ବାର୍ଟର ଫାଇନାଲ୍‌ ମ୍ୟାଚ୍‌ ବେଳେ ଦଳାଚକଟାରେ ୮ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା ବେଳେ ୩୮ ଆହତ ହୋଇଥିଲେ।

ଫେବ୍ରୁଆରି ୨୦୧୨ (ଇଜିପ୍ଟ): ସିଟି ଅଫ୍‌ ପୋର୍ଟ ଷ୍ଟାଡିୟମ୍‌ରେ ଇଜିପ୍ଟିଆନ୍‌ ଲିଗ୍‌ ଅନ୍ତର୍ଗତ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଅଲ୍‌ ମାର୍ସି ଓ ଅଲ୍‌ ଅହଲି ମ୍ୟାଚ୍‌ ଶେଷ ହେବା ପରେ ଦଙ୍ଗା ଆରମ୍ଭ ହୋଇଯାଇଥିଲା। ଏଥିରେ ୭୩ ବ୍ୟକ୍ତି ମୃତ୍ୟୁ ବରଣ କରିଥିଲା ବେଳେ ୧୦୦୦ରୁ ଅଧିକ ଆହତ ହୋଇଥିଲେ। ଫଳରେ ସଂପୃକ୍ତ ଲିଗ୍‌କୁ ୨ ବର୍ଷ ପାଇଁ ନିଲମ୍ବିତ କରାଯାଇଥିଲା।

ମାର୍ଚ୍ଚ ୨୦୦୯ (ଆଇଭରି କୋଷ୍ଟ): ଆବିଜାନ୍‌ର ଫେଲିକ୍ସ ହୋଫୋଇଟ୍‌ ବୋଇଗ୍‌ନି ଷ୍ଟାଡିୟମ୍‌ରେ ଆଇଭରି କୋଷ୍ଟ ଓ ମାଲାୱି ମଧ୍ୟରେ ବିଶ୍ବକପ୍‌ର ଏକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ପୂର୍ବରୁ ଦଳାଚକଟାରେ ଅତିକମ୍‌ରେ ୧୯ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା।

ମେ’ ୨୦୦୧ (ଘାନା): ଆଫ୍ରିକାର ସବୁଠୁ ଖରାପ ଫୁଟ୍‌ବଲ୍‌ ହିଂସାରେ ଆକ୍କାରା ମୁଖ୍ୟ ଷ୍ଟାଡିୟମ୍‌ରେ ୧୨୬ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ଦଙ୍ଗା ସୃଷ୍ଟିକାରୀଙ୍କ ଉପରେ ପୁଲିସ ଲୁହବୁହା ବାସ୍ପ ପ୍ରୟୋଗ କରିଥିଲା।

ଏପ୍ରିଲ ୨୦୦୧ (ଦକ୍ଷିଣ ଆଫ୍ରିକା): ଦକ୍ଷିଣ ଆଫ୍ରିକାର ପ୍ରମୁଖ ଲିଗ୍‌ ମ୍ୟାଚ୍‌ ବେଳେ ଜୋହାନ୍‌ସବର୍ଗର ବୃହତ୍‌ ଇଲିସ୍‌ ପାର୍କ ଷ୍ଟାଡିୟମ୍‌ରେ ପ୍ରଶଂସକଙ୍କ ଦଳାଚକଟାରେ ଅନ୍ୟୁନ ୪୩ ଜଣଙ୍କ ମୃତ୍ୟୁ ଘଟିଥିଲା।

publive-image

ଅକ୍ଟୋବର ୧୯୯୬ (ଗୁଏଟମାଲା): ଗୁଲଟମାଲା ସିଟିରେ ଘରୋଇ ଦଳ ଓ କୋଷ୍ଟାରିକା ମଧ୍ୟରେ ଖେଳାଯାଇଥିବା ବିଶ୍ବକପ୍‌ ଯୋଗ୍ୟତାପର୍ଯ୍ୟାୟ ମ୍ୟାଚ୍‌ ବେଳେ ଦର୍ଶକଙ୍କ ଦଳାଚକଟାରେ ୮୨ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା ବେଳେ ୧୪୭ ଆହତ ହୋଇଥିଲେ।

ମେ’ ୧୯୯୨ (ଫ୍ରାନ୍ସ): ଅଲିମ୍ପିକ୍‌ ଡି ମାର୍ସେଲି ବିପକ୍ଷ ଫ୍ରେଞ୍ଚ୍‌ କପ୍‌ ସେମିଫାଇନାଲ୍‌ ମୁକାବିଲା ପୂର୍ବରୁ ବାସ୍ତିଆର ଫୁରିଆନି ଷ୍ଟାଡିୟମ୍‌ ଭୁଶୁଡ଼ି ପଡ଼ିବାରୁ ୧୮ ଜଣଙ୍କ ମୃତ୍ୟୁ ଘଟିଥିଲା ବେଳେ ୨୩୦୦ରୁ ଅଧିକ ଆହତ ହୋଇଥିଲେ। ସେଥିପାଇଁ ମୃତକଙ୍କ ସ୍ମୃତିରେ ମେ’ ୫ରେ କୌଣସି ପେସାଗତ ମ୍ୟାଚ୍‌ ଖେଳାନଯିବା ନେଇ ଫ୍ରେଞ୍ଚ୍‌ ସଂସଦରେ ଆଇନ ପ୍ରଣୟନ କରାଯାଇଥିଲା।

ଜାନୁଆରି ୧୯୯୧ (ଦକ୍ଷିଣ ଆଫ୍ରିକା): ଓର୍କନିର ଖଣି ସହରସ୍ଥିତ ଓପେନ୍‌ହିମର ଷ୍ଟାଡିୟମ୍‌ରେ କାଇଜର ଚିଫ୍‌ସ ଓ ଓର୍‌ଲାଣ୍ଡୋ ପିରେଟ୍‌ସ ମଧ୍ୟରେ ଖେଳାଯାଇଥିବା ଏକ ମ୍ୟାଚ୍‌ ବେଳେ ଦଳଚକଟାରେ ୪୨ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ଗହଳି ମଧ୍ୟରେ ପିରେଟ୍‌ସର ଜଣେ ପ୍ରଶଂସକ ଛୁରୀରେ ଚିଫ୍‌ସର ସମର୍ଥକଙ୍କୁ ଆକ୍ରମଣ କରିବାକୁ ନେଇ ଦଳାଚକଟା ହୋଇଥିଲା।

ଏପ୍ରିଲ ୧୯୮୯ (ବ୍ରିଟେନ): ଲିଭରପୁଲ୍‌ ଓ ନଟିଂହାମ୍‌ ଫରେ‌ଷ୍ଟ ମଧ୍ୟରେ ଏଫ୍‌ଏ କପ୍‌ ସେମିଫାଇନାଲ୍‌ ମ୍ୟାଚ୍‌ ବେଳେ ହିଲ୍‌ସବରୋ ଷ୍ଟାଡିୟମ୍‌ରେ କ୍ଷମତାଠୁ ଯଥେଷ୍ଟ ଅଧିକ ଠୁଳ ହୋଇଥିଲେ। ପ୍ରବଳ ଠେଲାପେଲା ଯୋଗୁ ୯୬ ଜଣ ଲିଭରପୁଲ୍‌ ସମର୍ଥକ ପ୍ରାଣ ହରାଇଥିଲେ। ଏପରିକି ଜଣେ ଆହତ ଗତ ଜୁନ୍‌ ମାସ‌ରେ ମୃତ୍ୟୁ ବରଣ କରିଥିଲେ।

ମାର୍ଚ୍ଚ ୧୯୮୮ (ନେପାଳ): କାଠମାଣ୍ଡୁର ନେପାଳ ନେସ୍‌ନାଲ ଫୁଟ୍‌ବଲ ଷ୍ଟାଡିୟମ୍‌ରେ ପ୍ରସ୍ଥାନ ପଥରେ ଦଳାଚକଟା ଘଟଣାରେ ୯୦ରୁ ଅଧିକ ପ୍ରଶଂସକ ମୃତ୍ୟୁ ବରଣ କରିଥିଲେ।

ମେ’ ୧୯୮୫ (ବେଲ୍‌ଜିୟମ୍‌): ଜୁଭେଣ୍ଟସ୍‌ ଓ ଲିଭରପୁଲ୍‌ ମଧ୍ୟରେ ବ୍ରସେଲ୍‌ସର ହେସେଲ ଷ୍ଟାଡିୟମରେ ଖେଳାଯାଇଥିବା ୟୁରୋପୀୟାନ୍‌ କପ୍‌ ଫାଇନାଲ୍‌ ମ୍ୟାଚ୍‌ ପୂର୍ବରୁ ହିଂସାକାଣ୍ଡରେ ୩୯ ପ୍ରଶଂସକଙ୍କ ମୃତ୍ୟୁ ଘଟିଥିଲା ବେଳେ ୬୦୦ରୁ ଅଧିକ ଆହତ ହୋଇଥିଲେ।

ମେ’ ୧୯୮୫ (ବ୍ରିଟେନ): ବ୍ରାଡ୍‌ଫୋର୍ଡସ୍ଥିତ ଭ୍ୟାଲି ପ୍ୟାରେଡ ଷ୍ଟାଡୟମରେ ଲିଙ୍କୋଲନ ସିଟି ବିପକ୍ଷ ଏକ ତୃତୀୟ ଡିଭିଜନ ମ୍ୟାଚ୍‌ ବେଳେ ଷ୍ଟାଣ୍ଡରେ ଅଗ୍ନିକାଣ୍ଡ ଯୋଗୁଁ ଅନ୍ୟୁନ ୫୬ ଜଣଙ୍କ ମୃତ୍ୟୁ ଘଟିଥିଲା ବେଳେ ୨୦୦ରୁ ଅଧିକ ଆହତ ହୋଇଥିଲେ।

ଅକ୍ଟୋବର ୧୯୮୨ (ରୁଷିଆ): ମସ୍କୋର ଲୁଝ୍‌ନିକି ଷ୍ଟାଡିୟମ୍‌ରେ ସ୍ପର୍ତକ ମସ୍କୋ ଓ ଡଚ୍‌ ଦଳ ଏଚ୍‌ଏଫ୍‌ସି ହାର୍ଲିମ୍‌ ମଧ୍ୟରେ ୟୁଇଏଫ୍‌ଏ କପ୍‌ର ଏକ ମ୍ୟାଚ୍‌ ଶେଷରେ ବାହାରୁଥିଲା ବେଳେ ଦଳାଚକଟା ହୋଇଥିଲା। ଏଭଳି ଦୁଃଖଦ ଘଟଣା ସଂପର୍କରେ ପୂର୍ବତନ ସୋଭିଏତ୍‌ ୟୁନିୟନ୍‌ ଅଧିକାରୀମାନେ ପ୍ରଥମେ ପ୍ରଘଟ କରିନଥିଲେ। ଆଉ ଯେତେବେଳେ ପ୍ରଘଟ କଲେ ସେତେବେଳେ ମାତ୍ର ୬୬ ଜଣଙ୍କ ମୃତ୍ୟୁ ଘଟିଥିବା କହିଥିଲେ। କିନ୍ତୁ ବାସ୍ତବରେ ସେହି ଘଟଣାରେ ୩୪୦ରୁ ଅଧିକ ବ୍ୟକ୍ତି ପ୍ରାଣ ହରାଇଥିବା ବେସରକାରୀ ଭାବେ କୁହାଯାଇଥିଲା।

publive-image

ତଦନ୍ତ ନିର୍ଦ୍ଦେଶ ଦେଲେ ଇଣ୍ଡୋନେସିଆ ରାଷ୍ଟ୍ରପତି

ଇଷ୍ଟ୍‌ ଜାଭା, ୨/୧୦: ଇଣ୍ଡୋନେସିଆର ପୂର୍ବରେ ଅବସ୍ଥିତ ସହର ମଲାଙ୍ଗର କଞ୍ଜୁରୁହାନ ଷ୍ଟାଡ଼ିୟମରେ ଶନିବାର ଫୁଟବଲ୍ ମ୍ୟାଚ‌ବେଳେ ହୋଇଥିବା ଭୟଙ୍କର ଦଳାଚକଟାରେ ୧୭୪ ଜଣଙ୍କର ମୃତ୍ୟୁ ହୋଇଛି। ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପ‌ର୍ସେବାୟା ସୁରବାୟା ଏବଂ ଆରେମା ଏଫ୍‌ସି ମଧ୍ୟରେ ମ୍ୟାଚ୍ ଚାଲିଥିଲା। ମ୍ୟାଚରେ ଆରେମା ଏଫ୍‌ସି ୩-୨ରେ ପରାଜିତ ହେବାପରେ ଏହାର ସମର୍ଥକମାନେ ଉତ୍ତେଜିତ ହେବା ସହିତ ପଡ଼ିଆ ମଧ୍ୟକୁ ପଶି ଆସିଥିଲେ। ଏହାପରେ ପୁଲିସ ଲାଠି ଚାଳନା କରିବା ସହିତ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା। ଏଥିରୁ ବର୍ତ୍ତିବା ପାଇଁ ଲୋକମାନେ ଧାଁ ଧଉଡ଼ କରିବା ବ‌େଳେ ଷ୍ଟାଡ଼ିୟମର ପ୍ରସ୍ତାନ ଦ୍ବାର ନିକଟରେ ଦଳାଚକଟା ହୋଇଥିଲା। ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ୱିଦୋଦୋ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ଫିଫା‌ ସଭାପତି ଗିଆନି ଇନଫାଣ୍ଟିନୋ ଏହି ଘଟଣାରେ ଗଭୀର ଦୁଃଖ ବ୍ୟକ୍ତ କରିଛନ୍ତି। ଫୁଟବଲ ଜଗତ ସ୍ତବ୍ଧ ହୋଇଛି। ଏଭଳି କଷ୍ଟକର ମୁହୂର୍ତ୍ତରେ ମୃତକଙ୍କ ପରିବାର ସଦସ୍ୟଙ୍କ ପାଇଁ ଫିଫା, ବିଶ୍ବ ଫୁଟବଲ ସୁମଦାୟ, ଏସିଆନ୍ ଫୁଟବଲ ଫେ‌ଡେରେସେନ, ଇଣ୍ଡୋନେସିଆନ୍ ଫୁଟବଲ୍ ଲିଗ୍‌ ଏବଂ ଇଣ୍ଡୋନେସିଆନ୍ ଫୁଟବଲ ଆସୋସିଏସନ ଶୋକ ବ୍ୟକ୍ତ କରିବା ସହିତ ଆହତଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି ବୋଲି ଇନଫାଣ୍ଟିନୋ କହିଛନ୍ତି।

୫୮ ବର୍ଷ ତଳେ ପେରୁରେ ଯାଇଥିଲା ୩୨୦ ଜୀବନ

ଇଣ୍ଡୋନେସିଆରେ ଫୁଟବଲ୍‌ ମ୍ୟାଚ ପରେ ହୋଇଥିବା ହିଂସା ଓ ଦଳାଚକଟାରେ ୧୭୪ ଜଣଙ୍କର ମୃତ୍ୟୁ ଘଟଣା କ୍ରୀଡ଼ା ଜଗତରେ ଆଲୋଡ଼ନ ସୃଷ୍ଟି କରିଛି। ଏହାପରେ ଅତୀତରେ ହୋଇଥିବା ଏଭଳି ଘଟଣା ଉପରେ ଆଲୋଚନା ଆରମ୍ଭ ହୋଇଛି। ୫୮ ବର୍ଷ ତଳେ ପେରୁର ନ୍ୟାସନାଲ ଷ୍ଟାଡ଼ିୟମରେ ଫୁଟବଲ ଖେଳବେଳେ ହୋଇଥିବା ହିଂସାରେ ୩୨୦ ଜଣଙ୍କ ଜୀବନ ଯାଇଥିଲା। ୧୯୬୪ ମସିହା ମେ ୨୪ ତାରିଖରେ ଏହି ଅଘଟଣ ଘଟିଥିଲା। ପେରୁ ନ୍ୟାସନାଲ ଷ୍ଟାଡ଼ିୟମରେ ଆର୍ଜେଣ୍ଟିନା ଏବଂ ପେରୁ ମଧ୍ୟରେ ମ୍ୟାଚ ଚାଲିଥିଲା। ଦୁଇ ଦଳ ଟୋକିଓ ଅଲିମ୍ପିକ୍ସରେ ନିଜ ନିଜର ସ୍ଥାନ ପକ୍କା କରିବା ପାଇଁ ଏହି ମ୍ୟାଚ ଖେଳୁଥିଲେ। ମ୍ୟାଚ ଶେଷହେବାକୁ ୨ ମିନିଟ ବାକି ଥିବାବେଳେ ଆର୍ଜେଣ୍ଟିନା ୧-୦ ଗୋଲ୍‌ରେ ଆଗରେ ଥିଲା। ସେହି ସମୟରେ ପେରୁ ଏକ ଗୋଲ୍ ଦେଇଥିଲା। କିନ୍ତୁ ମ୍ୟାଚ ରେଫରି ସେହି ଗୋଲ୍‌କୁ ବାତିଲ କରି ଦେଇଥିଲେ। ଏଥିପାଇଁ ପେରୁ ଅଲିମ୍ପିକ୍ସରୁ ବାଦ୍ ପଡ଼ି ଯାଇଥିଲା। ଏଥିରେ ପେରୁର ପ୍ରଶଂସକମାନେ କ୍ଷୁବ୍ଧ ହୋଇଯାଇଥିଲେ। ପ୍ରଶଂସକମାନେ ପଡ଼ିଆ ଭିତରକୁ ଆସି ତାଣ୍ଡବ ରଚିଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣ ମଧ୍ୟକୁ ଆଣିବା ପାଇଁ ପୁଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା। ଏଥିଯୋଗୁଁ ପଡ଼ିଆରେ ଦଳାଚଳଟା ହୋଇଥିଲା। ଷ୍ଟାଡ଼ିୟମର ଦ୍ବାର ବନ୍ଦ ଥିବା କାରଣରୁ ଲୋକମାନେ ବାହାରକୁ ଯାଇ ପାରି ନଥିଲେ। ଫଳରେ ୩୨୦ ଲୋକଙ୍କର ମୃତ୍ୟୁ ହୋଇଥିଲା।