ପତ୍ନୀ ଓ ତିନି ଝିଅଙ୍କୁ ହତ୍ୟା କରି ଫାଶୀ ଖୁଣ୍ଟରେ ଝୁଲିଥିଲେ ବିଚାରପତି

ନୂଆଦିଲ୍ଲୀ: କୌଣସି ଅପରାଧ ପାଇଁ ଦୋଷୀଙ୍କୁ ବିଚାରପତି ଫାଶୀ ଦଣ୍ଡ ଶୁଣାନ୍ତି, କିନ୍ତୁ କୌଣସି ବିଚାରପତିଙ୍କୁ ଭୁଲ୍‌ ପାଇଁ ଫାଶୀ ଦଣ୍ଡ ଦିଆଯିବା ଘଟଣା ବିରଳ। ୧୯୭୬ ମସିହାରେ ଭାରତର ଜଣେ ବିଚାରପତିଙ୍କୁ ଫାଶୀ ଦିଆଯାଇଥିଲା। ଏହି ବିଚାରପତିଙ୍କ ନାମ ହେଉଛି ଉପେନ୍ଦ୍ର ନାଥ ରାଜଖୋୱା। ସେ ଆସାମର ଡୁବେରି ଜିଲ୍ଲା କୋର୍ଟରେ ନ୍ୟାୟାଧୀଶ ଭାବେ କାର୍ଯ୍ୟ କରୁଥିଲେ। ୧୯୭୦ ମସିହାରେ ଉପେନ୍ଦ୍ର ଚାକିରିରୁ ଅବସର ନେଇଥିଲେ ଏବଂ ସେହି ସମାନ ବର୍ଷ ସେ ଅପରାଧ ଘଟାଇ ଥିଲେ। ଅବସର ପରେ ସରକାରୀ ବଙ୍ଗଳା ଖାଲି କରି ନଥିଲେ ବିଚାରପତି। ଦିନେ ଅଚାନକ ତାଙ୍କ ପତ୍ନୀଙ୍କ ସହ ତିନି ଝିଅ ନିଖୋଜ ହୋଇଯାଇଥିଲେ। ଏ ବାବଦରେ ଉପେନ୍ଦ୍ରଙ୍କ ବ୍ୟତୀତ କାହାକୁ ବି ଜଣା ନଥିଲା। ଯିଏ ବି ତାଙ୍କ ପରିବାର ବାବଦରେ ପଚାରିଥିଲେ ବିଭିନ୍ନ ବାହାନା ଦେଖାଇ କଥାକୁ ଏଡ଼ାଇ ଯାଉଥିଲେ । ତେବେ ଉପେନ୍ଦ୍ରଙ୍କ ଶାଳକ ପୁଲିସ ସହାୟତାରେ ନିଜ ଭଉଣୀଙ୍କୁ ଲଗାତାର ଖୋଜିଥିଲେ। ଏ ବାବଦରେ ବିଚାରପତି ଜଣକ ଜାଣିବା ପରେ ଫେରାର ହୋଇଯାଇଥିଲେ।

ଏହି ଘଟଣା ପରେ ଶାଳକଙ୍କ ସନ୍ଦେହ ବଢ଼ିବାରୁ ସେ ବ୍ୟାପକ ଖୋଳତାଡ଼ ଜାରି ରଖିଥିଲେ। ଦିନେ ସେ ସୂଚନା ପାଇଥିଲେ ଯେ ଉପେନ୍ଦ୍ର ସିଲିଗୁଡିର ଏକ ହୋଟେଲରେ ରହୁଛନ୍ତି। ଏହା ପରେ କିଛି ପୁଲିସ ଅଧିକାରୀଙ୍କ ସହ ହୋଟେଲରେ ଉପେନ୍ଦ୍ରଙ୍କ ଶାଳକ ପହଞ୍ଚି ନିଜ ଭଉଣୀ ଓ ଭାଣିଜୀମାନଙ୍କ ବାବଦରେ ପ୍ରଶ୍ନ କରିଥିଲେ। ଏହା ପରେ ବିଚାରପତି ଜଣକ ନିଜ ଦୋଷ ସ୍ୱୀକାର କରିଥିଲେ । ସେ କହିଥିଲେ ଯେ ପତ୍ନୀ ଓ ଝିଅମାନଙ୍କୁ ହତ୍ୟା କରି ସରକାରୀ ବଙ୍ଗଳାର ଏକ କୋଠରୀ ମଧ୍ୟରେ ପୋତିଦେଇଛନ୍ତି। ଏହା ପରେ ତାଙ୍କୁ ଗିରଫ କରାଯାଇଥିଲା। ବର୍ଷେ ଯାଏଁ ମାମଲା ଚାଲିବା ପରେ ନିମ୍ନ ଅଦାଲତ ଉପେନ୍ଦ୍ରଙ୍କୁ ଫାଶୀ ଦଣ୍ଡ ଶୁଣାଇଥିଲେ। ଏହା ପରେ ଉପେନ୍ଦ୍ର ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ ସୁପ୍ରିମକୋର୍ଟ ଫାଶୀ ଦଣ୍ଡକୁ କାଏମ ରଖିଥିଲେ। ଏହା ପରେ ରାଜକ୍ଷମା ପାଇଁ ଅପିଲ କରିଥିଲେ ବି ରାଷ୍ଟ୍ରପତି କ୍ଷମା ପ୍ରାର୍ଥନାକୁ ମଞ୍ଜୁରି ଦେଇ ନ ଥିଲେ। ୧୯୭୬ ମସିହା ଫେବୃଆରି ୧୪ରେ ଜୋରହାଟ ଜେଲ୍‌ରେ ଏହି ପୂର୍ବତନ ବିଚାରପତିଙ୍କୁ ଫାଶୀ ଦିଆଯାଇଥିଲା। ତେବେ ସେ କାହିଁକି ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟାଇଥିଲେ, ଶେଷ ସମୟ ପର୍ଯ୍ୟନ୍ତ କାହାକୁ କହିନଥିଲେ।

ସମ୍ବନ୍ଧିତ ଖବର