ନୂଆଦିଲ୍ଲୀ: କତରରେ ୮ ଜଣ ଭାରତୀୟଙ୍କୁ ଗୁଇନ୍ଦାଗିରି ଅଭିଯୋଗରେ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଥିବା ବେଳେ ଏହାକୁ ବିରୋଧ କରି ଭାରତ ସରକାରଙ୍କ ପକ୍ଷରୁ କରାଯାଇଥିବା ଆବେଦନକୁ କତର ଅଦାଲତ ଗ୍ରହଣ କରିଛନ୍ତି। ଏହି ଆବେଦନର ଯାଞ୍ଚ ପରେ ଖୁବ୍‌ଶୀଘ୍ର ଶୁଣାଣି ତାରିଖ ଘୋଷଣା ହେବ ବୋଲି ଅଦାଲତ କହିଛନ୍ତି। ୨୦୨୨ରେ ଇସ୍ରାଏଲ ପାଇଁ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ଗିରଫ ହୋଇଥିବା ଭାରତୀୟ ନୌସେନାର ପୂର୍ବତନ ଅଧିକାରୀମାନେ ହେଲେ ପୂର୍ଣ୍ଣେନ୍ଦୁ ତିୱାରୀ, ସୁଗୁଣାକର ପକାଲା, ଅମିତ ନାଗପାଲ, ସଂଜୀବ ଗୁପ୍ତା, ନବଜୋତ ସିଂହ ଗିଲ୍‌, ବୀରେନ୍ଦ୍ର କୁମାର ବର୍ମା, ସୌରଭ ବଶିଷ୍ଠ ଏବଂ ଆର୍‌. ଗୋପକୁମାର।

Advertisment

କତରର ଗୁଇନ୍ଦା ସଂସ୍ଥା ଏହି ଅଧିକାରୀମାନଙ୍କୁ ଗୁପ୍ତଚରଗିରି ଅଭିଯୋଗରେ ଗିରଫ କରିଥିଲା। କତରରେ ଭାରତୀୟ ଦୂତାବାସ ପକ୍ଷରୁ ମାମଲା ଉପରେ ଅହରହ ନଜର ରଖାଯାଇଛି ଏବଂ କତରର ଅଧିକାରୀଙ୍କ ସହ ଭାରତର ବିଦେଶ ମନ୍ତ୍ରାଳୟ ସଂପର୍କରେ ଅଛନ୍ତି। ମୃତ୍ୟୁଦଣ୍ଡାଦେଶ ପାଇଥିବା ସମସ୍ତ ଭାରତୀୟଙ୍କୁ ଆଇନଗତ ଓ ଦୂତାବାସ ସହାୟତା ଉପଲବ୍ଧ କରାଯାଉଛି। ଗତ ଅକ୍ଟୋବର ୨୬ ତାରିଖରେ କତର ଅଦାଲତ ୮ ଭାରତୀୟଙ୍କ ବିରୋଧରେ ଦଣ୍ଡାଦେଶ ଶୁଣାଇଥିଲେ।