ନୂଆଦିଲ୍ଲୀ: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର କତରରେ ମୃତ୍ୟୁଦଣ୍ଡାଦେଶ ପାଇଥିବା ୮ ଜଣ ପୂର୍ବତନ ନୌସେନା ଅଧିକାରୀଙ୍କ ପରିବାର ସଦସ୍ୟଙ୍କୁ ସୋମବାର ଭେଟିଛନ୍ତି। ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ ସରକାର ଉକ୍ତ ମାମଲାକୁ ସର୍ବାଧିକ ଗୁରୁତ୍ୱର ସହ ନେଉଛନ୍ତି। ସେମାନଙ୍କ ମୁକ୍ତି ପାଇଁ ସରକାର ସମସ୍ତ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି। ଜୟଶଙ୍କର ଏକ୍ସ (ଟ୍ବିଟର)ରେ ଲେଖିଛନ୍ତି, ଆଜି ସକାଳେ କତରରେ ଅଟକ ଥିବା ୮ ଭାରତୀୟଙ୍କ ପରିବାର ସହ ସାକ୍ଷାତ ହୋଇଛି। ସରକାର ଏହି ମାମଲାକୁ ସର୍ବାଧିକ ଗୁରୁତ୍ବ ଦେଉଛନ୍ତି। ଅକ୍ଟୋବର ୨୬ରେ କତରର ଏକ ଅଦାଲତ ଭାରତୀୟ ନୌସେନାରେ ପୂର୍ବରୁ କାର୍ଯ୍ୟରତ ୮ ଜଣ ଭାରତୀୟଙ୍କୁ ମୃତ୍ୟୁଦଣ୍ଡାଦେଶ ଶୁଣାଇଥିଲେ। ଅଗଷ୍ଟ ୨୦୨୨ରେ ସେମାନଙ୍କୁ ଗିରଫ କରାଯାଇଥିଲା।

Advertisment

ଗିରଫ ହେବା ବେଳକୁ ସେମାନେ ସମସ୍ତେ ଏକ ଘରୋଇ କମ୍ପାନି ଡାହରା ଗ୍ଲୋବାଲରେ କାମ କରୁଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କତର କୋର୍ଟଙ୍କ ରାୟକୁ ବିରୋଧ କରିବ ବୋଲି କହିଛି। ‘ଆମେ ମୃତ୍ୟୁଦଣ୍ଡର ରାୟରେ ଆଶ୍ଚର୍ଯ୍ୟ ହୋଇଛୁ ଏବଂ ବିସ୍ତୃତ ରାୟକୁ ଅପେକ୍ଷା କରିଛୁ। ଆମେ ପରିବାର ସଦସ୍ୟ ଓ ଆଇନଜୀବୀ ଟିମ୍ ସହିତ ଯୋଗାଯୋଗରେ ଅଛୁ ଏବଂ ସମସ୍ତ ଆଇନଗତ ବିକଳ୍ପ ଉପରେ ବିଚାର କରୁଛୁ ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି।

ମୁକ୍ତି ପାଇଁ କେନ୍ଦ୍ର କାର୍ଯ୍ୟ କରୁଛି: ନୌସେନା ମୁଖ୍ୟ

ନୂଆଦିଲ୍ଲୀ: କତରରେ ମୃତ୍ୟୁଦଣ୍ଡାଦେଶ ପାଇଥିବା ୮ ଜଣ ନୌସେନା ଯବାନଙ୍କୁ ମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ସବୁ ପ୍ରକାର ପ୍ରୟାସ ଜାରି ରଖିଛନ୍ତି ବୋଲି ନୌସେନା ମୁଖ୍ୟ ଆଡମିରାଲ ହରି କୁମାର କହିଛନ୍ତି। ଏକଦା ପ୍ରମୁଖ ଭାରତୀୟ ଯୁଦ୍ଧ ଜାହାଜର କମାଣ୍ଡର ଥିବା ଅଧିକାରୀଙ୍କ ସମେତ ଏହି ବ୍ୟକ୍ତିମାନେ କତରର ସଶସ୍ତ୍ର ବାହିନୀକୁ ପ୍ରଶିକ୍ଷଣ ଓ ଆନୁଷଙ୍ଗିକ ସେବା ପ୍ରଦାନ କରୁଥିବା ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ। ଦଣ୍ଡିତ ଅଭିଯୁକ୍ତମାନେ ହେଲେ କ୍ୟାପ୍‌ଟେନ୍ ନବତେଜ ସିଂହ ଗିଲ୍, କ୍ୟାପ୍‌ଟେନ୍ ବୀରେନ୍ଦ୍ର କୁମାର ବର୍ମା, କ୍ୟାପ୍‌ଟେନ୍ ସୌରଭ ବଶିଷ୍ଠ, ସିଡିଆର୍ ଅମିତ ନାଗପାଲ, ସିଡିଆର ପୂର୍ଣ୍ଣେନ୍ଦୁ ତିୱାରୀ, ସିଡିଆର ସୁଗୁଣାକର ପାକଲା, ସିଡିଆର୍ ସଞ୍ଜୀବ ଗୁପ୍ତା ଓ ନାବିକ ରାଗେଶ।