କାମ୍ପାଲା : ଉଗାଣ୍ଡା ସଂସଦରେ ସମଲିଙ୍ଗୀ ସମ୍ପର୍କକୁ ଅପରାଧୀକରଣ କରାଯାଇ ଏଥିପାଇଁ ମୃତ୍ୟୁଦଣ୍ଡର ପ୍ରାବଧାନ କରାଯାଇଛି। ସମସ୍ତ ସାଂସଦ ଏହି ବିଲ୍ ସପକ୍ଷରେ ମତ ଦେଇଥିବା ବେଳେ ମାତ୍ର ଜଣେ ଏହାକୁ ବିରୋଧ କରିଥିଲେ।
ଏହି ପୂର୍ବ ଆଫ୍ରିକୀୟ ଦେଶରେ ସମଲିଙ୍ଗୀ ସମ୍ପର୍କ ଆଗରୁ ମଧ୍ୟ ବେଆଇନ ଥିଲା। ମାତ୍ର ପୂର୍ବ ଆଇନରେ କିଛି ସଂଶୋଧନ କରାଯାଇ ଏଥିରେ ଆଜୀବନ କରାଦଣ୍ଡ ଏବଂ ସ୍ଥଳବିଶେଷରେ ମୃତ୍ୟୁଦଣ୍ଡକୁ ଯୋଡ଼ାଯାଇଛି। ଏହାପରେ ବିଲ୍ଟି ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ଯିବ। ସେ ନିଜର ଭିଟୋ ପ୍ରୟୋଗ କରି ବିଲ୍ଟିକୁ ଅଟକାଇ ଦେଇପାରନ୍ତି କିମ୍ବା ତହିଁରେ ସ୍ବାକ୍ଷର କରି ତାକୁ ଆଇନରେ ପରିଣତ କରିଦେଇପାରନ୍ତି।
ଉଗାଣ୍ଡାର ଜନସାଧାରଣ ମଧ୍ୟ ଏହି ଆଇନକୁ ସ୍ବାଗତ କରିଛନ୍ତି। କିଛି ସାମାଜିକ କାର୍ଯ୍ୟକର୍ତ୍ତା ଏହାକୁ ବିରୋଧ କଲେ ମଧ୍ୟ ସମର୍ଥନର ବାହୁଲ୍ୟରେ ସେମାନଙ୍କ ସ୍ବର ଚାପି ହୋଇଯାଇଛି।
କେବଳ ଉଗାଣ୍ଡା ନୁହେଁ ଅଧାରୁ ଅଧିକ ଆଫ୍ରିକୀୟ ଦେଶରେ ସମଲିଙ୍ଗୀ ସମ୍ପର୍କ ବେଆଇନ। ପୃଥିବୀର ୬୯ଟି ଦେଶରେ ସମଲୈଙ୍ଗିକତାକୁ ଅପରାଧ ପର୍ଯ୍ୟାୟଭୁକ୍ତ କରାଯାଇଛି। କିନ୍ତୁ ଭାରତରେ ସହମତିଭିତ୍ତିକ ସମଲିଙ୍ଗୀ ସମ୍ପର୍କକୁ ଅପରାଧମୁକ୍ତ କରାଯାଇଥିଲେ ମଧ୍ୟ ସମଲିଙ୍ଗୀ ବିବାହକୁ ଅନୁମତି ମିଳିନାହିଁ। ମଧ୍ୟପ୍ରାଚ୍ୟ, ଆଫ୍ରିକା ଓ ଏସିଆର ଅଧିକାଂଶ ଦେଶରେ ଏହା ବେଆଇନ। ସେଗୁଡ଼ିକ ମଧ୍ୟରେ ଅଛନ୍ତି ଇରାନ, ଉତ୍ତର ନାଇଜେରିଆ, ସାଉଦି ଆରବ, ସୋମାଲିଆ, ୟେମେନ, ଆଫଗାନିସ୍ତାନ, ବ୍ରୁନେଇ, ମୋରିଟେନିଆ, ପାକିସ୍ତାନ, କାତାର ଓ ସଂଯୁକ୍ତ ଆରବ ଅମିରାତ।