ନୂଆଦିଲ୍ଲୀ: ଅଭିଯୁକ୍ତକୁ ଦଣ୍ଡିତ କରିବା ପାଇଁ କେବଳ ପୀଡ଼ିତଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀକୁ ମୁଖ୍ୟ ଆଧାର କରାଯାଇ ପାରିବ ନାହିଁ। ବିଶେଷକରି ବୟାନର ସଠିକତା ସଂପର୍କରେ ପ୍ରଶ୍ନ ଉଠିଲେ କିମ୍ବା ସନ୍ଦେହ ଉପୁଜିଲେ, ତାହାକୁ ଏକମାତ୍ର ଜମାନବନ୍ଦୀ ଭାବେ ଗ୍ରହଣ କରାଯାଇ ପାରିବ ନାହିଁ। ୨୦୧୪ ମସିହାରେ ୩ଜଣଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଏବଂ ଆଜୀବନ ଜେଲ୍ ଦଣ୍ଡ ପାଇଥିବା ଜଣେ ବ୍ୟକ୍ତିଙ୍କ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଏଭଳି ମତ ରଖିଛନ୍ତି। ମୃତ୍ୟୁକାଳୀନ ଜମାନବନ୍ଦୀ ଉପରେ ନିର୍ଭର କରିବା ସମୟରେ ଅତ୍ୟନ୍ତ ସତର୍କତା ଅବଲମ୍ବନ କରିବାକୁ ହେବ। ଏହାକୁ ଅଦାଲତଗୁଡ଼ିକ ସତ ବୋଲି ବିବେଚନା କରିଥାନ୍ତି। ଅଦାଲତ ମୃତ୍ୟୁକାଳୀନ ଜମାନବନ୍ଦୀର ବିଭିନ୍ନ ଆଇନଗତ ଦିଗ ଉପରେ ପର୍ଯ୍ୟାଲୋଚନା କରିବା ପରେ ଏହା ସ୍ପଷ୍ଟ କରିଥିଲେ ଯେ ମୃତ୍ୟୁଶଯ୍ୟାରେ ଥିବା ଜଣେ ବ୍ୟକ୍ତି ମିଛ କହିବ ନାହିଁ ବୋଲି ଧରିନେବା ଉଚିତ ନୁହେଁ।
ତେଣୁ ମୃତ୍ୟୁକାଳୀନ ଜମାନବନ୍ଦୀକୁ ସତ ବୋଲି ଧରିନେବା ସମୟରେ ତାହା ସଂପୂର୍ଣ୍ଣ ଭାବେ ବିଶ୍ବାସଯୋଗ୍ୟ ହେବା ଉଚିତ। ଯଦି ସତ୍ୟତାକୁ ନେଇ କୌଣସି ସନ୍ଦେହ ଉପୁଜେ, ତାହେଲେ ତାହାକୁ କେବଳ ଏକ ପ୍ରମାଣ ଭାବେ ଗ୍ରହଣ କରାଯିବ। କିନ୍ତୁ ଦୋଷୀ ସାବ୍ୟସ୍ତ ପାଇଁ ତାହା ଏକମାତ୍ର ଭିତ୍ତି ହୋଇପାରିବ ନାହିଁ ବୋଲି ଅଦାଲତ କହିଛନ୍ତି। ମୃତ୍ୟୁକାଳୀନ ଜମାନବନ୍ଦୀ କେବଳ ସେତିକିବେଳେ ଗ୍ରହଣ କରାଯାଇପାରିବ ଯେତେବେଳେ ହତ୍ୟାର ଶିକାର ହୋଇଥିବା ବ୍ୟକ୍ତି ମାନସିକ ସ୍ତରରେ ଠିକ୍ ଅଛନ୍ତି। ଅଦାଲତ ବିଚାର କରୁଥିବା ମାମଲା କ୍ଷେତ୍ରରେ ତାହା ହୋଇ ନପାରେ। ବିଚାରପତି ବିଆର୍ ଗୱାଇ, ଜେବି ପାର୍ଦ୍ଦିୱାଲା, ବିଚାରପତି ପ୍ରଶାନ୍ତ କୁମାର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏଭଳି ଟିପ୍ପଣୀ ଦେଇଛନ୍ତି।
ଇରଫାନ୍ ନାମକ ବ୍ୟକ୍ତି ତାଙ୍କ ପୁଅ ଇସଲାମୁଦ୍ଦିନ ଏବଂ ଦୁଇ ଭାଇ ଇରସାଦ ଓ ନୌସଦଙ୍କ ହତ୍ୟା ମାମଲାରେ ଗତ ୮ ବର୍ଷ ହେଲା ଜେଲରେ ଅଛନ୍ତି। ନିମ୍ନ ଅଦାଲତ ମୃତ୍ୟୁକାଳୀନ ଜମାନବନ୍ଦୀ ଆଧାରରେ ଇରଫାନଙ୍କୁ ଦଣ୍ଡିତ କରିଥିଲେ। ସେହି ରାୟକୁ ଆହ୍ଲାବାଦ ହାଇକୋର୍ଟ ମଧ୍ୟ ୨୦୧୮ରେ କାଏମ ରଖିଥିଲେ। ତେବେ ସୁପ୍ରିମକୋର୍ଟ ଏଥିରେ ସନ୍ତୁଷ୍ଟ ହୋଇ ନାହାନ୍ତି। କୋର୍ଟ ଏହି ମାମଲାରେ ଇରଫାନଙ୍କୁ ତୁରନ୍ତ ଖଲାସ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ୮୦ ପ୍ରତିଶତ ପୋଡ଼ିଯାଇଥିବାରୁ ପୀଡ଼ିତଙ୍କ ମାନସିକ ସ୍ଥିତି ଠିକ୍ ନଥିବା ତାଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ଆଇନଜୀବୀ ଗୋପାଳ ଶଙ୍କରନାରାୟଣନ ଯୁକ୍ତି ବାଢ଼ିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/supreme-court-fff.jpg)