ନୂଆଦିଲ୍ଲୀ: ୟେମେନରେ ଫାଶୀ ଦଣ୍ଡରୁ ମୁକ୍ତି ପାଇଛନ୍ତି କେରଳର ନର୍ସ ନିମିଶା ପ୍ରିୟା । ୟେମେନ ନାଗରିକ ତଲାଲ ଆବଦୋ ମହଦିଙ୍କୁ ହତ୍ୟା ଅଭିଯୋଗରେ ତାଙ୍କୁ ଫାଶୀ ଦଣ୍ଡ ମିଳିଥିଲା । ହୁତି ବିଦ୍ରୋହୀ ଗୋଷ୍ଠୀ ପକ୍ଷରୁ ଏହାକୁ ପ୍ରତ୍ୟାହାର କରି ନିଆଯାଇଛି । ସୁନ୍ନି ନେତା କନ୍ଥପୁରମ ଏପି ଅବୁବକ୍କର ମୁସଲିଆରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୋମବାର ବିଳମ୍ବିତ ରାତିରେ ଏହି ଦାବି କରାଯାଇଛି । କିନ୍ତୁ ଏହି ମାମଲା ପରିଚାଳନା କରୁଥିବା ଭାରତୀୟ ଅଧିକାରୀଙ୍କ ପକ୍ଷରୁ ଏ ନେଇ କିଛି ସ୍ପଷ୍ଟ କରାଯାଇ ନାହିଁ ।
ତଲାଲଙ୍କୁ ୨୦୧୭ ମସିହାରେ ନିମିଶା ପ୍ରିୟା ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ତାଙ୍କୁ ଚଳିତ ମାସ ୧୬ ତାରିଖରେ ଫାଶୀ ଦିଆଯିବାର ଥିଲା କିନ୍ତୁ ଭାରତର ହସ୍ତକ୍ଷେପ ଫଳରେ ଫାଶୀକୁ ଶେଷ ମୁହୂର୍ତ୍ତରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଥିଲା । କନ୍ଥପୁରମଙ୍କ ଅନୁରୋଧକ୍ରମେ ୟେମେନର ଜଣାଶୁଣା ସୁଫି ଧାର୍ମିକ ଗୁରୁ ଶେଖ୍ ହବିବ୍ ଓମର ବିନ୍ ହଫିଜ ନିମିଶାଙ୍କ ଫାଶୀ ମାମଲାରେ ଆଲୋଚନା କରିବାକୁ ଆଗକୁ ଆସିଥିଲେ । ଅନ୍ୟ ଅନ୍ତର୍ଜାତୀୟ କୂଟନୀତିଜ୍ଞମାନଙ୍କ ସହ ମିଶି ସେ ଏଥିପାଇଁ କାର୍ଯ୍ୟ କରିଥିଲେ। ଯାହାଫଳରେ ତାଙ୍କୁ ଫାଶୀ ନହେବା ନେଇ କୁହାଯାଉଛି ।
ତେବେ କନ୍ଥପୁରମଙ୍କ ଦାବିକୁ ୟେମେନର ସାମାଜିକ କର୍ମୀ ତଥା ଆକ୍ସନ କାଉନସିଲ୍ ଫର୍ ତଲାଲ ମହଦିସ୍ ଜଷ୍ଟିସ୍-ଇନ୍- ୟେମେନର ପ୍ରବକ୍ତା ସରହନ ସମସାନ ଅଲ ୱିସୱାବିଙ୍କ ପକ୍ଷରୁ ଏକ ଫେସବୁକ ପୋଷ୍ଟ ଜରିଆରେ ସ୍ବୀକାର କରାଯାଇଛି । ୱିସୱାବି ତାଙ୍କ ପୋଷ୍ଟରେ ଦାବି କରିଛନ୍ତି ଯେ ଧାର୍ମିକ ଗୁରୁମାନଙ୍କ ଦୃଢ଼ ହସ୍ତକ୍ଷେପ ଫଳରେ ନିମିଶାଙ୍କୁ ମୃତ୍ୟୁଦଣ୍ଡରୁ ମୁକ୍ତ କରାଯାଇଛି । ବର୍ତ୍ତମାନ ତାଙ୍କୁ ଜେଲରୁ ମୁକ୍ତ କରାଯିବ କିମ୍ବା ଆଜୀବନ କାରାଦଣ୍ଡ ଦିଆଯିବ । ସେ ବର୍ତ୍ତମାନ ଆଜୀବନ ଜେଲରେ ବିତାଇବେ କିମ୍ବା ‘ବ୍ଲଡ ମନି’ ଦେଇ ଜେଲରୁ ମୁକୁଳିବେ ତାହା ସ୍ପଷ୍ଟ ହୋଇନାହିଁ । ଅନ୍ୟପକ୍ଷରେ ମାମଲା ଅତ୍ୟନ୍ତ ଜଟିଳ ହୋଇଥିବାରୁ ଭାରତ ଅଧିକାରୀମାନେ ଏହା ଉପରେ ବର୍ତ୍ତମାନ କୌଣସି ମତାମତ ଦେବାକୁ ମନା କରିଛନ୍ତି। ନିମିଶା ପ୍ରିୟାଙ୍କୁ କ୍ଷମା ଦେବା ପାଇଁ ପୀଡ଼ିତଙ୍କ ପରିବାର ସହିତ କୌଣସି ସହମତି ହୋଇ ନଥିବା କୁହାଯାଇଛି।