ନିର୍ଦ୍ଦୋଷକୁ ମୃତ୍ୟୁଦଣ୍ଡ: ୭୦ ବର୍ଷ ତଳର ଭୁଲ୍‌ ପାଇଁ ବ୍ରିଟିଶ ପୁଲିସର କ୍ଷମାପ୍ରାର୍ଥନା

ଲଣ୍ଡନ : ଏକ ହତ୍ୟା ଅଭିଯୋଗରେ ଜଣେ ଲୋକକୁ ବ୍ରିଟିଶ ଜେଲରେ ଫାଶୀ ଦିଆଯିବାର ୭୦ ବର୍ଷ ପରେ ତାଙ୍କ ପରିବାରକୁ ବ୍ରିଟିଶ ପୁଲିସ ପାଖରୁ ଆସିଛି ନିର୍ଦ୍ଦୋଷକୁ ଦଣ୍ଡ ଦିଆଯାଇଥିବାରୁ ଏକ କ୍ଷମା ପ୍ରାର୍ଥନାର ଚିଠି।

ସୂଚନାଯୋଗ୍ୟ ୧୯୫୨ ମସିହା ସେପ୍ଟେମ୍ବର ମାସରେ ତିନି ପିଲାର ବାପା ୨୮ ବର୍ଷୀୟ ମେହମୁଦ ମଟ୍ଟନ ନାମକ ଜଣେ ବ୍ରିଟିଶ ସୋମାଲିଙ୍କୁ ଜନୈକା ଲୁଗା ବ୍ୟବସାୟୀ ଲିଲି ଭୋଲପର୍ଟଙ୍କୁ ତାଙ୍କ ଦୋକାନରେ ହତ୍ୟା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରି ଫାଶୀ ଦିଆଯାଇଥିଲା। କିନ୍ତୁ ମେହମୁଦ ମଟ୍ଟନ ଶେଷ ପର୍ଯ୍ୟନ୍ତ ନିର୍ଦ୍ଦୋଷ ବୋଲି ଦାବି କରି ଆସିଥିଲେ। ତେବେ ଫାଶୀଦଣ୍ଡ ପରେ ବି ତାଙ୍କ ପରିବାର ପକ୍ଷରୁ ନିରବଚ୍ଛିନ୍ନ ଭାବେ ତାଙ୍କ ନିର୍ଦ୍ଦୋଷତା ସପକ୍ଷରେ ଲଢ଼େଇ କରାଯାଇଥିଲା। ଶେଷକୁ ୧୯୯୮ ମସିହାରେ ମାମଲାର ପୁନଃସମୀକ୍ଷା କରି କ୍ରିମିନାଲ କେସ୍ ରିଭ୍ୟୁ କମିସନ ମଟ୍ଟନଙ୍କ ନିର୍ଦ୍ଦୋଷତା ସପକ୍ଷରେ ମତ ଦେଇଥିଲେ।

ସାଉଥ୍ ୱେଲ୍‌ସ ପୁଲିସର ଚିଫ୍ କନଷ୍ଟେବଲ ଜେରେମି ବନ୍ କହିଛନ୍ତି ଯେ ଜାତିଆଣବାଦ ସମାଜକୁ କବଳିତ କରି ରଖିଛି। ଆପରାଧିକ ନ୍ୟାୟ ବ୍ୟବସ୍ଥାକୁ ବି ଏହା ଛାଡ଼ିନାହିଁ। ଏହାର ଶିକାର ହୋଇଛନ୍ତି ମେହମୁଦ ମଟ୍ଟନ।

କାର୍ଡିଫ୍ ସିଟି ପୁଲିସର ଗୋଇନ୍ଦାମାନେ ୧୯୫୨ ମାର୍ଚ୍ଚରେ ଭୋଲପର୍ଟଙ୍କ ହତ୍ୟା ଘଟଣାର ସମୀକ୍ଷା କଲାବେଳେ ଜାଣିବାକୁ ପାଇଲେ ଯେ ୪୧ ବର୍ଷୀୟା ଲୁଗା ବ୍ୟବସାୟୀଙ୍କୁ ତାଙ୍କ ଦୋକାନରେ ହିଁ ଗଳାକାଟି ହତ୍ୟା କରାଯାଇଥିଲା। ଏଥିରେ ମଟ୍ଟନଙ୍କର ସମ୍ପୃକ୍ତି ନ ଥିଲା। ମଟ୍ଟନଙ୍କୁ ସନ୍ଦେହରେ ଗିରଫ କରାଯାଇଥିଲା। ଯଦିଚ ତାଙ୍କ ବିରୋଧରେ ଜଣେ ଲୋକ ସାକ୍ଷ୍ୟ ଦେଇଥିଲେ କିନ୍ତୁ କୌଣସି ଫୋରେନ୍ସିକ୍ ପ୍ରମାଣ ନ ଥିଲା। ମଟ୍ଟନ ଭଲ ଇଂଲିସ କହିପାରୁ ନ ଥିଲେ। ତେଣୁ ତାଙ୍କ ସପକ୍ଷରେ ଲଢ଼ୁଥିବା ଆଟର୍ଣ୍ଣି ତାଙ୍କୁ ‘ସେମି-ସିଭିଲାଇଜ୍‌ଡ ପ୍ରିମିଟିଭ୍’ ବୋଲି ଅଭିହିତ କରିଥିଲେ। ମଟ୍ଟନଙ୍କ ପରିବାର ପକ୍ଷରୁ ତାଙ୍କୁ ନିର୍ଦ୍ଦୋଷ ପ୍ରମାଣ କରିବା ପାଇଁ ୪୬ ବର୍ଷ ଯାଏ ଲଢ଼େଇ କରାଯାଇଥିଲା। ଶେଷରେ ୧୯୯୮ ମସିହାରେ ତାଙ୍କ ନିର୍ଦ୍ଦୋଷତା ସପକ୍ଷରେ ରାୟ ଆସିବା ପରେ ଗୃହ ବିଭାଗ ପକ୍ଷରୁ ୨୦୦୧ରେ ମଟ୍ଟନଙ୍କ ପରିବାରକୁ କ୍ଷତିପୂରଣ ଦିଆଯାଇଥିଲା। କିନ୍ତୁ ପୁଲିସ ଏଯାଏ କ୍ଷମା ପ୍ରାର୍ଥନା କରି ନ ଥିଲା। ଏବେ ୭୦ ବର୍ଷ ତଳର ଭୁଲ୍ ପାଇଁ ବ୍ରିଟିଶ ପୁଲିସ କ୍ଷମା ପ୍ରାର୍ଥନା କରିଛି।

ସମ୍ବନ୍ଧିତ ଖବର