ନିର୍ଭୟା କାଣ୍ଡ: ୩ ଅଭିଯୁକ୍ତଙ୍କ ଫାଶୀଦଣ୍ଡ କାଏମ୍‌ ରଖିଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀର ଜଘନ୍ୟ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ସୁପ୍ରିିମ କୋର୍ଟ ଦ୍ୱାରା ମୃତ୍ୟୁ ଦଣ୍ଡ ପାଇଥିବା ୪ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ ସେମାନଙ୍କ ଦଣ୍ଡର ପୁର୍ନବିଚାର ପାଇଁ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ସର୍ବୋଚ୍ଚ ଅଦାଲତ ସେମାନଙ୍କ ଫାଶୀଦଣ୍ଡ କାଏମ୍‌ ରଖିଛନ୍ତି। ମୁଖ୍ୟବିଚାରପତି ଦୀପକ ମିଶ୍ର, ବିଚାରପତି ଆର. ଭାନୁମତୀ ଓ ବିଚାରପତି ଅଶୋକ ଭୁଷଣଙ୍କୁ ନେଇ ଗଠିତ ଖଣ୍ଡପୀଠ ବହୂଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ବିଚାର କରି ଚୂଡାନ୍ତ ରାୟ ଶୁଣାଇଛନ୍ତି। ଫଳରେ ବିରଳରୁ ବିରଳତମ ଅପରାଧ କରିଥିବା ୩ ଅଭିଯୁକ୍ତ ଫାଶୀଖୁଣ୍ଟରେ ଝୁଲିବା ଏକପ୍ରକାର ନିଶ୍ଚିତ ହୋଇଛି।  ଅଭିଯୁକ୍ତ ବିନୟ ଶର୍ମା(୨୩), ପଓ୍ଵନ ଗୁପ୍ତା (୨୨) ଓ ମୁକେଶ ସିଂହ (୨୯)ଙ୍କ ପକ୍ଷରୁ ସେମାନଙ୍କ ଦଣ୍ଡର ପୁର୍ନବିଚାର ଆବେଦନ ଖାରଜ କରିଛନ୍ତି ଅଦାଲତ । ତେବେ ମାମଲାର ଚତୁର୍ଥ ଅଭିଯୁକ୍ତ ଏ ପର୍ଯ୍ୟନ୍ତ ରିଭ୍ୟୁ ପିଟିସନ୍‌ କରି ନ ଥିବା ଜଣାଯାଇଛି।

ଉଲ୍ଲେଖଯୋଗ୍ୟ, ସମସ୍ତ ୪ ଅଭିଯୁକ୍ତଙ୍କୁ ଦିଲ୍ଲୀ ହାଇକୋର୍ଟ ଫାଶୀ ଦଣ୍ଡାଦେଶ ଦେଇଥିଲା ବେଳେ ୨୦୧୭ ମେ ୫ରେ ସୁପ୍ରିମ୍‌କୋର୍ଟ ଏହି ରାୟକୁ କାଏମ ରଖିଥିଲେ। ତେବେ ରାୟର ପୁନର୍ବିଚାର କରିବା ପାଇଁ ୩ ଅଭିଯୁକ୍ତଙ୍କ ପକ୍ଷରୁ ରିଭ୍ୟୁ ପିଟିସନ୍‌ ଦାଖଲ କରିଥିଲେ । ୨୦୧୨ ଡିସେମ୍ବର ୧୬ରେ ୨୩ ବର୍ଷୀୟା ପାରାମେଡିକ୍‌ ଛାତ୍ରୀ ନିର୍ଭୟା  ନିଜର ପୁରୁଷ ବନ୍ଧୁଙ୍କ ସହ ଦକ୍ଷିଣ ଦିଲ୍ଲୀଠାରେ ଏକ ବସ୍‌ରେ ଯିବା ସମୟରେ ୬ ଜଣ  ଚଳନ୍ତା ବସ୍‌ରେ ତାଙ୍କୁ ଦୁଷ୍କର୍ମ କରିବା ସହ ଅମାନୁଷିକ ଆକ୍ରମଣ କରିଥିଲେ । ସେହି ବର୍ଷ ଡିସେମ୍ବର ୨୯ରେ ତାଙ୍କର ମୃତ୍ୟୁ ଘଟିଥିଲା।

ତେବେ ସମଗ୍ର ଦେଶରେ ଆଲୋଡନ ସୃଷ୍ଟି କରିଥିବା ଏହି ନିର୍ଭୟା କାଣ୍ଡର ଅନ୍ୟତମ ପ୍ରମୁଖ ଅଭିଯୁକ୍ତ ଥିଲେ ଜଣେ ନାବାଳକ। ଯିଏ ସବୁଠାରୁ ଜଘନ୍ୟ ଆଚରଣ ପ୍ରଦର୍ଶନ କରିଥିଲେ। ଗୋଟିଏ ପଟେ ୩ ଅଭିଯୁକ୍ତ ଫାଶୀଦଣ୍ଡାଦେଶ ପାଇଥିବା ବେଳେ ନାବାଳକ ଅପରାଧୀ ଜଣକ ୩ ବର୍ଷ ବାଳସୁଧାର ଗୃହରେ ରହି ଏବେ ଦକ୍ଷିଣ ଭାରତର କୌଣସି ଏକ ଅଜ୍ଞାତ ସହରରେ ଏକ ରେସ୍ତାରାଁରେ ଛଦ୍ମ ବେଶରେ ରୋଷେୟା ଭାବେ କାର୍ଯ୍ୟ କରୁଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ନିର୍ଭୟା କାଣ୍ଡର ତତ୍‌କାଳୀନ ନାବଳକ ଅଭିଯୁକ୍ତ ଏବେ ୨୩ ବର୍ଷୀୟ ଯୁବକ। ସେ ଗତ ୨୦୧୫ ମସିହା ଡିସେମ୍ବର ମାସରେ ୩ ବର୍ଷର ସଜା କାଟି ମୁକୁଳିଛି। ତେବେ ତା’ପର ଠାରୁ ଏହି ଅଭିଯୁକ୍ତର ଜୀବନ ପ୍ରତି ବିପଦ ରହିଛି। ଯେଉଁଦିନ ନାବାଳକ ଜଣକ ଖଲାସ ହେଲେ ସେହିଦିନ ତାଙ୍କୁ ବହୁ ଲୋକ ଖୋଜାଖୋଜି ମଧ୍ୟ କରିଥିଲେ। ମାତ୍ର ପୁଲିସ ଏକ ଏନଜିଓ ସହଯୋଗରେ ସମ୍ପୃକ୍ତ ନାବାଳକ ଅଭିଯୁକ୍ତଙ୍କୁ ନେଇ ଦକ୍ଷିଣ ଭାରତର ଏକ ଅଜ୍ଞାତ ସହରରେ ଏକ ରେସ୍ତାରାଁରେ ରୋଷେୟା ଭାବେ ନିଯୁକ୍ତି ଦେବାର ବ୍ୟବସ୍ଥା କରିଛି। ଏ ପର୍ଯ୍ୟନ୍ତ ସମ୍ପୃକ୍ତ ରେସ୍ତୋରାଁର ମାଲିକ ମଧ୍ୟ ଏହି ନାବାଳିକ ଅଭିଯୁକ୍ତର ପ୍ରକୃତ ପରିଚୟ ପାଇ ପାରି ନାହାନ୍ତି। ପୁଲିସ ସମ୍ପୃକ୍ତ ନାବାଳକ ଅଭିଯୁକ୍ତଙ୍କୁ ଏନଜିଓ ସଂସ୍ଥାକୁ ହସ୍ତାନ୍ତର କରିବା ପରେ ସଂସ୍ଥା ନାବାଳକ ଅଭିଯୁକ୍ତଙ୍କୁ ଛଦ୍ମନାମରେ ସେଠାରେ ନିଯୁକ୍ତି ଦେଇଛନ୍ତି। ତେବେ ଏହି ନାବଳକ ଅଭିଯୁକ୍ତଙ୍କ ସମ୍ପର୍କରେ କେହି ବିଶେଷ କିଛି ଆଉ ଜାଣି ନାହାନ୍ତି।

ସମ୍ବନ୍ଧିତ ଖବର