ଉତ୍ତରାଖଣ୍ଡ ବନ୍ୟା : ମୃତ୍ୟୁସଂଖ୍ୟା ୬୪ ଛୁଇଁଲା

ଡେରାଡୁନ: ଉତ୍ତରାଖଣ୍ଡରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟା ଯୋଗୁଁ ମୃତ୍ୟୁସଂଖ୍ୟା ୬୪ରେ ପହଞ୍ଚିଛି । ଆହୁରି ଅନେକ ଲୋକ ନିଖୋଜ ଥିବାରୁ ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା ରହିଛି ।

ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିବା ପରେ ସ୍ଥିତିର ସମୀକ୍ଷା କରିଛନ୍ତି । ସେ କହିଛନ୍ତି ଯେ ପ୍ରାୟ ୩୫୦୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି ଓ ପ୍ରାୟ ୧୬ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ଅନ୍ୟପକ୍ଷରେ ରାଜ୍ୟରେ ଉଦ୍ଧାର କାର୍ଯ୍ୟପାଇଁ ୧୭ ଏନଡିଆରଏଫ ଟିମ, ୭ଟି ଏସଡିଆରଏଫ ଟିମ, ୧୫ କମ୍ପାନି ପିଏସି ଓ ୫ ହଜାରରୁ ଅଧିକ ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ନୈନିତାଲ, ହଲଦ୍ବାନି ଓ ଅଲମୋଡ଼ାକୁ ପ୍ରବେଶ ପଥ ଖୋଲିଦିଆଯାଇଛି । ରାଜ୍ୟର ୮୦ ପ୍ରତିଶତ ସ୍ଥାନରେ ମୋବାଇଲ ନେଟଓ୍ବାର୍କ କାର୍ଯ୍ୟକ୍ଷମ ହୋଇଛି । ଖୁବଶୀଘ୍ର ବିଦ୍ୟୁତ ସଂଯୋଗ ସ୍ବାଭାବିକ ହେବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଦ୍ବାରା ଠିକ ସମୟରେ ବର୍ଷାର ପୂର୍ବାନୁମାନ ଯୋଗୁଁ କ୍ଷୟକ୍ଷତି ପରିମାଣକୁ କମାଯାଇପାରିଛି ।

ଅନ୍ୟପକ୍ଷରେ ଆସନ୍ତା ୪-୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଣିପାଗ ଶୁଖିଲା ରହିବ ବୋଲି ଆଇଏମଡି ପୂର୍ବାନୁମାନ କରିଛି । ଏହା ଦ୍ବାରା ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ ହେବାର ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର