ୟାଙ୍ଗୁନ : ଭାରତର ପଡ଼ୋଶୀ ଦେଶ ମିଆଁମାରରେ ସେନାର ଅତ୍ୟାଚାର ବଢିଚାଲିଛି । ନିଜ ଦେଶର ଲୋକମାନଙ୍କ ଉପରେ ବି ବିମାନ ଆକ୍ରମଣ କରିବାକୁ ପଛଉ ନାହିଁ ଏହି ଦେଶର ସେନା ।

Advertisment

ଉତ୍ତର କାଚିନ୍ ରାଜ୍ୟରେ ମିଆଁମାର ସେନା ପକ୍ଷରୁ କରାଯାଇଥିବା ବିମାନ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ୮୦କୁ ବୃଦ୍ଧି ପାଇଛି । ଏହା ସହିତ ଶହେ ଲୋକ ଆହତ ହୋଇଛନ୍ତି । ମାନବ ଅଧିକାର ସଂସ୍ଥାମାନେ ମିଆଁମାରର ଶାସକ ଜେନେରାଲମାନେ ଯୁଦ୍ଧ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ କରିଛନ୍ତି । ଏଣୁ ଏହି ଦେଶକୁ ଅସ୍ତ୍ରଶସ୍ତ୍ର ଓ ଇନ୍ଧନ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇବାକୁ ସେମାନେ ଦାବି କରିଛନ୍ତି ।
ରବିବାର ରାତିରେ କାଚିନ୍ ମୁକ୍ତି ସଂଗଠନର ପ୍ରତିଷ୍ଠା ଉତ୍ସବ ପାଳନ କରିବାକୁ ଏକତ୍ରିତ ହୋଇଥିବା ଶହ ଶହ ଲୋକଙ୍କ ଉପରେ ମିଆଁମାର ସେନା ବିମାନ ଆକ୍ରମଣ କରିଥିଲା । ଏଥିରେ ବିଦ୍ରୋହୀଙ୍କ ସମେତ ସାଧାରଣ ଲୋକେ ବି ଥିଲେ ।

କାଚିନ ମୁକ୍ତି ସଂଗଠନର ଦାବି ଅନୁସାରେ ପ୍ରାୟ ୫୦୦ ଲୋକ ଏହି ସମାରୋହରେ ସାମିଲ ହୋଇଥିଲେ ଓ ସେନା ବିମାନରୁ ସେମାନଙ୍କ ଉପରେ ୪ଟି ବୋମା ପକାଇଥିଲା । ମୃତାହତଙ୍କ ସଂଖ୍ୟା ଦୃଷ୍ଟିରୁ ଗତ ଫେବୃଆରୀ ୨୦୨୧ ରେ ମିଆଁମାରର ସେନା କ୍ଷମତା ହାସଲ କରିବା ପରଠାରୁ ଏହାକୁ ସବୁଠାରୁ ଭୟଙ୍କର ଆକ୍ରମଣ ବୋଲି ଜଣାପଡିଛି । ଅନ୍ୟପକ୍ଷରେ କାଚିନ ବିଦ୍ରୋହୀଙ୍କୁ ଆତଙ୍କବାଦୀ ବୋଲି ଘୋଷଣା କରିଛି ମିଆଁମାର ସେନା । ଏଣୁ ଏହି ଆକ୍ରମଣ ଜରୁରୀ ଥିଲା ବୋଲି ସେନା କହିଛି ।