ମୁମ୍ବାଇ: ମହାରାଷ୍ଟ୍ରରେ ଗତ ତିନିଦିନ ହେଲା ବର୍ଷା ଲାଗି ରହିଥିବାବେଳେ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇ ବନ୍ୟା ସ୍ଥିତି ଦେଖାଯାଇଛି। ବନ୍ୟା ଯୋଗୁଁ ରାଜ୍ୟରେ ୧୧ ଜଣଙ୍କର ମୃତ୍ୟୁ ହେଲାଣି। ବନ୍ୟା ବ୍ୟାପକ ଭାବେ ପ୍ରଭାବିତ କରିଥିବାବେଳେ ମହାରାଷ୍ଟ୍ର ରାଜ୍ୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥା ପକ୍ଷରୁ ତ୍ବରିତ ପଦକ୍ଷେପ ନିଆଯାଉଛି। ସୋମବାର ୩ ଜଣଙ୍କର ମୃତ୍ୟୁ ହୋଇଛି। ବନ୍ୟା ଜଳରେ ଭାସି ଯାଇ ନାନ୍ଦେଡରେ ଜଣଙ୍କର ଓ ଅହଲ୍ୟାନଗରରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ କହିଛନ୍ତି। ରବିବାର ବନ୍ୟା ଯୋଗୁଁ ୫ ଜଣଙ୍କର ମୃତ୍ୟୁ ହୋଇଥିଲା। ଶନିବାର ବଜ୍ରପାତ ଯୋଗୁଁ ୩ ଜଣଙ୍କ ଜୀବନ ଯାଇଥିଲା।
ସବୁଠୁ ଅଧିକ ବନ୍ୟା ପ୍ରଭାବିତ ସୋଲାପୁର, ଜାଲନା, ଛତ୍ରପତି ସମ୍ଭାଜୀ ନଗର ଓ ଧାରାଶିବର ତଳୁଆ ଅଞ୍ଚଳରୁ ୪୧,୦୦୦ ଲୋକଙ୍କୁ ଉଦ୍ଧାର କରି ଆଶ୍ରୟସ୍ଥଳରେ ରଖାଯାଇଛି। ଗତକାଲି ଜୟାକୱାଡି ଡ୍ୟାମରୁ ୩ ଲକ୍ଷ କ୍ୟୁସେକ୍ ଜଳ ଛଡ଼ାଯିବା ଯୋଗୁଁ ପୈଥାନ ଅଞ୍ଚଳରେ ବନ୍ୟା ସ୍ଥିତି ଅଧିକ ସଙ୍ଗିନ ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଭିତ୍ତିଭୂମି ପ୍ରଭାବିତ ହୋଇଛି। ଭାମ୍ରାଗଡ଼ ଏବଂ ପେରଲକଟ ମଧ୍ୟରେ ଏକ ସେତୁ ବୁଡ଼ି ଯାଇଛି। ଲାଟୁର ଜିଲ୍ଲାରେ ୬୦ଟି ରାସ୍ତା ବନ୍ଦ ରହିଛି। ଅନେକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ଆକାଶମାର୍ଗରୁ ଉଦ୍ଧାରକାର୍ଯ୍ୟ ଚଳାଇବା ପାଇଁ ବାୟୁସେନା ହେଲିକପ୍ଟର ମୁତୟନ କରାଯାଇଛି। ଏନଡିଆରଏଫ ଏବଂ ଏସଡିଆରଏଫ ଟିମ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/30/untitled-9-2025-09-30-06-19-21.jpg)