ଶ୍ରୀନଗର: ଉତ୍ତର ପଶ୍ଚିମ ପାକିସ୍ତାନରେ ଶୁକ୍ରବାର ସକାଳେ ହୋଇଥିବା ଭୟଙ୍କର ଆତ୍ମଘାତୀ ବିସ୍ଫୋରଣରେ ନିହତ ଲୋକଙ୍କ ସଂଖା ୩୨ରେ ପହଞ୍ଚିଛି । ଏହା ସହିତ ଆହତ ଲୋକମାନଙ୍କ ସଂଖା ୩୧ରେ ପହଞ୍ଚିଛି ବୋଲି ପାକିସ୍ତାନର ଡନଟିଭି ପକ୍ଷରୁ କୁହାଯାଇଛି । ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଆଜିର ଆତଙ୍କବାଦୀ କାଣ୍ଡକୁ ନିନ୍ଦା କରିବା ସହ ଦେଶରେ ଅସ୍ଥିରତା ଆଣିବା ପାଇଁ ଏସବୁ କରାଯାଇଛି ବୋଲି କହିଛନ୍ତି ।
ସାହାବାଜ ଅଲି ନାମକ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ଏକ ବାଳକ ହିଁ ନିଜ ଦେହରେ ବିସ୍ଫୋରକ ଖଞ୍ଜି ନିଜକୁ ଉଡାଇ ଦେଇଥିଲା । ସେ ନିଜ ମୁହଁକୁ ଘୋଡାଇ ଏକ ବାଇକରେ ଆସି ବିସ୍ଫୋରଣ ଘଟାଇଥିଲା । ଭିନ୍ନ ଧର୍ମ ଓ ସଂପ୍ରଦାୟର ଲୋକେ ଏକତ୍ରିତ ହୋଇଥିବା ଏକ ଉତ୍ସବରେ ଭିଡ଼ ଜମିଥିବା ବେଳେ ଜଣେ ଆତତାୟୀ ମଟରସାଇକେଲ୍ରେ ଆସି ବିସ୍ଫୋରଣ ଘଟାଇଥିବା ଜାଣିବାକୁ ମିଳିଛି। ମୃତ ୩୨ ଜଣଙ୍କ ମଧ୍ୟରୁ ୩ ଜଣ ଶିଖ୍ ସଂପ୍ରଦାୟର ହୋଇଥିବା ବେଳେ ୨ ସୁରକ୍ଷାକର୍ମୀ ରହିଛନ୍ତି।

Advertisment

ଅନ୍ୟପକ୍ଷରେ, କରାଚିଠାରେ ଥିବା ଚୀନର ବାଣିଜ୍ୟିକ ଦୂତବାସ ଉପରେ ସେହି ସମାନ ସମୟରେ ଆକ୍ରମଣ ଘଟିଛି। ଚୀନର ବାଣିଜ୍ୟିକ ଦୂତବାସ ଉପରେ ହୋଇଥିବା ଏହି ଆକ୍ରମଣରେ ୨ ଜଣ ପୁଳିସ୍ ଓ ୩ ଜଣ ଆକ୍ରମଣକାରୀ ନିହତ ହୋଇଛନ୍ତି। କରାଚିରେ ହୋଇଥିବା ଏହି ଆକ୍ରମଣ ବଲୁଚିସ୍ତାନ ଲିବରେସନ୍ତ ଆର୍ମି ନାମକ ଏକ ବିଚ୍ଛିନ୍ନତାବାଦୀ ସଂଗଠନ ଘଟାଇଥିବା ସନ୍ଦେହ କରାଯାଉଛି।