ପଶ୍ଚିମବଙ୍ଗରେ ମୃତ୍ୟୁସଂଖ୍ୟା ବଢିପାରେ, ଓଡ଼ିଶାରେ ଆସନ୍ତା ୨୪-୪୮ ଘଣ୍ଟା ମଧ୍ୟରେ ସ୍ୱାଭାବିକ ସ୍ଥିତି ଫେରିବ : ଏନଡିଆରଏଫ ଡିଜି

ନୂଆଦିଲ୍ଲୀ : ଭାରତୀୟ ପାଣିପାଗ ବିଭାଗର ନିର୍ଭୁଲ ପୂର୍ବାନୁମାନ ଯୋଗୁଁ ମହାବାତ୍ୟା ଅମ୍ପାନର କ୍ଷୟକ୍ଷତି କମ ରହିଲା ବୋଲି କହିଛନ୍ତି ଜାତୀୟ ବିପର୍ଯ୍ୟୟ ପରିଚାଳନା ବଳ (ଏନଡିଆରଏଫ)ର ମହାନିର୍ଦ୍ଦେଶକ ସତ୍ୟନାରାୟଣ ପ୍ରଧାନ ।

ସେ କହିଛନ୍ତି ଯେ କେନ୍ଦ୍ର କ୍ୟାବିନେଟ ସଚିବ ଏହି ବାତ୍ୟା କ୍ଷୟକ୍ଷତି ସମ୍ପର୍କରେ ଆଜି ପଶ୍ଚିମବଙ୍ଗ ଓ ଓଡ଼ିଶାର ମୁଖ୍ୟ ସଚିବମାନଙ୍କ ସହ ଆଲୋଚନା କରିଛନ୍ତି । ଏନଡିଆରଏଫ ଦଳଗୁଡ଼ିକ ଏହି ଦୁଇଟି ରାଜ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଓଡ଼ିଶାରେ ଆସନ୍ତା ୨୪ରୁ ୪୮ ଘଣ୍ଟା ମଧ୍ୟରେ ସ୍ୱାଭାବିକତା ଫେରିଆସିବ । କିନ୍ତୁ ପଶ୍ଚିମବଙ୍ଗରେ ସ୍ୱାଭାବିକତା ଫେରିବାକୁ ଆହୁରି ସମୟ ଲାଗିବ । ଏହି ରାଜ୍ୟରେ ମୃତ୍ୟୁସଂଖ୍ୟା ଆହୁରି ବଢିବାର ଆଶଙ୍କା ରହିଛି ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ ଖୁବଶୀଘ୍ର କେନ୍ଦ୍ର ଗୃହ ମନ୍ତ୍ରାଳୟର ଏକ ଦଳ ଏହି ଦୁଇ ରାଜ୍ୟକୁ ଯାଇ କ୍ଷୟକ୍ଷତିର ଆକଳନ କରିବ ।

ଏହି ଅବସରରେ ଭାରତୀୟ ପାଣିପାଗ ବିଭାଗର ମହା ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ପଶ୍ଚିମବଙ୍ଗରେ ଆଉ ବର୍ଷାର ଆଉ ଆଶଙ୍କା ନାହିଁ । ତେବେ ଆସାମ, ମେଘାଳୟ ଓ ଅରୁଣାଚଳ ପ୍ରଦେଶରେ ଆଗାମୀ ୨୪ ଘଣ୍ଟାପର୍ଯ୍ୟନ୍ତ ପ୍ରବଳ ବର୍ଷାର ଆଶଙ୍କା ରହିଛି ।

ସୂଚନାଯୋଗ୍ୟ ଯେ ପଶ୍ଚିମବଙ୍ଗରେ ଅମ୍ପନ ବାତ୍ୟା ପ୍ରଭାବରେ ଏପର୍ଯ୍ୟନ୍ତ ୭୨ ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀଭାବେ ପ୍ରକାଶ କରାଯାଇଛି ।

ସମ୍ବନ୍ଧିତ ଖବର