କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣା : ମୃତ୍ୟସଂଖ୍ୟା ୫୦ ଛୁଇଁଲା, ଆହତଙ୍କ ସଂଖ୍ୟା ୩୫୦ ଟପିଲା; ସାରା ରାତି ଜାରି ରହିବ ଉଦ୍ଧାର କାର୍ଯ୍ୟ

ଭୁବନେଶ୍ବର/ ବାଲେଶ୍ବର : ବାଲେଶ୍ବର ଜିଲ୍ଲା ବାହାନଗା ‌ରେଳ ଷ୍ଟେସନ ନିକଟରେ ଆଜି ଘଟିଯାଇଛି ଏକ ଛାତିଥରା ରେଳ ଦୁର୍ଘଟଣା। ଦୁଇଟି ଏକ୍ସପ୍ରେସ ଟ୍ରେନର ବଗି ପରସ୍ପର ସହ ପିଟି ହେବା ଫଳରେ ବହୁ ଯାତ୍ରୀ ଶୋଚନୀୟ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି ଓ  ଶତାଧିକ ଆହତ ହୋଇଛନ୍ତି। ଜାତୀୟ ଗଣମାଧ୍ୟମ ସଂସ୍ଥା ପିଟିଆଇର ରିପୋର୍ଟ ଅନୁସାରେ ଏହି ଭୟାବହ ଦୁର୍ଘଟଣାରେ ୫୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୫୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସଂଧ୍ୟ‌ା ସମୟରେ ଦୁର୍ଘଟଣା ଘଟିଥିବାରୁ ଉଦ୍ଧାର କାର୍ଯ୍ୟ ଆରମ୍ଭରେ ବିଳମ୍ବ ହୋଇଥିଲେ ହେଁ ପରବର୍ତ୍ତୀ ସମୟରେ ଏହା ଜୋରଦାର କରାଯାଇଛି। ଘଟଣାସ୍ଥଳରୁ ମିଳିଥିବା ସୂଚନା ଅନୁସାରେ ମୃତ୍ୟୁ ସଂଖ୍ୟା ବୃଦ୍ଧିପାଇବା ଆଶଙ୍କା ରହିଛି।

ବାହାନଗା ଷ୍ଟେସନ୍‌ ନିକଟ ପଣପଣାଠାରେ କରମଣ୍ଡଳ ଏକ୍ସପ୍ରେସ୍‌ (୧୨୮୪୧-ଅପ୍‌) ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଜି ଟ୍ରେନ୍‌ଟି ସାଲିମାରରୁ ଚେନ୍ନାଇ ଯାଉଥିଲା। ଏହି ସମୟରେ ବିପରୀତ ଦିଗରୁ ଆସୁଥିଲା ବେଙ୍ଗଲୁରୁରୁ କୋଲକାତା ଯାଉଥିବା ଯଶୱନ୍ତପୁର-ହାୱଡା ଏକ୍ସପ୍ରେସ୍। ଦୁଇଟି ଟ୍ରେନ ପରସ୍ପରକୁ ଦୁଇଟି ପାଖାପାଖି ଟ୍ରାକରେ ପାର ହୋଇଥିବା ସମୟରେ ହଠାତ୍ ଯଶୱନ୍ତପୁର-ହାୱଡା ଏକ୍ସପ୍ରେସର ଦୁଇଟି ବଗି ଲାଇନଚ୍ୟୁତ ହୋଇଥିଲା। ଫଳରେ ଏହି ବଗି ଦୁଇଟି ପାଖ ପାଖ ଟ୍ରାକରେ ଯାଉଥିବା କରମଣ୍ଡଳ ଏକ୍ସପ୍ରେସର ସହିତ ଜୋରରେ ମାଡ଼ ହୋଇଥିଲା। ତା’ପରେ କରମଣ୍ଡଳ ଏକ୍ସପ୍ରେସର ୮ଟି ବଗି ଦୁର୍ଘଟଣାର ଶିକାର ‌ହୋଇ ଲାଇନଚ୍ୟୁତ ହୋଇ ରେଳଲାଇନ୍ ବାହାରକୁ ମାଡ଼ିଯାଇ ଖସିପଡ଼ିଥିଲା। ଏହି ଭୟଙ୍କର ଦୁର୍ଘଟଣା ସଂଧ୍ୟା ପ୍ରାୟ ୭. ୨୦ ମିନିଟରେ ଘଟିଥିବା ସୂଚନା ରହିଛି।

ବର୍ତ୍ତମା ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି। ଏନଡିଆରଏଫ୍ ଓ ଓଡ୍ରାଫ୍ ଏବଂ ସ୍ଥାନୀୟ ଲୋକଙ୍କ ଦ୍ବାରା ଉଦ୍ଧାର କାର୍ଯ୍ୟ ଚାଲିଛି। ଏହା ସାରା ରାତି ଜାରି ରହିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ୩ ଏନ୍ଡିଆରଏଫ୍ ଟିମ୍, ୪ ଓଡ୍ରାଫ ଟିମ୍, ୧୦୦ ଆମ୍ବୁଲାନ୍ସ ଓ ୫୦ଟି ବସ୍ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର