ନୂଆଦିଲ୍ଲୀ: ଦିଲ୍ଲୀରେ ହିଂସାରେ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଏଯାବତ୍ ମିଳିଥିବା ସର୍ବଶେଷ ରିପୋର୍ଟ ମୁତାବକ ସିଏଏ ବିପକ୍ଷ ଓ ସପକ୍ଷବାଦୀଙ୍କ ସଂଘର୍ଷରେ ମୃତ୍ୟୁ ସଂଖ୍ୟା ୨୨ରେ ପହଞ୍ଚିଛି। ଗୁରୁ ଟେଗ ବାହାଦୂର ହସ୍ପିଟାଲର ସୁପରିଟେଣ୍ଡେଣ୍ଟ ସୁନୀଲ କୁମାର ଗୌତମଙ୍କ ସୂଚନା ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ୨୦୦ ଜଣ ଗୁରୁତର ଭାବେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ସେ ମଧ୍ୟରୁ ୨୨ ଜଣଙ୍କର ମୃତ୍ୟୁ ହୋଇଛି। ଅଧିକାଂଶ ପୀଡ଼ିତଙ୍କୁ ପ୍ରାଥମିକ ଚିକିତ୍ସା ଦିଆଯାଇ ଘରକୁ ପଠାଇ ଦିଆଯାଇଥିବା ବେଳେ ୩୫ଜଣ ପୀଡ଼ିତଙ୍କର ଏବେ ବି ଚିକିତ୍ସା ଜାରି ରହିଛି। ଆଜି ସକାଳ ସମୟରେ ୧୬ଜଣ ପୀଡ଼ିତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ କେହି ଗୁରୁତର ନ ଥିବା କହିଛନ୍ତି ସୁନୀଲ କୁମାର ଗୌତମ।
Sunil Kumar, Medical Superintendent of GTB Hospital: So far we have treated 200 patients, 22 deaths took place. Majority of the patients have been discharged, 35 patients are still admitted with us. Today we received 16 patients since morning, none of them is serious. #Delhipic.twitter.com/dMBCfpX9L4
— ANI (@ANI) February 26, 2020
ସିଏଏକୁ ନେଇ ଉତ୍ତର ପୂର୍ବ ଦିଲ୍ଲୀ ଆଜି ତୃତୀୟ ଦିନ ଧରି ଅଶାନ୍ତ ରହିଛି। ଏହି ହିଂସାକାଣ୍ଡରେ ୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଗୁରୁତର ଆହତମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ଦେହରେ ଗୁଳି ବାଜିଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବାରୁ ଗତକାଲି ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ନିର୍ଦେଶ ଦିଆଯାଇଥିଲା । ଦିଲ୍ଲୀର ଜାଫରାବାଦ, ଚାନ୍ଦବାଗ, ମୌଜପୁର, ଭଜନପାରା, ଗୋକୁଲପୁରୀ, ଖଜୁରି ଏବଂ କରୱାଲ ନଗରରେ ପରିସ୍ଥିତି ଅଧିକ ଉତ୍ତେଜନାପୂର୍ଣ୍ଣ ରହିଛି।