ନୂଆଦିଲ୍ଲୀ: କେରଳ କୋଜିକୋଡ ବିମାନ ଦୁର୍ଘଟଣାର ତଦନ୍ତ ଆରମ୍ଭ ହୋଇଛି । ବିମାନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି ହୋଇଛି । ଦୁଇ ଜଣ ପାଇଲଟଙ୍କ ସମେତ ଆଉ ୧୬ ଯାତ୍ରୀ ପ୍ରାଣ ହରାଇଛନ୍ତି । ୧୨୩ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଡିଜିସିଏ ବିମାନ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି । ଆଜି କେରଳ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ଘଟଣାସ୍ଥଳକୁ ଯିବେ । ଦୁର୍ଘଟଣା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେରଳ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ।
#WATCH Latest visuals from Kozhikode International Airport in Karipur, Kerala where an #AirIndiaExpress flight crash-landed yesterday.
18 people, including two pilots, have lost their lives in the incident. pic.twitter.com/r1YRiIkbrM
— ANI (@ANI) August 8, 2020
କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଗୃହ ମନ୍ତ୍ରୀ ଅମିତ ଶାହା ପ୍ରମୁଖ ଟ୍ୱିଟ୍ କରି ଗଭୀର ଦୁଃଖପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ୱିଟ୍ କରି ଦୁଃଖ ପ୍ରକାଶ ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।
ବନ୍ଦେ ଭାରତ ମିଶନ ଜରିଆରେ ଏହି ଏୟାର ଇଣ୍ଡିଆ ବିମାନ ୧୯୦ ଜଣ ଯାତ୍ରୀଙ୍କୁ ନେଇ ଦୁବାଇରୁ ଆସୁଥିଲା । ଏଥିରେ ୧୭୪ ଯାତ୍ରୀ, ୧୦ ଶିଶୁ, ଦୁଇ ପାଇଲଟ ଏବଂ ୪ ଜଣ ବିମାନ କର୍ମଚାରୀ ଥିଲେ। ରାତି ୮ଟା ୧୫ ମିନିଟ୍ ସମୟରେ ବିମାନଟି କୋଜିକୋଡ ରନ୍ୱେରେ ଅବତରଣ କରୁଥିବା ବେଳେ ଏଭଳି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା।