ନୂଆଦିଲ୍ଲୀ: ରୁଷ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଜାରି ରହିଥିବା ବେଳେ ମାରିୟୁପୋଲ୍ ସହର ଏହି ଯୁଦ୍ଧରେ ସର୍ବାଧିକ ପ୍ରଭାବିତ ହୋଇଛି। ମାରିୟୁପୋଲ୍ରେ ରୁଷ୍ର ପ୍ରଚଣ୍ଡ ଆକ୍ରମଣ ଥମି ଥିଲେ ମଧ୍ୟ ସେଠାରେ ମୃତ୍ୟୁ ଓ ଧ୍ବଂସର ଏଭଳି ତାଣ୍ଡବ ଦେଖିବାକୁ ମିଳିଛି ଯାହା ୟୁକ୍ରେନ୍ର ଅନ୍ୟ କେଉଁଠି ଦେଖାଯାଇନାହିଁ। ଏହି ବନ୍ଦର ସହରକୁ ମାଟିରେ ମିଶାଇ ଦେଦା ପାଇଁ ରୁଷ୍ ଅତି ଭୟାନକ ଆକ୍ରମଣ କରିଥିବାରୁ ସବୁକିଛି ବରବାଦ ହୋଇଯାଇଛି। ପୂରା ସହର ଏକ ଧ୍ବଂସସ୍ତୁପରେ ପରିଣତ ହୋଇଥିବା ବେଳେ ଧ୍ବଂସାବଶେଷ ତଳେ ହଜାର ହଜାର ଲୋକଙ୍କ ଶବ ପୋତିହୋଇ ରହିଥବା ଆଶଙ୍କା କରାଯାଉଛି। ଆଜି ସୁଦ୍ଧା ପ୍ରାୟ ୫ ହଜାର ଶବ ଉଦ୍ଧାର ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ଲଗାତାର ବଢ଼ିଚାଲିଛି। ଏଭଳି ସ୍ଥିତିରେ ବି ସହରରେ ଲକ୍ଷାଧିକ ଲୋକ ବଞ୍ଚିବାପାଇଁ ସଂଘର୍ଷ ଜାରି ରଖିଛନ୍ତି। ଖାଦ୍ୟ, ପାଣି, ବିଦ୍ୟୁତ, ଗ୍ୟାସ୍ କିଛି ବି ଜରୁରୀ ସାମଗ୍ରୀ ଉପଲବ୍ଧ ନାହିଁ। ଲୋକଙ୍କୁ ସହାୟତା ଦେବାପାଇଁ ଅନ୍ତର୍ଜାତୀୟ ରେଡ୍କ୍ରସ ସଂସ୍ଥାର ଏକ ବଡ଼ ଟିମ୍ ମାରିୟୁପୋଲ୍ ପହଞ୍ଚିବାକୁ ପ୍ରୟାସ କରୁଥିଲେ ମଧ୍ୟ ତାହା ସମ୍ଭବ ହୋଇପାରି ନାହିଁ। ତେବେ ମାରିୟୁପୋଲ୍ରେ ସହାୟତା ପହଞ୍ଚାଇବାକୁ ରେଡ୍କ୍ରସର ପ୍ରୟାସ ଜାରି ରହିଛି ବୋଲି କୁହାଯାଉଛି।
ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନ୍ସ୍କିଙ୍କ ସୂଚନା ଅନୁଯାୟୀ ମାରିୟୁପୋଲ୍ରୁ ଗତକାଲି ୩ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ସବୁ ଅଂଚଳର ରାସ୍ତାଘାଟରେ ଶବ ପଡ଼ି ରହିଛି ଏବଂ ଅନେକ ଶବ ସଂପୂର୍ଣ୍ଣ ଜଳି ଯାଇଛି। ଜଣେ ସାମ୍ବାଦିକଙ୍କ ଗ୍ରାଉଣ୍ଡ୍ ଜିରୋ ରିପୋର୍ଟିଂରୁ ଏହା ଜଣାପଡ଼ିଛି। ଜାତିସଂଘ ମାନବାଧିକାର ମିସନ୍ ଅନୁଯାୟୀ ସହରକୁ ସଂପୂର୍ଣ୍ଣ ଧୂଳିସାତ କରିବା ପାଇଁ ଆକ୍ରମଣ ଯୋଗୁଁ ଏଭଳି ସ୍ଥିତି ଆସିଛି। ରାସ୍ତାଘାଟରେ ପଡ଼ି ରହିଥିବା ମୃତଦେହର କେହି ଦାବିଦାର ନାହାନ୍ତି। ଅନ୍ୟପକ୍ଷେ ରୁଷ୍ ବିମାନ ଆକ୍ରମଣ ଯୋଗୁଁ ସୃଷ୍ଟି ହୋଇଥିବା ଏକ ବଡ଼ ଖାଲ ଏବେ ଗଣ ସମାଧିରେ ପରିଣତ ହୋଇଛି। ମାରିୟୁପୋଲ୍ରେ ମହିଳା ଏବଂ ଶିଶୁମାନେ ସବୁଠୁ ବେଶୀ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ସମସ୍ତେ ଅସୁସ୍ଥ ହୋଇପଡ଼ିଛନ୍ତି। ଜରୁରୀ ଔଷଧ ଯେଗାଣ ଆସନ୍ତାକାଲି ସୁଦ୍ଧା କରାଇବାକୁ ପ୍ରୟାସ ଚାଲିଛି। ରୁଷ୍-ୟୁକ୍ରେନ୍ ଯୁଦ୍ଧକୁ ୩୮ ଦିନ ପୂରିଥିବା ବେଳେ ରୁଷ୍ ଏବେ କିବ୍ ଏବଂ ଚେର୍ନିହିବରୁ ସେନା ପ୍ରତ୍ୟାହାର କରି ପୂର୍ବ ଏବଂ ଦକ୍ଷିଣ ଉପରେ ଅଧିକ ଫୋକସ୍ କରିଛି। ୟୁକ୍ରେନ୍ରୁ ଶୁକ୍ରବାର ୬,୨୬୬ ଲୋକଙ୍କୁ ଉଦ୍ଧାର କରାଯାଇଛି।
ଏବେ ବି ୧ ଲକ୍ଷରୁ ଅଧିକ ଲୋକ ଫସି ରହିଛନ୍ତି, ପ୍ରଚଣ୍ଡ ଆକ୍ରମଣ କରିବାକୁ ରୁଷ୍ର ଯୋଜନା
ମସ୍କୋ: ୟୁକ୍ରେନ୍ ଉପରେ ଦ୍ବିତୀୟ ପର୍ଯ୍ୟାୟ ଆକ୍ରମଣକୁ ଅତି ପ୍ରଚଣ୍ଡ କରିବା ପାଇଁ ରୁଷ୍ ଯୋଜନା କରୁଛି। ୟୁକ୍ରେନ୍ ରାଜଧାନୀ କିବ୍ ଏବଂ ଉତ୍ତରାଞ୍ଚଳ ସହର ଚେର୍ନିହିବରୁ ରୁଷ୍ ସେନା ପ୍ରତ୍ୟାହାର ତ୍ବରାନ୍ବିତ କରି ଅନ୍ୟ ଅଂଚଳରେ ଶକ୍ତି ବୃଦ୍ଧି କରୁଛି । ଏବେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ରୁଷ୍-ୟୁକ୍ରେନ୍ ଶାନ୍ତି ଆଲୋଚନା ଜାରି ରହିଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ପ୍ରଚଣ୍ଡ ଆକ୍ରମଣ ପାଇଁ ରୁଷ୍ ପ୍ରସ୍ତୁତି ଚଳାଇବା ପଶ୍ଚିମ ରାଷ୍ଟ୍ରମାନଙ୍କ ଚିନ୍ତା ବଢ଼ାଇ ଦେଇଛି। ରୁଷ୍ ଏବେ ଯେଉଁ ଅଂଚଳରୁସେନା ପ୍ରତ୍ୟାହାର କରୁଛି ସେଠାରେ ୟୁକ୍ରେନ୍ ସେନା ପୁଣି ନିଜ ଦଖଲ ଦାବି କରୁଛନ୍ତି। ତେବେ ୟୁକ୍ରେନ୍ ପାଇଁ ଆଗକୁ ଅଧିକ ବିପଦ ମାଡ଼ି ଆସୁଛି ବୋଲି ଯୁଦ୍ଧନୀତି ବିଶେଷଜ୍ଞମାନେ କହିଛନ୍ତି। ରୁଷ୍ ଏବେ ପୂର୍ବ ଏବଂ ଦକ୍ଷିଣ ୟୁକ୍ରେନ୍ ଉପରେ ଫୋକସ୍ କରୁଛି ବୋଲି ୟୁକ୍ରେନ ରାଷ୍ଟ୍ରପତିଙ୍କ ପରାମର୍ଶଦାତା ମିଖାଲୋ ପୋଡଲ୍ୟାକ୍ କହିଛନ୍ତି। ଆଜି ସକାଳେ ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନ୍ସ୍କି ମଧ୍ୟ ସମାନ ଘୋଷଣା କରିଥିଲେ। ଜେଲେନସ୍କି କହିଥିଲେ ରୁଷ୍ ଉତ୍ତରରୁ ସେନା ପ୍ରତ୍ୟାହାର କରି ପୂର୍ବ ଓ ଦକ୍ଷିଣରେ ଠୁଳ କରୁଛି।