ଉତ୍ତରାଖଣ୍ଡ ଗ୍ଲାସିୟର୍‌ ବିପର୍ଯ୍ୟୟ: ମୃତ୍ୟୁ ସଂଖ୍ୟା ୩୬କୁ ବୃଦ୍ଧି

ଡେରାଡୁନ୍‌: ଉତ୍ତରାଖଣ୍ଡର ଋଷିଗଙ୍ଗାରେ ଜଳ ପ୍ରଳୟ ପରେ ଚାଲିଥିବା ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟ ଜାରି ରହିଛି। ମୃତ୍ୟୁ ସଂଖ୍ୟା ୩୬କୁ ବୃଦ୍ଧି ପାଇଛି। ଏବେ ସୁଦ୍ଧା ୨ ଜଣ ସେଠାରୁ ଜୀବନ୍ତ ଉଦ୍ଧାର ହୋଇଛନ୍ତି। ଏବେ ବି ୨୦୬ ଜଣ ଲୋକ ସେଠାରେ ଫଶି ରହିଥିବା ସନ୍ଦେହ କରାଯାଉଛି।

ସରକାରୀ ସୂତ୍ରରୁ ଜାଣିବାକୁ ମିଳିଛି ଯେ ଚମୋଲି ଜିଲ୍ଲାର ତପୋଭାନ୍‌ରେ ଉଦ୍ଧାରୀ କାର୍ଯ୍ୟ ୬ ଦିନରେ ପହଞ୍ଚିଛି। ଏପଟେ ନଦୀରୁ ଶରୀର ଖୋଜିବା ପାଇଁ ଏକ ଟିମ୍‌ ନିୟୋଜିତ ହୋଇଛି। ଉଦ୍ଧାରୀ କାର୍ଯ୍ୟ ପାଇଁ ନିୟୋଜିତ ହୋଇଥିବା ସମସ୍ତ ଦଳ ପୂରା ଦିନ ତମାମ ଉଦ୍ଧାର କାମରେ ଲାଗି ରହିଛନ୍ତି।

ଉତ୍ତରାଖଣ୍ଡର ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଦୁଇଟି ଗାଁ ପାଙ୍ଗ୍‌ ଏବଂ ମୁରଦା ବ୍ୟତୀତ ଏବେ ସୁଦ୍ଧା ୧୧ଟି ଗାଁକୁ ବିଜୁଳି ଜୋଗାଣ ହୋଇସାରିଛି। ୧୦ଟି ଗାଁକୁ ପାନୀୟ ଜଳ ଲାଇନ୍‌ ମରାମତି କରାଯାଇଛି।

ଉଲ୍ଲେଖଯୋଗ୍ୟ, ଉତ୍ତରାଖଣ୍ଡରେ ୫,୬୦୦ ମିଟର ଉପରେ ରହିଥିବା ଏକ ଝୁଲନ୍ତା ହିମଶୈଳ (ଗ୍ଲାସିୟର)ରୁ ଏକ ବିରାଟ ହିମଖଣ୍ଡ ଛିଣ୍ଡି ଯାଇ ତଳକୁ ଖସି ଆସିବାରୁ ପଥର ଓ ମାଟି ସହ ମାଡ଼ି ଆସିଥିବା ହିମପ୍ରବାହ ଯୋଗୁ୍ଁ ହିଁ ଋଷିଗଙ୍ଗା ନଦୀର ତଳମୁଣ୍ଡରେ ଚାମୋଲି ଜିଲ୍ଲାରେ ଏପରି ବନ୍ୟା ବିଭୀଷିକା ଦେଖିବାକୁ ମିଳିଲା ବୋଲି ପ୍ରାଥମିକ ଅନୁଧ୍ୟାନରୁ ବିଶେଷଜ୍ଞମାନେ ମତ ରଖିଛନ୍ତି। ସୂଚନା ଥାଉ କି, ୧୪ ବର୍ଗ କିମି ପରିମିତ ହିମପ୍ରବାହ ଯୋଗୁ୍ଁ ସଂଗଠିତ ଏହି ଦୁର୍ବିପାକ ପଛରେ ରହିଥିବା କାରଣ ଖୋଜାଚାଲିଛି।

ସମ୍ବନ୍ଧିତ ଖବର