ନୂଆ ମୋଟର ଯାନ ଆଇନ ଲାଗୁହେବାପରେ ଦେଶରେ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ୯% କମିଛି : ଗଡ଼କରୀ

ନୂଆଦିଲ୍ଲୀ : ସେପ୍ଟେମ୍ବର ୧ରେ ଦେଶରେ ନୂଆ ମୋଟର ଯାନ ଆଇନ ଲାଗୁହେବାପରେ ସଡ଼କ ଦୁର୍ଘଟଣା ସଂଖ୍ୟା ୯ ପ୍ରତିଶତ ହ୍ରାସ ପାଇଛି । ଚଳିତ ବର୍ଷ ସେପ୍ଟେମ୍ବର-ଅକ୍ଟୋବର ମାସରେ ଦେଶରେ ମୋଟ ୩୩୭୫ଟି ସଡ଼କ ଦୁର୍ଘଟଣା ଘଟିଥିଛି, ଯାହାକି ଗତ ବର୍ଷ ସେପ୍ଟେମ୍ବର-ଅକ୍ଟୋବର ମାସରେ ୩୭୨୯ ଟି ଥିଲା ବୋଲି କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନିତିନ ଗଡ଼କରୀ ଆଜି ସଂସଦରେ କହିଛନ୍ତି ।
ତେବେ ଏହି ୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି । ଚଣ୍ଡିଗଡ଼ରେ ଏହି ୨ ମାସରେ ସଡ଼କ ଦୁର୍ଘଟଣା ସଂଖ୍ୟା ପ୍ରାୟ ୭୫ ପ୍ରତିଶତ ହ୍ରାସ ପାଇଛି । ପୁଡୁଚେରୀରେ ୩୦ ପ୍ରତିଶତ, ଉତ୍ତରାଖଣ୍ଡରେ ୨୧ ପ୍ରତିଶତ ଓ ଗୁଜୁରାଟରେ ୧୪ ପ୍ରତିଶତ ହ୍ରାସ ପାଇଛି । ତେବେ ଛତିଶଗଡ଼ରେ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ୪ ପ୍ରତିଶତ ବୃଦ୍ଧି ପାଇଛି ।

ଦୁଇଦିନ ତଳେ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଥିଲା ଯେ ୨୦୧୭ ତୁଳନାରେ ୨୦୧୮ରେ ଭାରତରେ ସଡ଼କ ଦୁର୍ଘଟଣା ସଂଖ୍ୟା ୦.୪୬ ପ୍ରତିଶତ ବୃଦ୍ଧି ପାଇଛି । ୨୦୧୮ ବର୍ଷରେ ସମଗ୍ର ଦେଶରେ ପ୍ରାୟ ୪ ଲକ୍ଷ ୬୭ ହଜାରଟି ସଡ଼କ ଦୁର୍ଘଟଣା ହୋଇଛି । ଏହା ଦ୍ୱାରା ୧ ଲକ୍ଷ ୫୧ ହଜାର ବ୍ୟକ୍ତି ପ୍ରାଣ ହରାଇଛନ୍ତି ଓ ୪ ଲକ୍ଷ ୬୯ ହଜାର ଲୋକ ଆହତ ହୋଇଛନ୍ତି ।

ସମ୍ବନ୍ଧିତ ଖବର