ସାମ୍ବିଧାନିକ ଅଧିକାର ନେଇ ଝଡ଼, ରାଜ୍ୟସଭାରେ ନାଗରିକତା ବିଲ୍‌ ବିତର୍କ

ସମ୍ବିଧାନ ଆଧାରରେ ଆଇନ ପ୍ରସ୍ତୁତ ହୋଇଛି: ଗୃହମନ୍ତ୍ରୀ

ଦେଶଭକ୍ତ ସାର୍ଟିଫିକେଟ ଦେବାକୁ ତୁମେ କିଏ: ଶିବସେନା
ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ବିଲ୍‌ ଲୋକସଭାରେ ବିପୁଳ ସମର୍ଥନ ସହିତ ଗୃହୀତ ହୋଇଥିବା ବେଳେ ଆଜି ରାଜ୍ୟସଭାରେ ମଧ୍ୟ ଏହା ଗୃହୀତ ହୋଇଛି। ଆଜି ମଧ୍ୟାହ୍ନ ୧୨ଟାରେ ଗୃହମନ୍ତ୍ରୀ ଅମିତ ଶାହ ଏହି ବିଲ୍‌କୁ ରାଜ୍ୟସଭାରେ ଆଗତ କରିବା ପରେ ଏହା ଉପରେ ପ୍ରାୟ ୮ ଘଣ୍ଟା ଧରି ଜୋର୍‌ଦାର ବିତର୍କ ହୋଇଥିଲା। ବିଲ୍‌କୁ ବିରୋଧୀ ଦଳର ଅନେକ ସଦସ୍ୟ ଅସାମ୍ବିଧାନିକ ଏବଂ ସମାନତା ଅଧିକାରର ଉଲ୍ଲଂଘନ ବୋଲି କହିଥିବା ବେଳେ ଏହାକୁ ଗୃହମନ୍ତ୍ରୀ ଖଣ୍ଡନ କରି କହିଥିଲେ ଯେ ସମ୍ବିଧାନକୁ ସମ୍ମାନ ଦେଇ ସଂସଦର ଅଧିକାର ପରିସରରେ ହିଁ ଏହି ବିଲ୍‌ ପ୍ରସ୍ତୁତ କରାଯାଛି। ଯଦି ଦେଶର ବିଭାଜନ ହୋଇନଥାନ୍ତା ତା’ହେଲେ ଏଭଳି ବିଲ୍‌ ଆବଶ୍ୟକ ପଡ଼ିନଥାନ୍ତା। ବିଭାଜନ ପରେ ଉପୁଜିଥିବା ପରିସ୍ଥିତିର ମୁକାବିଲା କରିବା ହିଁ ଏହି ବିଲ୍‌ର ମୁଖ୍ୟ ଉଦ୍ଦେଶ୍ୟ। ଦେଶର ସମସ୍ୟା ସମାଧାନ ଦିଗରେ ସରକାର ତତ୍ପରତାର ସହିତ ଆଗକୁ ବଢ଼ୁଛନ୍ତି ବୋଲି ଶାହ କହିଥିଲେ।

ବିତର୍କରେ ଭାଗ ନେଇ କଂଗ୍ରେସ ନେତା ଗୁଲାମନବୀ ଆଜାଦ କହିଥିଲେ ଯେ ନିର୍ଦ୍ଦିଷ୍ଟ କେତେକ ଧର୍ମ ପ୍ରତି ସରକାର ଦରଦ ଦେଖାଇବା ପଛରେ କି କାରଣ ରହିଛି ତାହା ସ୍ପଷ୍ଟ କରିବା ଆବଶ୍ୟକ। ଏଥିରେ ଭୁଟାନ୍‌ ଓ ଶ୍ରୀଲଙ୍କାକୁ କାହିଁକି ସାମିଲ କରାଯାଇ ନାହିଁ ବୋଲି ସେ ପ୍ରଶ୍ନ କରିଥିଲେ। ଶ୍ରୀଲଙ୍କାରେ ମଧ୍ୟ ହିନ୍ଦୁମାନଙ୍କ ସମସ୍ୟା ରହିଛି। କେବଳ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରେ ହିନ୍ଦୁମାନଙ୍କ ଉତ୍ପୀଡ଼ନ ହେଉନାହିଁ। ଆଫଗାନିସ୍ତାନରେ ମୁସ୍‌ଲିମ ମହିଳାଙ୍କ କ୍ଷେତ୍ରରେ ସର୍ବାଧିକ ଉତ୍ପୀଡ଼ନ ଦେଖିବାକୁ ମିଳୁଛି। ନାଗରିକତା ସଂଶୋଧନ ବିଲ୍‌କୁ ନେଇ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ବ୍ୟାପକ ଜନ ଆନ୍ଦୋଳନ ଚାଲିଥିବାରୁ ବିଲ୍‌କୁ ନେଇ ସବୁକିଛି ଠିକ୍‌ଠାକ୍‌ ରହିଛି ବୋଲି ସରକାର କହିପାରିବେ ନାହିଁ ବୋଲି ଗୁଲାମନବୀ ଆଜାଦ କହିଥିଲେ। କଂଗ୍ରେସର ସମାଲୋଚନାର ଜବାବ ଦେଇ ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ବାମୀ କହିଥିଲେ ଯେ ନାଗରିକତା ସଂଶୋଧନ ବିଲ୍‌ ଏବଂ ଏନ୍‌ଆର୍‌ସିକୁ ନେଇ କଂଗ୍ରେସ ଦ୍ବନ୍ଦ୍ବରେ ରହିଛି ଏବଂ ସଂସଦକୁ ବିଭ୍ରାନ୍ତ କରାଯାଉଛି। ସମ୍ବିଧାନର ଧାରା ୧୪ ନାଗରିକତା ସଂଶୋଧନ ବିଲ୍‌କୁ ଅଟକାଇ ପାରିବ ନାହିଁ। କଂଗ୍ରେସରେ ସମ୍ବିଧାନକୁ ନେଇ ଅଶିକ୍ଷା ହାର ଅଧିକ ବୋଲି ସ୍ବାମୀ କହିଥିଲେ। ଆଲୋଚନାରେ ଭାଗ ନେଇ ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ କହିଥିଲେ ଯେ ଏହି ବିଲ୍‌ ଯୋଗୁଁ ଲକ୍ଷାଧିକ ଲୋକଙ୍କ ଜୀବନରେ ରହିଥିବା ଅନ୍ଧକାରର କେବେ ପରିସମାପ୍ତି ହେବନାହିଁ। ଗୃହମନ୍ତ୍ରୀ କେଉଁଠାରୁ ଇତିହାସ ପଢ଼ିଛନ୍ତି ମୁଁ ଜାଣିନାହିଁ, କିନ୍ତୁ ଏହି ବିଲ୍‌ ଦ୍ବାରା ସମ୍ବିଧାନର ମୂଳଭିତ୍ତି ଦୋହଲି ଯିବ ଏବଂ ଦୁଇ ରାଷ୍ଟ୍ରର ପରିକଳ୍ପନା ନିଶ୍ଚିତ ଭାବେ ସତ୍ୟ ହୋଇଯିବ।ଆଲୋଚନାରେ ଭାଗ ନେଇ ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଥିଲେ ଯେ ନାଗରିକତା ସଂଶୋଧନ ବିଲ୍‌ ସଂପୂର୍ଣ୍ଣ ଭାବେ ସମ୍ବିଧାନ ସମ୍ମତ ଏବଂ ନାଗରିକତା ଉପରେ ଆଇନ ତିଆରି କରିବା ଅଧିକାର ସଂସଦର ରହିଛି। ଶିବସେନା ନେତା ସଂଜୟ ରାଉତ କହିଥିଲେ ଯେ ବିଲ୍‌କୁ ବିରୋଧ କରୁଥିବା ଏବଂ ଭିନ୍ନ ମତ ରଖୁଥିବା ସଦସ୍ୟମାନଙ୍କୁ ଦେଶ ବିରୋଧୀ ବୋଲି କୁହାଯିବା ଗ୍ରହଣୀୟ ନୁହେଁ । ଏହି ଅଧିକାର ସରକାରଙ୍କୁ କିଏ ଦେଲା ବୋଲି ସେ ପ୍ରଶ୍ନ କରିଥିଲେ।

କଂଗ୍ରେସ ଉଠାଇଥିବା ପ୍ରଶ୍ନର ଜବାବ ଦେଇ ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ ଯେ ପାକିସ୍ତାନ ନେତାଙ୍କ ବୟାନ ଏବଂ କଂଗ୍ରେସ ନେତାଙ୍କ ବୟାନ ମଧ୍ୟରେ ଅନେକ ତାଳମେଳ ରହୁଛି। ମୋଦୀ ସରକାର ସମ୍ବିଧାନ ଉପରେ ଭରସା ରଖି କାର୍ଯ୍ୟ କରୁଛନ୍ତି ଏବଂ ଏହି ଦେଶ କେବେ ବି ମୁସ୍‌ଲିମ ମୁକ୍ତ ହେବନାହିଁ। ଆମେ ଆସାମ ଚୁକ୍ତିକୁ ସଂପୂର୍ଣ୍ଣ ପାଳନ କରିବୁ ଏବଂ ଆସାମ ସଂସ୍କୃତିର ସୁରକ୍ଷା ପାଇଁ ପ୍ରତିଶ୍ରୃତିବଦ୍ଧ ବୋଲି ଗୃହମନ୍ତ୍ରୀ ଶାହ କହିଥିଲେ।

ବିରୋଧୀ ଦଳ ପାକିସ୍ତାନର ଭାଷା କହୁଛନ୍ତି: ମୋଦୀ
ନାଗରିକତା ସଂଶୋଧନ ବିଲ୍‌କୁ ନେଇ ବିରୋଧୀ ଦଳମାନେ ଅଯଥା ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି ଏବଂ ସେମାନେ ପାକିସ୍ତାନର ଭାଷା କହୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ବିଜେପି ସଂସଦୀୟ ଦଳ ବୈଠକରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ନାଗରିକତା ସଂଶୋଧନ ବିଲ୍‌-୨୦୧୯ ଇତିହାସରେ ସ୍ବର୍ଣ୍ଣିମ ଅକ୍ଷରରେ ଲେଖାଯିବ ଏବଂ ଦେଶର ସ୍ଥିତିକୁ ଏହା ଆହୁରି ସୁଦୃଢ଼ କରିବ।

ଜିନ୍ନାଙ୍କ କବର ଉପରେ ଲେଖାଯିବ: ଡେରେକ୍‌ ଓବ୍ରେନ୍‌
ବିରୋଦୀ ଦଳ ନେତାମାନେ ପାକିସ୍ତାନର ଭାଷା କହୁଥିବା ନେଇ ପ୍ରଧାନମନ୍ତ୍ରୀଙ୍କ ଟିପ୍ପଣୀକୁ ଜୋର୍‌ଦାର ବିରୋଧ କରିଛି ଟିଏମ୍‌ସି। ରାଜ୍ୟସଭାରେ ଏହି ପ୍ରସଙ୍ଗ ଉଠାଇ ଟିଏମ୍‌ସି ନେତା ଡେରେକ୍‌ ଓବ୍ରେନ୍‌ କହିଥିଲେ ଯେ ଏହି ବିଲ୍‌ ବାବଦରେ ଇତିହାସରେ ସ୍ବର୍ଣ୍ଣିମ ଅକ୍ଷରରେ ଲେଖାଯିବ ନାହିଁ, ବରଂ ପାକିସ୍ତାନର ପ୍ରତିଷ୍ଠାତା ଜିନ୍ନାଙ୍କ କବର ଉପରେ ଏହା ଲେଖାଯିବ। ସରକାର ବିରୋଧୀ ଦଳମାନଙ୍କୁ ଦେଶବିରୋଧୀ ବୋଲି କହିବା ଉଚିତ ନୁହେଁ ବୋଲି ସେ କହିଥିଲେ।

ସର୍ଦ୍ଦାର ପଟେଲ ମୋଦୀଙ୍କୁ ଭେଟିଥିଲେ ରାଗି ଯାଇଥାନ୍ତେ
ସରକାରଙ୍କ ନାଗରିକତା ସଂଶୋଧନ ବିଲ୍‌ ଦେଶର ଆସ୍ଥା ଏବଂ ମାନବିକତା ଆଧାରିତ ନୀତିଗୁଡ଼ିକର ବରୁଦ୍ଧାଚରଣ କରୁଛି। ଏଭଳି ସ୍ଥିତିରେ ଯଦି ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦେଶର ପ୍ରଥମ ଗୃହମନ୍ତ୍ରୀ ସର୍ଦ୍ଦାର ପଟେଲ ଭେଟିଥାନ୍ତେ ତା’ହେଲେ ସେ ନିଶ୍ଚିତ ଭାବେ ତାଙ୍କର କ୍ରୋଧ ପ୍ରକାଶ କରିଥାନ୍ତେ ବୋଲି କଂଗ୍ରେସ ନେତା ଆନନ୍ଦ ଶର୍ମା ରାଜ୍ୟସଭାରେ କହିଛନ୍ତି। ଶର୍ମା କହିଛନ୍ତି ଯେ ଯଦି ମହାତ୍ମା ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଥାନ୍ତେ ତା’ହେଲେ ଏହି ବିଲ୍‌କୁ ନେଇ ଖୁବ୍‌ ଦୁଃଖିତ ହୋଇଥାନ୍ତେ।

ଏହା ପାକିସ୍ତାନର ସଂସଦ ନୁହେଁ: ସଂଜୟ ରାଉତ
ବିଲ୍‌କୁ ବିରୋଧ କରୁଥିବା ନେତାମାନେ ପାକିସ୍ତାନର ଭାଷା କହୁଛନ୍ତି ବୋଲି ପ୍ରଧାନମନ୍ତ୍ରୀଙ୍କ ବୟାନକୁ ବିରୋଧ କରି ଆଜି ଶିବସେନା ନେତା ସଂଜୟ ରାଉତ ରାଜ୍ୟସଭାରେ କହିଥିଲେ ଯେ ଆମେ ଦେଶବାସୀଙ୍କ ଉଦ୍‌ବେଗ ସହିତ ରହିଛୁ ଏବଂ ଲୋକଙ୍କ ପ୍ରଶ୍ନ ସଂସଦରେ ଉଠାଉଛୁ। ଏହା ପାକିସ୍ତାନର ସଂସଦ ନୁହେଁ ଏବଂ ଆମେ କେତେଦୂର କଠୋର ହିନ୍ଦୁତ୍ବରେ ବିଶ୍ବାସ ରଖୁ ତାହା ସମସ୍ତେ ଜାଣନ୍ତି ବୋଲି ରାଉତ କହିଥିଲେ।

ଉତ୍ତର ପୂର୍ବର ମୂଳ ସଂସ୍କୃତିକୁ ସଫା କରିଦେବ ସିଏବି: ରାହୁଲ ଗାନ୍ଧି
ମୋଦୀ-ଶାହ ସରକାରଙ୍କ ନାଗରିକତା ସଂଶୋଧନ ବିଲ୍‌ ଉତ୍ତର ପୂର୍ବର ମୂଳ ସଂସ୍କୃତିକୁ ସଫା କରିଦେବ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି। ଏହି ଅଂଚଳ ଉପରେ ଏବେ ଅପରାଧିକ ଆକ୍ରମଣ ହେଉଛି ଏବଂ ସରକାର ଏହାକୁ ପ୍ରୋତ୍ସାହନ ଦେଉଛନ୍ତି ବୋଲି ରାହୁଲ କହିଛନ୍ତି। ଉତ୍ତର ପୂର୍ବାଞ୍ଚଳ ଲୋକଙ୍କ ସହିତ କଂଗ୍ରେସ ଦୃଢ଼ ଭାବେ ରହିଛି ବୋଲି ସେ କହିଛନ୍ତି।

ରାଜ୍ୟସଭା ଟିଭି ପ୍ରସାରଣ ବନ୍ଦ ରଖିଲା!
ରାଜ୍ୟସଭାରେ ଆଜି ବିରୋଧୀ ଦଳମାନେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ବିଭିନ୍ନ ପ୍ରଶ୍ନ ଉଠାଇ ଘେରିବା ସମୟରେ ରାଜ୍ୟସଭା ଟିଭି ପ୍ରସାରଣ ବନ୍ଦ ରଖିଥିଲା। ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁଙ୍କ ନିର୍ଦ୍ଦେଶକ୍ରମେ ପ୍ରସାରଣ ବନ୍ଦ ରଖାଯାଇଥିବା କୁହାଯାଉଛି। ତେବେ ଏ ନେଇ ରାଜ୍ୟସଭା ଟିଭି ପକ୍ଷରୁ ସ୍ଥିତି ସ୍ପଷ୍ଟ କରାଯାଇନାହିଁ।

ସମ୍ବନ୍ଧିତ ଖବର