ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗନେଲା ବିଜେଡି : ଫୋକସ୍‌ ରାଜ୍ୟ, ଆର୍ଥିକ ଅନୁଦାନ ପ୍ରସଙ୍ଗ ଉଠାଇଲା

ପୁରୀକୁ ସାଂସ୍କୃତିକ ରାଜଧାନୀ ପ୍ରତିଷ୍ଠା ପାଇଁ ଅନୁଦାନ ମିଳୁ
ବକେୟା ଜିଏସ୍‌ଟି କ୍ଷତିପୂରଣ, କ୍ଲିନ୍ ଏନର୍ଜି ସେସ୍ ଅର୍ଥ ଦିଅ

ନୂଆଦିଲ୍ଲୀ : ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଜି ଲୋକସଭାରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ଆରମ୍ଭ ହୋଇଛି। ବିଜେଡି ସାଂସଦ ଆଲୋଚନାରେ ଭାଗ ନେଇ ଫୋକସ୍‌ ରାଜ୍ୟ ମାନ୍ୟତା ଏବଂ ଆର୍ଥିକ ଅନୁଦାନ ଭଳି ଓଡ଼ିଶାର ସ୍ବାର୍ଥ ସମ୍ପର୍କିତ କେତେକ ପ୍ରସଙ୍ଗ ଉତ୍‌ଥାପନ କରିଛନ୍ତି।

ବିଜେଡି ପକ୍ଷରୁ ଏହି ଆଲୋଚନାରେ ଭାଗନେଇଥିଲେ ସଂସଦୀୟ ଦଳ ନେତା ପିନାକୀ ମିଶ୍ର। ସେ କହିଥିଲେ, ଗତ ୮ ବର୍ଷ ମଧ୍ୟରେ ଓଡ଼ିଶା ୫ଟି ପ୍ରଳୟଙ୍କରୀ ବାତ୍ୟାର ସମ୍ମୁଖୀନ ହୋଇଛି। ଯାହାକି, ଓଡ଼ିଶାର ବିକାଶକୁ ୧୫ରୁ ୨୦ ବର୍ଷ ପଛକୁ ନେଇଯାଇଛି। ଏହାକୁ ଦୃଷ୍ଟିରେ ରଖି ‘ଫୋକସ୍‌ ରାଜ୍ୟ’ର ମାନ୍ୟତା ଦେବା ପାଇଁ ଓଡ଼ିଶା ପକ୍ଷରୁ ଦାବି କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖିଥିଲେ। ମାତ୍ର, ଓଡ଼ିଶା ଭଳି ପ୍ରାକୃତିକ ବିପର୍ଯ୍ୟୟ ରାଜ୍ୟମାନଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟ ଅବଧି ପାଇଁ ଫୋକସ୍ ରାଜ୍ୟର ମାନ୍ୟତା ପାଇଁ ହେଉଥିବା ଦାବି ଉପରେ ରାଷ୍ଟ୍ରପତିଙ୍କ ଅଭିଭାଷଣରେ କୌଣସି ଉଲ୍ଲେଖ କରାଯାଇ ନାହିଁ। ଫୋକସ୍ ରାଜ୍ୟର ମାନ୍ୟତା ଅନ୍ତର୍ଗତ ରାଜ୍ୟକୁ କେନ୍ଦ୍ର ୮୦ ଓ ରାଜ୍ୟ ୨୦ ଅନୁପାତରେ କିମ୍ବା କେନ୍ଦ୍ର ୯୦ ରାଜ୍ୟ ୧୦ ଅନୁପାତରେ ଅନୁଦାନ ମଞ୍ଜୁରି କରାଯାଇ ପାରିଲେ, ରାଜ୍ୟରେ କ୍ଷତିଗ୍ରସ୍ତ ଭିତ୍ତିଭୂମିର ପୁନଃନିର୍ମାଣରେ ପ୍ରଗତି ଆସିପାରନ୍ତା ବୋଲି ସାଂସଦ ଶ୍ରୀ ମିଶ୍ର ଉଲ୍ଲେଖ କରିଥିଲେ।

ଅର୍ଥ କମିସନରଙ୍କ ସୁପାରିସରୁ କ୍ରମାଗତ ଭାବେ ଓଡ଼ିଶାକୁ ଅନୁଦାନ ପରିମାଣ କମ୍‌ ଆସୁଛି। ଏଥିରେ ଉଦ୍‌ବେଗ ପ୍ରକାଶ କରି ସାଂସଦ ଶ୍ରୀ ମିଶ୍ର କହିଥିଲେ ‌େଯ, ଚତୁର୍ଦ୍ଦଶ ଅର୍ଥ କମିସନ ୪୮ ହଜାର କୋଟି ଟଙ୍କାର ଆବଣ୍ଟନ ରାଜ୍ୟକୁ କରିଥିବା ବେଳେ ଗତ ସରକାରଙ୍କ ସମୟରେ ଭୋଟ ଆଣ୍ଡ୍‌ ଆକାଉଣ୍ଟ ସମୟରେ ୩୯ ହଜାର କୋଟି, ଦ୍ବିତୀୟ ପାଳିର ପୂର୍ଣ୍ଣାଙ୍ଗ ବଜେଟ୍ ସମୟରେ ୩୭ ହଜାର କୋଟି ଏବଂ ନିକଟରେ ଘୋଷଣା ହୋଇଥିବା ବଜେଟରେ ଏହା ୩୦ ହଜାର କୋଟି ଟଙ୍କାକୁ ଖସି ଆସିଛି। ରାଜ୍ୟର ଆର୍ଥିକ ବ୍ୟବସ୍ଥା ବ୍ୟବସ୍ଥିତ ଥିବା ବେଳେ ରାଜ୍ୟକୁ ଅନୁଦାନ ହ୍ରାସ କରାଯାଇ ଦଣ୍ଡିତ କରାଯାଉଛି ବୋଲି ସେ କହିଥିଲେ। ଏ ସମ୍ପର୍କରେ ମଧ୍ୟ ରାଷ୍ଟ୍ରପତିଙ୍କ ଭାଷଣରେ କିଛି ଉଲ୍ଲେଖ କରାଯାଇନଥିବା ସେ ଉଲ୍ଲେଖ କରିବା ସହ ଆର୍ଥିକ ସ୍ଥିତିରେ ସହାୟକ କରିବା ପାଇଁ ପଦକ୍ଷେପ ନେବା ସକାଶେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଗତ ୫ ମାସରୁ ଜିଏସ୍‌ଟି କ୍ଷତିପୂରଣ ବାବଦରେ ରାଜ୍ୟର ଅଂଶ ସମ୍ପର୍କିତ ଅର୍ଥ ଅଂଶ ମଞ୍ଜୁରି କରାଯାଇନଥିବା ମଧ୍ୟ ସାଂସଦ ଶ୍ରୀ ମିଶ୍ର ଭାଷଣରେ ସୂଚେଇଥିଲେ।

ଏଥିସହିତ, ସାଂସଦ ଶ୍ରୀ ମିଶ୍ର କହିଥିଲେ ଯେ, ଖଣି କାର୍ଯ୍ୟ ଦ୍ବାରା ଦେଶ ଓ ଅନ୍ୟ ରାଜ୍ୟ ଲାଭ ପାଉଛନ୍ତି। ସେହି ତୁଳନାରେ ଓଡ଼ିଶା କ୍ଷତିଗ୍ରସ୍ତ ହେଉଛି। ଏହାର କ୍ଷତିପୂରଣ ବାବଦକୁ ରାଜ୍ୟକୁ କ୍ଲିନ୍ ଏନର୍ଜି ସେସ୍ ମିଳୁ । ଗତ ୮-୧୦ ବର୍ଷରୁ ରାଜ୍ୟ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ କୋଇଲା ରୟାଲିଟି ବୃଦ୍ଧି ପାଇଁ ଦାବି କରିଆସୁଛନ୍ତି। ହେଲେ ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ନ୍ୟାଯ୍ୟ ଦାବିକୁ ବିଚାର କରାଯାଇ ନାହିଁ। ଏ ସମ୍ପର୍କରେ ମଧ୍ୟ ରାଷ୍ଟ୍ରପତି ତାଙ୍କ ଭାଷଣରେ କିଛି ଉଲ୍ଲେଖ କରିନାହାନ୍ତି।

ସେହିଭଳି ସାଂସଦ ଶ୍ରୀ ମିଶ୍ର କହିଥିଲେ, ୨୦୨୦-୨୧ ବଜେଟ୍‌ରେ ଘୋଷଣା କରାଯାଇଥିବା ୫ଟି ଐତିହ୍ୟ ସ୍ଥଳୀର ବିକାଶ ତାଲିକାରେ ଓଡ଼ିଶାର କୌଣସି ସ୍ଥାନକୁ ଉଲ୍ଲେଖ କରାଯାଇ ନାହିଁ। ଓଡ଼ିଶାରେ ୩୮ ପ୍ରତିଶତ ଆଦିବାସୀ ଜନସଂଖ୍ୟା ଥିବା ବେଳେ ରାଜ୍ୟରେ ଆଦିବାସୀ ସଂଗ୍ରାହଳୟ ପ୍ରତିଷ୍ଠା କରାଯାଇନାହିଁ ବୋଲି ସେ କହିଥିଲେ। ଏଥିସହିତ, ପୁରୀକୁ ସାଂସ୍କୃତିକ ରାଜଧାନୀ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ସ୍ବତନ୍ତ୍ର ଆର୍ଥିକ ଅନୁଦାନ ଦିଅନ୍ତୁ ବୋଲି ସେ ଦାବି କରିଥିଲେ।

ସମ୍ବନ୍ଧିତ ଖବର