ନୂଆଦିଲ୍ଲୀ: ଆଜି ସଂସଦର ସ୍ବତନ୍ତ୍ର ଅଧିବେଶନର ତୃତୀୟ ଦିନରେ ଲୋକସଭାରେ ମହିଳା ସଂରକ୍ଷଣ ବିଲ୍‌ ଉପରେ ୮ ଘଣ୍ଟା ଆଲୋଚନା ହୋଇଛି। ବିଲ୍‌ ଉପରେ ଆଲୋଚନା ସମୟରେ ବିଜେପି ଏବଂ କଂଗ୍ରେସ ମୁହାଁମୁହିଁ ହୋଇଥିଲେ। ପୂର୍ବତନ କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧି ବିରୋଧୀ ଦଳ ପକ୍ଷରୁ ବିତର୍କ ଆରମ୍ଭ କରି ଓବିସି (ଅନ୍ୟାନ୍ୟ ପଛୁଆ ଶ୍ରେଣୀ) ପାଇଁ ସଂରକ୍ଷଣ ଦାବି କରିବା ସହ ମହିଳା ସଂରକ୍ଷଣ ବିଲ୍‌ ତୁରନ୍ତ କାର୍ଯ୍ୟକାରୀ କରିବାପାଇଁ ଦାବି କରିଥିଲେ। ସୋନିଆ କହିଥିଲେ ଯେ, କଂଗ୍ରେସ ଦଳ ପକ୍ଷରୁ ମୁଁ ଏଠାରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ସମର୍ଥନରେ ଠିଆ ହୋଇଛି। ଦୀର୍ଘ ବର୍ଷର ସଂଘର୍ଷ ପରେ ପରିଶେଷରେ ମହିଳା ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିଛନ୍ତି। କିନ୍ତୁ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ସହ କଂଗ୍ରେସ ଦଳ ଓବିସି ବର୍ଗର ମହିଳାଙ୍କ ପାଇଁ ସଂରକ୍ଷଣ ଦାବି କରୁଛି। ସୋନିଆ କହିଛନ୍ତି, ବିଲ୍‌ ସଂକ୍ରାନ୍ତରେ କିଛି ମତ ରଖିବା ତାଙ୍କ ପାଇଁ ଏକ ଭାବପ୍ରବଣ ମୁହୂର୍ତ୍ତ। କାରଣ ତାଙ୍କ ସ୍ବାମୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି ପ୍ରଥମେ ପୌର ନିର୍ବାଚନ ସମୟରେ ମହିଳାଙ୍କ ପାଇଁ ସଂରକ୍ଷଣ ବିଲ୍‌ ଆଗତ କରିଥିଲେ। କିନ୍ତୁ ରାଜୀବ ଗାନ୍ଧିଙ୍କ ଏହି ସ୍ବପ୍ନ ଅଧାରେ ରହି ଯାଇଥିଲା। ବିଲ୍‌ ଗୃହୀତ ହେବା ସହ ରାଜୀବଙ୍କ ସ୍ବପ୍ନ ସାକାର ହେବ ବୋଲି ସେ କହିଛନ୍ତି।

Advertisment

ଓବିସି ପାଇଁ ସଂରକ୍ଷଣ ଦାବି କଲା କଂଗ୍ରେସ
ବିଲ୍‌କୁ ମୋଦୀ ସରକାର ଆଗତ କରିଥିବାରୁ କଂଗ୍ରେସ ସହ୍ୟ କରିପାରୁନାହିଁ: ବିଜେପି

ସୋନିଆ କହିଛନ୍ତି, ମହିଳାଙ୍କୁ ସେମାନଙ୍କ ଅଧିକାର ପାଇଁ ଲମ୍ବା ସମୟ ଅପେକ୍ଷା କରିବାକୁ କୁହାଯାଇଛି। ତେବେ ସେମାନେ କେତେବର୍ଷ ଅପେକ୍ଷା କରିବେ। ୨ବର୍ଷ, ୪ ବର୍ଷ ନା ୮ ବର୍ଷ। ଏହା କେତେଦୁର ଠିକ୍‌। ବିଲ୍‌ ତୁରନ୍ତ କାର୍ଯ୍ୟକାରୀ କରିବାପାଇଁ କଂଗ୍ରେସ ଦାବି କରୁଛି। ଆଗୁଆ ଜନଗଣନା ହେବା ସହ ଏସ୍‌ସି, ଏସ୍‌ଟି ଏବଂ ଓବିସି ସମ୍ପ୍ରଦାୟରେ ମହିଳାଙ୍କ ପାଇଁ ସଂରକ୍ଷଣ ଆଣିବାକୁ ବ୍ୟବସ୍ଥା କରାଯିବା ଉଚିତ। ସରକାର ଏଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଉଚିତ। ଏଥିରେ ବିଳମ୍ବ କଲେ ଏହା ମହିଳାଙ୍କ ପାଇଁ ଏକ ବଡ଼ ଧରଣର ଅନ୍ୟାୟ ହେବ ବୋଲି ସୋନିଆ କହିଛନ୍ତି। ତେବେ ସୋନିଆଙ୍କୁ ଜବାବ ଦେଇ ବିଜେପି ସାଂସଦ ନିଶିକାନ୍ତ ଦୁବେ କହିଛନ୍ତି, ବିଲ୍‌ରେ ଏସ୍‌ସି ଏବଂ ଏସ୍‌ଟି ଶ୍ରେଣୀର ମହିଳାଙ୍କ ପାଇଁ ସଂରକ୍ଷଣ ରଖିବାକୁ ପ୍ରସ୍ତାବ ରହିଛି। ଦୁବେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ଏହି ବିଲ୍‌ ଆଗତ କରିବାର ସାହସ କରିଥିବାରୁ କଂଗ୍ରେସ ଏବଂ ବିରୋଧୀମାନେ ଏଥିରେ ଅସନ୍ତୁଷ୍ଟ ଅଛନ୍ତି ଏବଂ ସହ୍ୟ କରିପାରୁନାହାନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ବିଲ୍‌ ଗୃହୀତ କରିବାପାଇଁ ସ୍ବତନ୍ତ୍ର ଅଧିବେଶନ ଡାକିଥିବାରୁ ଆମେ ଗର୍ବିତ। କଂଗ୍ରେସ ଉପରେ ବର୍ଷି ଦୁବେ କହିଛନ୍ତି, ଦେଶ ସମ୍ବିଧାନରେ ଚାଲିଛି। ସେମାନେ ପଞ୍ଚାୟତ ଏବଂ ପୌର ନିର୍ବାଚନରେ ମହିଳାଙ୍କ ପାଇଁ ସଂରକ୍ଷଣ ଦାବି କରି ବିଲ୍‌ ଆଣି ନିଜକୁ ପ୍ରଶଂସା କରିବାରେ ଲାଗି ପଡ଼ିଛନ୍ତି। ତେବେ ସେମାନେ କେବେ ବି ଓବିସି ସଂରକ୍ଷଣ କଥା କହିନାହାନ୍ତି। କେବଳ ରାଜନୈତିକ ଫାଇଦା ପାଇଁ ଏବେ ସେମାନେ ନୂଆ କଥା କହୁଛନ୍ତି।