ଡେବିଟ୍‌ କାର୍ଡଧାରୀ ଜୁନ୍‌ ୩୦ ପର୍ଯ୍ୟନ୍ତ ସମସ୍ତ ବ୍ୟାଙ୍କ୍‌ର ଏଟିଏମ୍‌ରୁ ଟଙ୍କା ଉଠାଇ ପାରିବେ: ପାନ୍‌-ଆଧାର ଲିଙ୍କ୍‌ ସମୟ ସୀମା ମଧ୍ୟ ଜୁନ୍‌ ୩୦କୁ ବୃଦ୍ଧି

ନୂଆଦିଲ୍ଲୀ: ସଂପ୍ରତି କରୋନା ଭାଇରସ୍‌କୁ କେନ୍ଦ୍ରକରି ସମଗ୍ର ଦେଶରେ ଏକ ଅଦ୍ଭୂତପୂର୍ବ ପରିସ୍ଥିତି ସୃଷ୍ଟି ହୋଇଛି। କରୋନା ଭାଇରସ୍‌ର ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଲକ୍‌ ଆଉଟ୍‌ ଠାରୁ ଆରମ୍ଭ କରି କର୍ଫ୍ୟୁ ପର୍ଯ୍ୟନ୍ତ ଘୋଷଣା କରିଥିବା ବେଳେ ସମଗ୍ର ଦେଶରେ ଜୀବନ ଯାତ୍ରା ଏକରକମ ଠପ୍‌ ହୋଇପଡ଼ିଛି

ସାଂପ୍ରତିକ ସ୍ଥିତି ଓ ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣଙ୍କ ଏହି ନୂତନ ଘୋଷଣା ଅନୁଯାୟୀ ଯେ କୌଣସି ବ୍ୟାଙ୍କ୍‌ର ଡେବିଟ୍‌ କାର୍ଡଧାରୀମାନେ ଆସନ୍ତା ଜୁନ୍‌ ୩୦ ତାରିଖ ୨୦୨୦ ପର୍ଯ୍ୟନ୍ତ ଯେ କୌଣସି ବ୍ୟାଙ୍କ୍‌ର ଏଟିଏମ୍‌କୁ ବ୍ୟବହାର କରିପାରିବେ। ଏଥିପାଇଁ ସେମାନଙ୍କୁ କୌଣସି ପ୍ରକାରର ଅତିରିକ୍ତ ଦେୟ ପ୍ରଦାନ କରିବାକୁ ପଡ଼ିବ ନାହିଁ।

ସେହିପରି ପାନ୍‌ କାର୍ଡକୁ ଆଧାର ସହ ଲିଙ୍କ୍‌ କରିବା ପାଇଁ ଶେଷ ସମୟ ସୀମା ମାର୍ଚ୍ଚ ୩୧ ତାରିଖକୁ ଧାର୍ଯ୍ୟ କରା ଯାଇଥିବା ବେଳେ ଏବେ ଏହାକୁ ମଧ୍ୟ ଆସନ୍ତା ଜୁନ୍‌ ୩୦ ପର୍ଯ୍ୟନ୍ତ ବଢ଼ାଇ ଦିଆ ଯାଇଥିବା ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

ସମ୍ବନ୍ଧିତ ଖବର