ନୂଆଦିଲ୍ଲୀ: ୨୦୧୬ରେ ବଙ୍ଗୋପସାଗରରେ ନିଖୋଜ ହୋଇଥିବା ଭାରତୀୟ ବାୟୁସେନାର ଏଏନ୍‌-୩୨ ବିମାନର ଭଗ୍ନାବଶେଷ ନିକଟରେ ଚେନ୍ନାଇ ଉପକୂଳର ୩୧୦ କିଲୋମିଟର ଦୂରରୁ ଉଦ୍ଧାର କରାଯାଇଛି। ଏହି ବିମାନରେ ୨୯ ଜଣ ଯବାନ ଥିଲେ।

Advertisment

ଶୁକ୍ରବାର ସରକାରଙ୍କ ପକ୍ଷରୁ ଜାରି କରା ଯାଇଥିବା ଏକ ପ୍ରେସ୍‌ ବିଜ୍ଞପ୍ତି ଅନୁଯାୟୀ, ଚେନ୍ନାଇ ଉପକୂଳଠାରୁ ପ୍ରାୟ ୩୧୦ କିଲୋମିଟର ଦୂର ସମୁଦ୍ର ପତନରେ ଦୁର୍ଘଟଣାଗ୍ରସ୍ତ ବିମାନର ଭଗ୍ନାବଶେଷର ଫଟୋ କଏଦ ହୋଇଥିଲା। ଏହି ଫଟୋକୁ ଯାଞ୍ଚ କରାଯିବା ପରେ ଏହା ଏକ ଏଏନ୍‌-୩୨ ବିମାନ ସହ ମେଳ ଖାଉଥିବା ଜଣା ପଡ଼ିଥିଲା। ଯେଉଁସ୍ଥାନରୁ ଦୁର୍ଘଟଣାଗ୍ରସ୍ତ ବିମାନର ଭଗ୍ନାବଶେଷର ଫଟୋ କଏଦ ହୋଇଥିଲା, ସେହି ଅଞ୍ଚଳରେ ଅନ୍ୟ କୌଣସି ନିଖୋଜ ବିମାନର ଇତିହାସ ନାହିଁ। ସମ୍ଭବତଃ ଦୁର୍ଘଟଣା ଗ୍ରସ୍ତ ବାୟୁସେନା ଏଏନ୩୨ (କେ -୨୭୪୩)ର ଭଗ୍ନାବଶେଷକୁ ଦର୍ଶାଉଛି।

ଉଲ୍ଲେଖଯୋଗ୍ୟ, ୨୦୧୬ ଜୁଲାଇ ୨୨ ତାରିଖ ସକାଳେ ଚେନ୍ନାଇର ତାମ୍ବାରାମ ବାୟୁସେନା ଷ୍ଟେସନରୁ ଭାରତୀୟ ବାୟୁସେନାର ଆଣ୍ଟୋନୋଭ ଏଏନ୍‌-୩୨ ବିମାନ ଉଡ଼ାଣ ଭରିଥିଲା। ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ପୋର୍ଟ ବ୍ଲେୟାରକୁ ସାପ୍ତାହିକ ଭ୍ରମଣରେ ଯାଇଥିବା ଏହି ପରିବହନ ବିମାନରେ କର୍ମଚାରୀଙ୍କ ସମେତ ୨୯ ଜଣ ଥିଲେ।
ସକାଳ ପ୍ରାୟ ୮ଟାରେ ବିମାନଟି ଚେନ୍ନାଇରୁ ଉଡ଼ାଣ ଭରି ପୋର୍ଟ ବ୍ଲେୟାରସ୍ଥିତ ଭାରତୀୟ ନୌସେନା ବାୟୁସେନା ଷ୍ଟେସନ ଆଇଏନଏସ ଉତ୍କର୍ଷରେ ଅବତରଣ କରିବାର ଥିଲା।

ହେଲେ, ଉଡ଼ାଣ ଭରିବାର କିଛି ସମୟ ପରେ ବିମାନଟି ବଙ୍ଗୋପସାଗର ଉପରେ ଥିବା ବେଳେ ସମସ୍ତ ଯୋଗାଯୋଗ ହରାଇ ରାଡାରରୁ ନିଖୋଜ ହୋଇଯାଇଥିଲା। ଏହି ବିମାନ ନିଖୋଜ ହେବା ପରେ ସଶସ୍ତ୍ର ବାହିନୀ ସମୁଦ୍ରରେ ନିଖୋଜ ହୋଇଥିବା ବିମାନ ପାଇଁ ଭାରତର ସର୍ବବୃହତ ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ ମିଶନ ଆରମ୍ଭ କରିଥିଲା। ହେଲେ, ନିଖୋଜ ବିମାନର କୌଣସି ଖୋଜ ଖବର ମିଳି ନଥିଲା।

୨୦୧୬ ସେପ୍ଟେମ୍ବର ୧୫ ତାରିଖରେ ଭାରତୀୟ ବାୟୁସେନା ଶେଷରେ ସବୁ ଆଶା ହରାଇ ଦେଇଥିଲା। ଏଏନ-୩୨ କେ୨୭୪୩ ବିମାନରେ ଥିବା ସମସ୍ତ ୨୯ ଜଣଙ୍କ ପରିବାର ସଦସ୍ୟଙ୍କୁ ଚିଠି ଲେଖି ବାୟୁସେନା କହିଥିଲା ଯେ ନିଖୋଜ ବିମାନକୁ ଠାବ କରିବାରେ ବିଫଳ ହୋଇଛି ଏବଂ ବିମାନରେ ଥିବା ଯାତ୍ରୀଙ୍କୁ ମୃତ ଘୋଷଣା କରିବା ବ୍ୟତୀତ ତାଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ। ଏବେ ମିଲି ସେହି ବିମାନର ଭଗ୍ନାବଶେଷ।