ଋଣ ପରିମାଣ ବଢ଼ିଯାଇଛି: କେବଳ ଶ୍ରୀଲଙ୍କା ନୁହେଁ, ଏମାନେ ବି ଭୋଗିବେ

ସୁଧ ପରିଶୋଧରେ ଯାଉଛି ରାଜସ୍ବ, ଖିଲାପୀ ପାଲଟି ଯାଇପାରନ୍ତି

ନୂଆଦିଲ୍ଲୀ: ବିଶ୍ବର ଅନେକ ବିକାଶଶୀଳ ଓ ଅବିକଶିତ ରାଷ୍ଟ୍ର ଏବେ ଗୁରୁତର ଆର୍ଥିକ ସଂକଟ ଦେଇ ଗତି କରୁଛନ୍ତି। ଦେଶର ଋଣବୋଝ ବୃଦ୍ଧି ସହିତ ବିଦେଶୀ ମୁଦ୍ରା ଭଣ୍ଡାର ‌ଖାଲି ହୋଇଯିବା ଆଦି କାରଣ ଏସବୁ ଦେଶଗୁଡ଼ିକର ଆର୍ଥିକ ସ୍ଥିତିକୁ ବିଗାଡ଼ି ଦେଇଛି। ଶ୍ରୀଲଙ୍କାରେ ଏଥିରୁ ଗୋଟିଏ। ଏଠାରେ ରାଜନୈତିକ ଅସ୍ଥିରତା ଓ ହିଂସା ଦେଖାଦେଇଛି। କିନ୍ତୁ କେବଳ ଶ୍ରୀଲଙ୍କା ନୁହେଁ, ବିଶ୍ବର ଅନ୍ୟ କେତେକ ଦେଶ ମଧ୍ୟ ଏଭଳି ସ୍ଥିତିର ସାମ୍ନା କରୁଛନ୍ତି। ଲେବାନନ, ଋଷିଆ, ସୁରିନେମ ଏବଂ ଜାମ୍ବିଆ ଆଦି ଦେଶ ଋଣ ପରିଶୋଧ କରିବାରେ ଅସମର୍ଥ ହୋଇଛନ୍ତି। ବେଲାରୁଷ୍‌ ଏଭଳି ସ୍ଥିତିର ଦ୍ବାରଦେଶରେ ରହିଛି। ଏଥିସହିତ ଆଉ ଏକ ଡଜନ ଦେଶ ଏବେ ବିପଦପୂର୍ଣ୍ଣ ସ୍ଥିତି ଦେଇ ଗତି କରୁଛନ୍ତି। ଏସବୁ ଦେଶରେ ମୁଦ୍ରାସ୍ଫୀତି ଉଚ୍ଚସ୍ତରରେ ରହିଛି। ଋଣବୋଝ ଏତେମାତ୍ରାରେ ବଢ଼ିଯାଇଛି ଯେ ଅର୍ଥନୀତି ଭୂଶୁଡ଼ି ପଡ଼ିବାର ଆଶଙ୍କା ସୃ‌ଷ୍ଟି ହୋଇଛି।

ବିଶେଷଜ୍ଞଙ୍କ କହିବାନୁଯାୟୀ, ଏସବୁ ଦେଶଙ୍କ ମୋଟ ଋଣ ବର୍ତ୍ତମାନ ପାଖାପାଖି ୪୦,୦୦୦ କୋଟି ଆମେରିକୀୟ ଡଲାରରେ ପହଞ୍ଚିଛି। ସବୁଠୁ ଖରାପ ସ୍ଥିତିରେ ଦକ୍ଷିଣ ଆମେରିକୀୟ ଦେଶ ଆର୍ଜେଣ୍ଟିନା ରହିଛି। ଆର୍ଜେଣ୍ଟିନାର ମୋଟ ‌ଋଣ ୧୫୦୦୦ କୋଟି ଡଲାରରୁ ଅଧିକ ରହିଛି। ଏହି ଦେଶ ପଛକୁ ଇକ୍ବେଡର ଓ ଇଜିପ୍ଟ ରହିଛନ୍ତି। ଏମାନଙ୍କର ଋଣ‌ବୋଝ ୪୦୦୦ରୁ ୪୫୦୦ କୋଟି ଡଲାର ମଧ୍ୟରେ ରହିଛି। ଉପରୋକ୍ତ ଦେଶଗୁଡ଼ିକ ମଧ୍ୟରୁ ଅଧିକାଂଶ ଦେଶ ଋଣ ପରିଶୋଧ କରିବାରେ ବିଫଳ ହେବାର ସମ୍ଭାବନା ସୃ୍ଷ୍ଟି ହୋଇଛି। ଏସିଆ ଠାରୁ ଆରମ୍ଭ କରି ୟୁରୋପ, ଆଫ୍ରିକା ଏବଂ ଦକ୍ଷିଣ ଆମେରିକାର ଯେଉଁସବୁ ଦେଶ ଗୁରୁତର ଆର୍ଥିକ ସଂକଟ ଦେଇ ଗତି କରୁଛନ୍ତି ସେମାନଙ୍କ ସ୍ଥିତି ନିକଟ ଭବିଷ୍ୟତରେ ଆହୁରି ଗମ୍ଭୀର ହେବାର ଆଶଙ୍କା ରହିଛି।

ଆର୍ଜେଣ୍ଟିନା: ଆର୍ଜେଣ୍ଟିନାର ମୁଦ୍ରା ପେସୋ ଏବେ କଳା ବଜାରରେ ୫୦ ପ୍ରତିଶତ ରିହାତି ମୂଲ୍ୟରେ ବିକ୍ରି ହେଉଛି। ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ବି ଅତି ନିମ୍ନ ସ୍ତରକୁ ଖସିଯାଇଛି। ବଣ୍ଡ୍ ଗୁଡ଼ିକର ମୂଲ୍ୟ ଦେଶର ୨୦୨୦ ଋଣ ପୁନର୍ଗଠନ ସମୟରେ ଯାହା ଥିଲା ଏବେ ତାହାର ଅଧା ମୂଲ୍ୟରେ ବିକ୍ରି ହେଉଛି। ସରକାରଙ୍କ ନିକଟରେ ଋଣ ପରିଶୋଧ ପାଇଁ ଅର୍ଥ ଯୋଗାଡ଼ କରିବା ବି କଷ୍ଟକର ହୋଇପଡ଼ିଛି। ଫଳରେ ଆଗାମୀ ଦିନରେ ଆର୍ଜେଣ୍ଟିନା ସରକାର ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମଏଫ) ନିକଟକୁ ପାଣ୍ଠି ପାଇଁ ଯିବାର ସମ୍ଭାବନା ସୃଷ୍ଟି ହୋଇଛି।

ୟୁକ୍ରେନ: ରୁଷ୍ ଆକ୍ରମଣ କରିବା ପରେ ୟୁକ୍ରେନ ସରକାରଙ୍କ ଆର୍ଥିକ ସ୍ଥିତି ବିଗିଡ଼ିଯାଇଛି। ୨୦୦୦ କୋଟି ଡଲାର ମୂଲ୍ୟର ଋଣକୁ ‌ୟୁ‌କ୍ରେନକୁ ପୁନର୍ଗଠନ କରିବାକୁ ହେବ। ଆସନ୍ତା ସେପ୍ଟେମ୍ବରରେ ୧୨୦ ବିଲିଅନ ଡଲାରର ବଣ୍ଡ୍ ପରିଶୋଧ ସମୟରେ ସ୍ଥିତି ୟୁକ୍ରେନର ସ୍ଥିତି ଜଟିଳ ହେବ।

ଟ୍ୟୁନିସିଆ: ଆଫ୍ରିକାର ଅନେକ ଦେଶ ସମସ୍ୟାରେ ଥିଲେ ମଧ୍ୟ ଟ୍ୟୁନିସିଆ ସ୍ଥିତି ଅଧିକ ଜଟିଳ ରହିଛି। ସରକାରଙ୍କ ବଜେଟ୍ ନିଅଣ୍ଟ ପାଖାପାଖି ୧୦ ପ୍ରତିଶତ ରହିଛି। ଟ୍ୟୁନିସିଆ ସରକାର ପାଣ୍ଠି ସଂଗ୍ରହ ପାଇଁ ବଣ୍ଡ୍ ଉପରେ ସୁଧ ହାର ବହୁମାତ୍ରାରେ ବା ୨୮ ପ୍ରତିଶତ ବଢ଼ାଇ ଦେଇଛନ୍ତି। ମର୍ଗାନ ଷ୍ଟାନଲେ ପକ୍ଷରୁ ଯେଉଁ ଶୀର୍ଷ ୩ଟି ଋଣ ଖିଲାପୀ ‌ଦେଶ ତାଲିକା ପ୍ରସ୍ତୁତ କରାଯାଇଛି ସେଥିରେ ଟ୍ୟୁନିସିଆ ରହିଛି।

ଘାନା: ଘାନା ସରକାର ବିପୁଳ ପରିମାଣର ଋଣ କରିବା ଯୋଗୁ ଏହି ଦେଶର ଋଣ ଜିଡିପି ଅନୁପାତ ପାଖାପାଖି ୮୫ ପ୍ରତିଶତରେ ପହଞ୍ଚିଛି। ଏହି ଦେଶର ମୁଦ୍ରା ‘ସେଡି’ ଚଳିତବର୍ଷ ପାଖାପାଖି ୨୫ ପ୍ରତିଶତ ଦୁର୍ବଳ ହୋଇଛି। ଋଣ ବାବଦ ସୁଧ ପରିଶୋଧରେ ଏହି ଦେଶ ୫୦ ପ୍ରତିଶତ ଅଧିକ ଟିକସ ରାଜସ୍ବ ବ୍ୟୟ କରୁଛି। ଘାନାରେ ମୁଦ୍ରାସ୍ଫୀତି ମଧ୍ୟ ପାଖାପାଖି ୩୦ ପ୍ରତିଶତ ରହିଛି।

ଇଜିପ୍ଟ: ଇଜିପ୍ଟର ଋଣ ଜିଡିପି ଅନୁପାତ ପାଖାପାଖି ୯୫ ପ୍ରତିଶତ ରହିଛି। ଚଳିତବର୍ଷ ଇଜିପ୍ଟରୁ ପାଖାପାଖି ୧୧ ବିଲିଅନ ଡଲାର ମୂଲ୍ୟର ବିଦେଶୀ ମୁଦ୍ରା ବିଦେଶକୁ ପଳାଇଛି। ଏକ ସଂସ୍ଥାର ଆକଳନ ଅନୁଯାୟୀ ଇଜିପ୍ଟକୁ ଆସନ୍ତା ୫ ବର୍ଷ ମଧ୍ୟରେ ୧୦୦ ବିଲିଅନ ଡଲାରର ଋଣ ପରିଶୋଧ କରିବାକୁ ହେବ।
କେନିୟା: କେନିୟା ଏହାର ମୋଟ ରାଜସ୍ବର ପ୍ରାୟ ୩୦ ପ୍ରତିଶତ ସୁଧ ପରିଶୋଧ ବାବଦରେ ବ୍ୟୟ କରୁଛି। ମୁଡିସ୍‌ର ଡେଭିଡ ରୋଗୋଭିକଙ୍କ କହିବାନୁଯାୟୀ, କେନିୟା ସହିତ ଇଜିପ୍ଟ, ଟ୍ୟୁନିସିଆ ଏବଂ ଘାନାର ଆର୍ଥିକ ସ୍ଥିତି ଅଧିକ ସଂକଟମୟ ରହିଛି।

ପାକିସ୍ତାନ: ପାକିସ୍ତାନ ଚଳିତ ସପ୍ତାହରେ ଆଇଏମଏଫ ସହିତ ଏକ ବୁଝାମଣାରେ ପହଞ୍ଚି ପାରିଛି। ତେବେ ଅନ୍ତର୍ଜାତୀୟ ବଜାରରେ ଇନ୍ଧନ ମୂଲ୍ୟ ଅଧିକ ରହିଛି। ଫଳରେ ପାକିସ୍ତାନ ବାଲାନ୍ସ ଅଫ ପେମେଣ୍ଟ ସଂକଟର ଦ୍ବାରଦେଶରେ ପହଞ୍ଚିବା ଆଶଙ୍କା ରହିଛି। ପାକିସ୍ତାନର ମୋଟ ବିଦେଶୀ ମୁଦ୍ରା ୯.୮ ବିଲିଅନ ଡଲାର ସ୍ତରକୁ ଖସିଆସିଛି। ଏହି ରାଶି ଦେଶର ମାତ୍ର ୫ ସପ୍ତାହର ଆମଦାନି ବାବଦ ଦେୟ ପୂରଣ କରିପାରିବ। ସେହିଭଳି ପାକିସ୍ତାନୀ ମୁଦ୍ରାର ମୂଲ୍ୟ ରେକର୍ଡ ନିମ୍ନସ୍ତରକୁ ଖସିଯାଇଛି। ସରକାର ରାଜସ୍ବର ୪୦ ପ୍ରତିଶତ ସୁଧ ପରିଶୋଧରେ ବ୍ୟୟ କରୁଛନ୍ତି।

ବେଲାରୁଷ: ପାଶ୍ଚାତ୍ୟ ଦେଶଗୁଡ଼ିକର ଆର୍ଥିକ କଟକଣା ଯୋଗୁ ରୁଷିଆ ଭଳି ବେଲାରୁଷ ମଧ୍ୟ ଗୁରୁତର ଆର୍ଥିକ ସଂକଟର ସାମ୍ନା କରୁଛି।
ଇକ୍ବେଡର ଓ ନାଇଜେରିଆ: ଇକ୍ବେଡର ଏବଂ ନାଇଜେରିଆର ଆର୍ଥିକ ସ୍ଥିତି ବି ସାଂଘାତିକ ରହିଛି। ଅର୍ଥ ସଂଗ୍ରହ ପାଇଁ ଏହି ଦେଶଦ୍ବୟ ସୁଧ ହାର ବହୁମାତ୍ରାରେ ବଢ଼ାଇ ଦେଇଛନ୍ତି। ନାଇଜେରିଆ ଏହାର ମୋଟ ସରକାରୀ ରାଜସ୍ବ ପାଖାପାଖି ୩୦ ପ୍ରତିଶତ ସୁଧ ପରିଶୋଧ ବାବଦରେ ପ୍ରଦାନ କରୁଛି।

ଶ୍ରୀଲଙ୍କା ସଂକଟ କ’ଣ ଓ କାହିଁକି?
ଶ୍ରୀଲଙ୍କା ଏକ ଦ୍ବୀପ ରାଷ୍ଟ୍ର। ୧୯୪୮ ମସିହାରେ ସ୍ବାଧୀନତା ହାସଲ କରିଥିବା ଭାରତର ଏହି ପଡ଼ୋଶୀ ଦେଶରେ ଅପ୍ରତ୍ୟାଶିତ ଆର୍ଥିକ ସଂକଟ ଦେଖାଦେଇଛି। ସରକାରଙ୍କ ଖରାପ ନୀତି ସହିତ କରୋନା ମହାମାରୀ ଏହି ଦେଶର ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଛି। ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀ ଉପଲବ୍ଧ ହେଉନାହିଁ। ଅଧିକାଂଶ ସାମଗ୍ରୀ ପାଇଁ ଏହି ଦେଶ ବିଭିନ୍ନ ଦେଶ ଉପରେ ନିର୍ଭର କରିଥାଏ। ପେଟ୍ରୋଲ, ଡିଜେଲ ଠାରୁ ଆରମ୍ଭ କରି ଖାଦ୍ୟଶସ୍ୟ ଓ ଔଷଧ ଆଦି ଏହି ଦେଶ ଆମଦାନି କରିଥାଏ। ତେବେ ଦେଶର ମୁଖ୍ୟ ରାଜସ୍ବ ଉତ୍ସ ହେଉଛି ପର୍ଯ୍ୟଟନ। କରୋନା ମହାମାରୀ ପାଇଁ ବିମାନ ଯାତ୍ରା ଉପରେ ରୋକ୍‌ ଲାଗି ଯାଇଥିଲା। ଏଥିଯୋଗୁ ଶ୍ରୀଲଙ୍କାକୁ ବିଦେଶୀ ପର୍ଯ୍ୟଟକ ଆସିବା ହ୍ରାସ ପାଇଥିଲା। ଫଳରେ ଶ୍ରୀଲଙ୍କା ନିକଟରେ ବିଦେଶୀ ମୁଦ୍ରା ଉପାର୍ଜନ କରିବାର ବାଟ ବନ୍ଦ ହୋଇଯାଇଥିଲା। ଏଥିସହିତ ଶ୍ରୀଲଙ୍କାର ଏହା କେତେକ ବିକାଶ ମୂଳକ କାର୍ଯ୍ୟ ପାଇଁ ଚୀନ ଭଳି ଦେଶଠାରୁ ବିପୁଳ ପରିମାଣର ଋଣ ନେଇଥିଲା। ତେଣୁ ଗୋଟିଏ ପଟେ ଅତ୍ୟଧିକ ବିଦେଶୀ ଋଣ ଓ ଅନ୍ୟପଟେ ରାଜସ୍ବ ସଂଗ୍ରହର ବାଟ ବନ୍ଦ ହୋଇଯିବାରୁ ଶ୍ରୀଲଙ୍କାର ଅର୍ଥନୀତିରେ ଗୁରୁତର ସଂକଟ ଦେଖାଦେଇଛି। ଏହା ସାମାଜିକ ବିଶୃଙ୍ଖଳା, ରାଜନୈତିକ ଅସ୍ଥିରତା ଓ ହିଂସାର ରୂପ ନେଇଛି। ଦେଶରେ ଜୁନ ମାସର ମୁଦ୍ରାସ୍ଫୀତି ୫୪.୬% ଥିବାବେଳେ ଏହା ୭୦%କୁ ବୃଦ୍ଧି ପାଇବା ଆଶଙ୍କା ରହିଛି।

ଶ୍ରୀଲଙ୍କାରେ ଯେଉଁ ସମସ୍ୟା ଦେଖାଦେଇଛି ତାହା ମୁଖ୍ୟତଃ ସରକାର ଲୋକଙ୍କ ଉପରୁ ଅସମୟରେ ଟିକସ ବୋଝ ହ୍ରାସ କରିବା ପାଇଁ ହୋଇଛି। ବିଭିନ୍ନ ସରକାର ଦ୍ବାରା ସରକାରୀ ଅର୍ଥର କୁପରିଚାଳନା କାରଣରୁ ଆର୍ଥିକ ସ୍ଥିତି ବିଗିଡ଼ିଛି। ଫଳରେ ସରକାରଙ୍କର ଆୟ ତୁଳନାରେ ବ୍ୟୟ ବଢ଼ିଯାଇଛି। ବିଭିନ୍ନ ସାମଗ୍ରୀର ଉତ୍ପାଦନ ବି ଆବଶ୍ୟକ ମାତ୍ରାରେ ହୋଇପାରିନାହିଁ। ତେବେ ଗୋଟାବାୟା ରାଜପକ୍ଷ ସରକାର ୨୦୧୯ରେ ବହୁମାତ୍ରାରେ ଟିକସ ହ୍ରାସ କରିବା ‌ଦ୍ବାରା ସମସ୍ୟା ବହୁଗୁଣିତ ହୋଇଯାଇଛି। ଆର୍ଥିକ ସ୍ଥିତି ଖରାପ ହେବା ପରେ ରେଟିଂ ଏଜେନ୍ସିଂ ଗୁଡ଼ିକ ଶ୍ରୀଲଙ୍କା ସରକାରଙ୍କ ରେଟିଂ ୨୦୨୦ ମସିହାରୁ କମାଇ ଆସିଛନ୍ତି। ଅର୍ଥନୀତିକୁ ଚଳାଇ ରଖିବା ପାଇଁ ଶ୍ରୀଲଙ୍କା ସରକାର ଦେଶର ବିଦେଶୀ ମୁଦ୍ରା ଭଣ୍ଡାରରୁ ୭୦ ପ୍ରତିଶତ ଅର୍ଥ ଖର୍ଚ୍ଚ କରିଦେଇଛନ୍ତି।

ସମ୍ବନ୍ଧିତ ଖବର