ତୃତୀୟ ଥର ପାଇଁ ମୃତ୍ୟୁ ପରୱାନା ଉପରେ ରୋକ୍ ଲଗାଇବାକୁ ଟ୍ରାଏଲ କୋର୍ଟରେ ଆବେଦନ କଲେ ଅକ୍ଷୟ ଠାକୁର ଏବଂ ପଓ୍ଵନ ଗୁପ୍ତା

ନୂଆଦିଲ୍ଲୀ: ଆସନ୍ତା ମାର୍ଚ୍ଚ ୩ ତାରିଖରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀ ମୁକେଶ କୁମାର ସିଂହ (୩୨), ପଓ୍ଵନ ଗୁପ୍ତା (୨୫), ବିନୟ କୁମାର ଶର୍ମା (୨୬) ଓ ଅକ୍ଷୟ ଠାକୁର (୩୧)ଫାଶୀ ଖୁଣ୍ଟରେ ଝୁଲିବେ ବୋଲି ଦିଲ୍ଲୀର ପାଟିଆଲା ହାଉସ୍‌ ଅଦାଲତ ନୂତନ ‘ମୃତ୍ୟୁ ପରଓ୍ଵାନା ଜାରି କରିଥିଲେ। ଏବେ ଫାଶୀର ଦିନ ପାଖେଇ ଆସୁଥିବା ବେଳେ ଦୁଇ ଦୋଷୀ ଅକ୍ଷୟ ଠାକୁର ଏବଂ ପଓ୍ଵନ ଗୁପ୍ତା ଦିଲ୍ଲୀର ଟ୍ରାଏଲ କୋର୍ଟରେ ମୃତ୍ୟୁ ପରୱାନା ଉପରେ ତୃତୀୟ ଥର ପାଇଁ ରୋକ୍ ଲଗାଇବାକୁ ଆବେଦନ କରିଛନ୍ତି। ଦୁହିଁଙ୍କ ଆବେଦନ ଉପରେ ଅଦାଲତ ସୋମବାର ଶୁଣାଣି କରିବେ ବୋଲି ଜଣାପଡ଼ିଛି। ଏଥିସହ ତିହାର ଜେଲ କର୍ତ୍ତୃପକ୍ଷଙ୍କୁ ମାର୍ଚ୍ଚ ୨ ସୁଦ୍ଧା ନିଜର ପକ୍ଷ ରଖିବା ପାଇଁ ଆଦେଶ ଦେଇଛନ୍ତି।  ଅକ୍ଷୟ ଠାକୁର ସାନି ରାଜକ୍ଷମା ଆବେଦନ କରିଥିବା ଓ ପୱନ୍ ସୁପ୍ରିମକୋର୍ଟରେ କ୍ୟୁରେଟିଭ୍ ପିଟିସନ୍ ଦାଖଲ କରିଥି‌ବା ହେତୁ ସେମାନେ ଟ୍ରାଏଲ୍ କୋର୍ଟରେ ମୃତ୍ୟୁ ପରୱାନା ଉପରେ ରୋକ ଲାଗି ଆବେଦନ କରିଛନ୍ତି।

ସୂଚନା ମୁତାବକ, ଆଜି ଦୋଷୀ  ଅକ୍ଷୟ ଠାକୁର ପୁଣି ଥରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ରାଜକ୍ଷମା ଆବେଦନ କରିଥିଲା। ପୂର୍ବରୁ ଗୋଟେ ଥର ରାଜକ୍ଷମା ଆବେଦନ ରାଷ୍ଟ୍ରପତି ଖାରଜ କରି ସାରିଥିଲେ ମଧ୍ୟ ଆଜି ପୁଣି ଅକ୍ଷୟ ଠାକୁର ରାଜକ୍ଷମା ଆବେଦନ କରିଛି। ସେହିଭଳି ଗତକାଲି ଦୋଷୀ ପବନ କୁମାର ଗୁପ୍ତା ସୁପ୍ରିମ୍‌ କୋର୍ଟରେ କ୍ୟୁରେଟିଭ୍‌ ପିଟିସନ ଦାଖଲ କରିଥିଲା। ୩ ମାର୍ଚରେ ଫାଶୀ ପୂର୍ବରୁ ପବନ ଗୁପ୍ତା ତା’ର ମୃତ୍ୟୁ ଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିଣତ କରିବାକୁ ନିବେଦନ କରିଥିଲା।

Image result for dec-16-gang-rape-convicts-akshay-singh-and-pawan-gupta-move-plea-in-delhi-court-seeking-stay-on-march-3-execution-order
India Today

ଟ୍ରାଏଲ୍‌ କୋର୍ଟ ନିର୍ଭୟା ମାମଲାର ୪ ଦୋଷୀଙ୍କୁ ଫାଶୀରେ ଝୁଲାଇବା ପାଇଁ ମାର୍ଚ ୩ ତାରିଖକୁ ଧାର୍ଯ୍ୟ କରିଛନ୍ତି ଏବଂ ଏଥିପାଇଁ ଡେଥ୍‌ ୱାରେଣ୍ଟ୍‌ ଜାରି ହୋଇଛି। ମାତ୍ର ପବନ୍ ଓ ଅକ୍ଷୟଙ୍କ ଏହି ଆଇନଗତ ପଦକ୍ଷେପ ପୁଣି ଥରେ ଡେଥ୍‌ ୱାରେଣ୍ଟ୍‌ ଉପରେ ରହିତାଦେଶ ଲଗାଇବା ପାଇଁ ଦୋଷୀଙ୍କ ପକ୍ଷରୁ ଯୋଜନାବଦ୍ଧ କୌଶଳ ବୋଲି କୁହାଯାଉଛି। ପବନର କ୍ୟୁରେଟିଭ୍‌ ପିଟିସନ ପରେ ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ଆବେଦନ କରିବାର ଆଇନଗତ ଅଧିକାର ରହିଛି।

ସୁପ୍ରିମ୍‌ କୋର୍ଟରେ କ୍ୟୁରେଟିଭ୍‌ ଆବେଦନ ଖାରଜ ହେବା ପରେ ରାଷ୍ଟ୍ରପତିଙ୍କ ନିକଟରୁ କ୍ଷମା ଆବେଦନ ସଂକ୍ରାନ୍ତ ନିଷ୍ପତ୍ତି ଆସିବା ପାଇଁ ୩/୪ ଦିନ ଲାଗି ଯାଇଥାଏ। ଏଭଳି ସ୍ଥିତିରେ ୩ ମାର୍ଚ ପାଇଁ ଜାରି ହୋଇଥିବା ଡେଥ୍‌ ୱାରେଣ୍ଟ କାର୍ଯ୍ୟକାରୀ ହୋଇପାରିବ ନାହିଁ। ଏହି ମାମଲାରେ ଅନ୍ୟ ୩ ଜଣ ଦୋଷୀ ଅକ୍ଷୟ, ବିନୟ ଏବଂ ମୁକେଶ ପାଖରେ ଆଉ କୌଣସି ଆଇନଗତ ବିକଳ୍ପ ନାହିଁ ବୋଲି କୁହା ଯାଉଥିବା ବେଳେ ଅକ୍ଷୟ ପୁଣି ଥରେ ଫାଶୀରୁ ବର୍ତ୍ତିବା ଲାଗି ରାଜକ୍ଷମା ଆବେଦନ କରିଛି।

ସମ୍ବନ୍ଧିତ ଖବର