ଚଣ୍ଡିଗଡ଼ : ଜମ୍ମୁ-କଶ୍ମୀରର ବଡଗାମ୍ ଜିଲ୍ଲାରେ ଫେବୃଆରି ୨୮ରେ ବାୟୁସେନାର ଏକ ପରିବହନ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡ଼ିବା ସହ ଜଳି ଯାଇଥିଲା । ଏହି ଦୁର୍ଘଟଣାରେ ୭ଜଣଙ୍କ ମୃତ୍ୟୁ ହୋଇଥିଲା । ୭ଜଣଙ୍କ ମଧ୍ୟରେ ବାୟୁସେନାର ୬ଜଣ ଅଧିକାରୀ ଥିବା ସହ ଜଣେ ସ୍ଥାନୀୟ ବାସିନ୍ଦା ଥିଲେ । ୬ଜଣଙ୍କ ମଧ୍ୟରୁ ଚଣ୍ଡିଗଡ଼ରେ ଏବେ ସ୍କ୍ଵାଡ଼ର୍ନ ଲିଡର ସିଦ୍ଧାର୍ଥ ବଶିଷ୍ଠଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଶୁକ୍ରବାର ସାମରିକ ସମ୍ମାନ ଦିଆଯାଇ ସ୍କ୍ଵାଡ଼ର୍ନ ଲିଡର ସିଦ୍ଧାର୍ଥ ବଶିଷ୍ଠଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବା ଜଣାପଡ଼ିଛି । ଗୁରୁବାର ବିମାନ ଯୋଗେ ତାଙ୍କ ମରଶରୀରକୁ ଚଣ୍ଡିଗଡ଼ର ବାୟୁସେନା ଷ୍ଟେସନକୁ ଅଣା ଯାଇଥିଲା । ଏହା ପରେ ଭାରତୀୟ ବାୟୁସେନାର ଗାଡ଼ିରେ ତାଙ୍କ ମର ଶରୀରକୁ ଶେଷକୃତ୍ୟ ପାଇଁ ତାଙ୍କ ଘରକୁ ପଠାଇ ଦିଆ ଯାଇଥିଲା ।
ଶେଷକୃତ୍ୟ ସମୟରେ ସିଦ୍ଧାର୍ଥଙ୍କ ପତ୍ନୀ ସ୍କ୍ଵାଡ଼ର୍ନ ଲିଡରଙ୍କ ପୋଷାକ ପିନ୍ଧି ସିଦ୍ଧାର୍ଥଙ୍କୁ ବିଦାୟ ଦେଇଥିଲେ । ସିଦ୍ଧାର୍ଥଙ୍କ ପତ୍ନୀ ମଧ୍ୟ ଜଣେ ସ୍କ୍ଵାଡ଼ର୍ନ ଲିଡର ବୋଲି ଜଣା ପଡ଼ିଥିବା ସହ ସେ ସିଦ୍ଧାର୍ଥଙ୍କ ମର ଶରୀରକୁ ଫୁଲ ମାଳ ଦେଇ ତାଙ୍କୁ ଶେଷ ବିଦାୟ ଦେଇଥିବା ଦେଖା ଯାଇଥିଲା । ସିଦ୍ଧାର୍ଥଙ୍କ ବାପା ମୁଖାଗ୍ନି ଦେଇଥିବା ଜଣା ପଡ଼ିଛି । ସିଦ୍ଧାର୍ଥଙ୍କୁ ଶେଷ ବିଦାୟ ଦେବା ପାଇଁ ମଶାଣିକୁ ତାଙ୍କ ପରିବାର ସମେତ ଶହ ଶହ ସ୍ଥାନୀୟ ଲୋକ ମଧ୍ୟ ଆସିଥିବା ଦେଖା ଯାଇଥିଲା ।