ନୂଆଦିଲ୍ଲୀ: କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ଆଜି ଘୋଷଣା କରିଛନ୍ତି ଯେ ଆସନ୍ତା ମଙ୍ଗଳବାର (ଡିସେମ୍ବର ୧୯) ରେ ଇଣ୍ଡିଆ ମେଣ୍ଟର ଚତୁର୍ଥ ବୈଠକ ଅନୁଷ୍ଠିତ ହେବ। ଛତିଶଗଡ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ବିଧାନସଭା ନିର୍ବାଚନରେ କଂଗ୍ରେସର ପରାଜୟ ପରେ ଏହା ଇଣ୍ଡିଆ ମେଣ୍ଟର ପ୍ରଥମ ବୈଠକ ହେବ। ସୋସିଆଲ ମିଡ଼ିଆ ଏକ୍ସରେ ଏକ ପୋଷ୍ଟ କରି ସେ ଏହି ସୂଚନା ଦେଇଛନ୍ତି | ଜୟରାମ ରମେଶଙ୍କ ଏହି ପୋଷ୍ଟ ଏପରି ଏକ ସମୟରେ ଆସିଛି ଯେତେବେଳେ ଇଣ୍ଡିଆ ମେଣ୍ଟ ସହ ଜଡିତ ଦଳ ମଧ୍ୟରେ ବିରୋଧ ଜାରି ରହିଛି । କଂଗ୍ରେସ ନେତା ଆଜି ଏକ ପୋଷ୍ଟରେ ଲେଖିଛନ୍ତି ଯେ, "ଇଣ୍ଡିଆ ମେଣ୍ଟ ସହ ଜଡିତ ଦଳର ନେତାଙ୍କ ଚତୁର୍ଥ ବୈଠକ ଡିସେମ୍ବର ୧୯, ୨୦୨୩ ମଙ୍ଗଳବାର ଦିନ ନୂଆଦିଲ୍ଲୀରେ ଅପରାହ୍ନ ୩ଟାରୁ ଅନୁଷ୍ଠିତ ହେବ।
ଚର୍ଚ୍ଚା ମୁତାବକ ଏହି ବୈଠକରେ ଆଗାମୀ ରଣନୀତି ଏବଂ ସିଟ୍ ବଣ୍ଟନ ବିଷୟରେ ଆଲୋଚନା ହୋଇପାରେ । ଏହି ବୈଠକରେ ବିରୋଧୀ ଦଳମାନେ ବସି ନିର୍ବାଚନ ପାଇଁ ସାଧାରଣ ଏଜେଣ୍ଡା କ’ଣ ହେବ ତାହା ସ୍ଥିର କରିବେ। ସୂଚନାଯୋଗ୍ୟ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ୬ ଡିସେମ୍ବରରେ ବୈଠକ ଡକାଇବା ପରେ ମେଣ୍ଟର ଜଣେ ପରେ ଜଣେ ନେତା ଏଥିରେ ସାମିଲ ହୋଇପାରିବେ ନାହିଁ ବୋଲି କହିଥିଲେ। ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୈଠକରେ ସାମିଲ ହେବେନାହିଁ ବୋଲି ଘୋଷଣା କରିବା ପରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ମଧ୍ୟ ବୈଠକରୁ ନିଜକୁ ଦୂରେଇ ନେଇଥିଲେ। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ମଧ୍ୟ ବୈଠକରେ ସାମିଲ ହେବାକୁ ମନା କରି ଦେଇଥିଲେ। ଏଭଳି ସ୍ଥିତିରେ ବୈଠକ ସ୍ଥଗିତ ରଖିବାକୁ କଂଗ୍ରେସ ବାଧ୍ୟ ହୋଇଥିଲା |