ନିର୍ବନ୍ଧ ପାଇଁ ଯାଇଥିଲେ କନ୍ୟା ନେଇ ଆସିଲେ, ଯୌତୁକରେ ନେଲେ ୧ ଟଙ୍କା ଓ ଗୋଟିଏ ନଡିଆ

ଜୟପୁର: ରାଜସ୍ଥାନର ଝୁଞ୍ଜୁନୁରେ ନିର୍ବନ୍ଧ କରିବାକୁ ଯାଇଥିବା ଦୁଇ ପରିବାର ମଧ୍ୟରେ ଏପରି ଘଟଣା ଘଟିଥିଲା ଯେ ଅବିଳମ୍ବେ ଦୁଇ ପରିବାର ଗୋଟିଏ ନଡିଆ ଓ ୧ ଟଙ୍କାରେ ବିବାହ ପାଇଁ ରାଜି ହୋଇଗଲେ। ନିର୍ବନ୍ଧ ପାଇଁ ଯାଇଥିବା ବର ଅଗ୍ନି ପ୍ରଦକ୍ଷଣ(ସାତ୍ ଫେରେ) କରି କନ୍ୟାଙ୍କ ସହିତ ଫେରିଥିଲେ। ବିବାହ ପାଇଁ କୌଣସି ନିମନ୍ତ୍ରଣ କାର୍ଡର ମଧ୍ୟ ଆବଶ୍ୟକତା ପଡି ନଥିଲା। ନିର୍ବନ୍ଧ ପରମ୍ପରା ବିବାହରେ ପରିଣତ ହୋଇଯାଇଥିବାରୁ ଲୋକମାନେ ଏହାକୁ ଖୁବ୍ ପ୍ରଶଂସା କରୁଛନ୍ତି।

ମିଡିଆରେ ପ୍ରକାଶିତ ସୂଚନା ଅନୁସାରେ, ଭଦୌଂଡାର ଅଧିବାସୀ ସୁରେନ୍ଦ୍ର ଜାଂଗିଡଙ୍କ ପୁଅ ମୁକେଶଙ୍କ, ରବିବାର କେହରପୁରାର ବୁଧରାମ ଜାଂଗିଡଙ୍କ ଝିଅ ରିଙ୍କୁଙ୍କ ସହିତ ନିର୍ବନ୍ଧ ପରମ୍ପରା ହେବାକୁ ସ୍ଥିର ହୋଇଥିଲା । ତେବେ ବରପକ୍ଷ ନିଷ୍ପତ୍ତି ନେଲେ ଯେ କନ୍ୟାକୁ ସାଙ୍ଗରେ ନେଇକି ହିଁ ଯିବେ। ଏହାପରେ ବାହାଘର ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା ଓ ବାହଘରର ସମସ୍ତ ରୀତିନୀତି ସମ୍ପନ୍ନ କରାଯାଇଥିଲା।

ସେଠାରେ ଥିବା ସମସ୍ତ ସମ୍ପର୍କୀୟମାନେ ନିଷ୍ପତ୍ତି ନେଲେ ଯେ ଯୌତୁକ ନାମରେ କେବଳ ଏକ ଟଙ୍କା ଓ ଗୋଟିଏ ନଡିଆ ନିଆଯିବ। ବରପକ୍ଷ ବିନା ଯୌତୁକରେ ବିବାହ ପାଇଁ ରାଜି ହୋଇଯାଇଥିଲେ। ବର ମୁକେଶ ଏକ ମେଡିକାଲ୍ ଏଜେନ୍ସି ଚଳାନ୍ତି, କନ୍ୟା ରିଙ୍କୁ ନିକଟରେ ନିଟ୍ ପରୀକ୍ଷା ଦେଇଥିଲେ।

ସମ୍ବନ୍ଧିତ ଖବର