ନୂଆଦିଲ୍ଲୀ: କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ସୋମବାର ବିଜେପିର ନବ ନିର୍ବାଚିତ ୧୬୩ ଜଣ ବିଧାୟକ ବୈଠକ କରି ନେତା ଚୟନ କରିବା ପରେ ମଧ୍ୟପ୍ରଦେଶର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ନେଇ ଚାଲିଥିବା ସସପେନ୍‌ସର ଅନ୍ତ ଘଟିବାର ସମ୍ଭାବନା ରହିଛି ବୋଲି ଦଳର ଜଣେ ବରିଷ୍ଠ କର୍ମକର୍ତ୍ତା କହିଛନ୍ତି।

Advertisment

ନଭେମ୍ବର ୧୭ ତାରିଖରେ ହୋଇଥିବା ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳ ଗତ ରବିବାର ପ୍ରକାଶ ପାଇଥିଲା। ମଧ୍ୟପ୍ରଦେଶ ବିଧାନସଭାର ୨୩୦ଟି ଆସନ ମଧ୍ୟରୁ ବିଜେପି ୧୬୩ଟି ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ୬୬ଟି ଆସନରେ ବିଜୟ ଲାଭ କରି ଦ୍ଵିତୀୟ ସ୍ଥାନରେ ରହିଛି।

ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର, ଓବିସି ମୋର୍ଚ୍ଚା ମୁଖ୍ୟ କେ ଲକ୍ଷ୍ମଣ ଏବଂ ସମ୍ପାଦକ ଆଶା ଲାକ୍ରାଙ୍କୁ ମଧ୍ୟପ୍ରଦେଶରେ ଦଳର ବିଧାୟକ ଦଳର ନେତା ଚୟନ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି।
ମଧ୍ୟପ୍ରଦେଶ ବିଜେପି ମିଡିଆ ସେଲ୍‌ ମୁଖ୍ୟ ଆଶିଷ ଅଗ୍ରଓ୍ଵାଲ କହିଛନ୍ତି, କେନ୍ଦ୍ରୀୟ ପର୍ଯ୍ୟବେକ୍ଷକମାନେ ସୋମବାର ଦଳୀୟ ବିଧାୟକମାନଙ୍କର ଏକ ବୈଠକରେ ଅଧ୍ୟକ୍ଷତା କରିବେ। ବୈଠକର କାର୍ଯ୍ୟସୂଚୀ ଚୂଡ଼ାନ୍ତ ହେବା ପରେ ଗଣମାଧ୍ୟମକୁ ଜଣାଯିବ ବୋଲି ସେ କହିଛନ୍ତି।

ତେବେ, ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସୋମବାର ଅପରାହ୍ନ ୫ଟାରୁ ସନ୍ଧ୍ୟା ୭ଟା ମଧ୍ୟରେ ଯେକୌଣସି ସମୟରେ ବୈଠକ ଆରମ୍ଭ ହେବାର ସମ୍ଭାବନା ରହିଛି। ପୂର୍ବରୁ ଏହି ବୈଠକ ରବିବାର ହେବାର ଥିଲା, କିନ୍ତୁ ପର୍ଯ୍ୟବେକ୍ଷକଙ୍କ ବ୍ୟସ୍ତତା କାରଣରୁ ଏହାକୁ ସୋମବାର ପର୍ଯ୍ୟନ୍ତ ସ୍ଥଗିତ ରଖା ଯାଇଛି। ପର୍ଯ୍ୟବେକ୍ଷକମାନେ ରବିବାର ସନ୍ଧ୍ୟା କିମ୍ବା ସୋମବାର ସକାଳେ ମଧ୍ୟପ୍ରଦେଶରେ ପହଞ୍ଚିବାର ସମ୍ଭାବନା ରହିଛି।

ଗତ ୧୯ ବର୍ଷ ମଧ୍ୟରେ ତୃତୀୟ ଥର ପାଇଁ ବିଜେପି ମୁଖ୍ୟମନ୍ତ୍ରୀ ନିଯୁକ୍ତି ପାଇଁ ମଧ୍ୟପ୍ରଦେଶକୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ପଠାଉଛି।