ସ୍ଥିତିର ସମୀକ୍ଷା କରିବା ପରେ ଏପ୍ରିଲ ୧୪ରେ ସ୍କୁଲ, କଲେଜ ଖୋଲିବ କି ନାହିଁ ସରକାର ନିଷ୍ପତ୍ତି ନେବେ : କେନ୍ଦ୍ର ମାନବସମ୍ବଳ ମନ୍ତ୍ରୀ
ନୂଆଦିଲ୍ଲୀ: ରବିବାର ଦିନ କେନ୍ଦ୍ର ମାନବସମ୍ବଳ ମନ୍ତ୍ରୀ ରମେଶ ପୋକ୍ରିଆଲ ‘ନିଶାଙ୍କ’ କହିଛନ୍ତି ଯେ, କରୋନାଭାଇରସ ସ୍ଥିତିର ସମୀକ୍ଷା କରିବା ପରେ ଏପ୍ରିଲ ୧୪ରେ ସ୍କୁଲ, କଲେଜ ଖୋଲିବ କି ନାହିଁ ସରକାର ନିଷ୍ପତ୍ତି ନେବେ।
“ବର୍ତ୍ତମାନ ନିଷ୍ପତ୍ତି ନେବା କଷ୍ଟସାଧ୍ୟ। ଆମେ ଏପ୍ରିଲ ୧୪ରେ ପରିସ୍ଥିତିର ସମୀକ୍ଷା କରିବୁ ଏବଂ ପରିସ୍ଥିତି ଉପରେ ନିର୍ଭର କରି ବର୍ତ୍ତମାନ ସ୍କୁଲ ଏବଂ କଲେଜଗୁଡ଼ିକୁ ଖୋଲାଯାଇ ପାରିବ ନା ଅଧିକ ସମୟ ପାଇଁ ବନ୍ଦ କରିବାକୁ ହେବ ସେନେଇ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ଏକ ସାକ୍ଷାତକାରରେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ଏପ୍ରିଲ୍ ୧୪ରୁ ପୁଣି ସବୁ ବିଦ୍ୟାଳୟ, କଲେଜ ବନ୍ଦ ରୁହେ ତେବେ ଛାତ୍ରଛାତ୍ରୀଙ୍କ ପାଇଁ କୌଣସି ଏକାଡେମିକ୍ କ୍ଷତି ନହେବାକୁ ଆମେ ପ୍ରସ୍ତୁତ ଅଛୁ। ତେବେ ବର୍ତ୍ତମାନ ସ୍ଥିତିକୁ ଦେଖି ବିଭିନ୍ନ ସରକାରୀ ପ୍ଲାଟଫର୍ମ ବ୍ୟବହାର କରି ଅନଲାଇନରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଯାଉଛି |

କରୋନାଭାଇରସ୍ ବିସ୍ତାରକୁ ରୋକିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ୍ ୧୪ପର୍ଯ୍ୟନ୍ତ ୨୧ଦିନିଆ ଦେଶବ୍ୟାପୀ ତାଲା ବନ୍ଦ ଘୋଷଣା କରିଥିଲେ। କେନ୍ଦ୍ର ମାନବସମ୍ବଳ ମନ୍ତ୍ରୀ କହିଛନ୍ତି ଯେ, ଲକଡାଉନ୍ ସମୟରେ ବିଶ୍ୱବିଦ୍ୟାଳୟ ଏବଂ ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡିକ ଅନୁସରଣ କରୁଥିବା କାର୍ଯ୍ୟ ଯୋଜନାକୁ ସରକାର ନିୟମିତ ସମୀକ୍ଷା କରୁଛନ୍ତି। ଏହା ସହ ଲକଡାଉନ୍ ଉଠିବା ପରେ ବାକି ରହିଯାଇଥିବା ପରୀକ୍ଷା ଏବଂ ମୂଲ୍ୟାଙ୍କନ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇ ରହିଛି | ଦେଶରେ ୩୪କୋଟି ଛାତ୍ର ଅଛନ୍ତି, ଯାହା ଆମେରିକାର ଜନସଂଖ୍ୟାଠାରୁ ଅଧିକ। ସେଗୁଡ଼ିକ ଆମର ସବୁଠାରୁ ବଡ ଧନ | ସରକାରଙ୍କ ପାଇଁ ଛାତ୍ର ଓ ଶିକ୍ଷକଙ୍କ ସୁରକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି।