ନୂଆଦିଲ୍ଲୀ : କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ ଆଣିଥିବା ସ୍ବାଧିକାର ଭଙ୍ଗ ନୋଟିସ୍ ସଂପର୍କରେ ଲୋକସଭା ବାଚସ୍ପତି ନିଷ୍ପତ୍ତି ନେବେ। ଲୋକସଭା ରୁଲ ବୁକର ଅଧ୍ୟାୟ ୨୦ର ନିୟମ ୨୨୨ ଅନ୍ତର୍ଗତ ସାଂସଦଙ୍କ ସ୍ବାଧିକାର ସଂପର୍କରେ ବ୍ୟବସ୍ଥା ରହିଛି। ସାଂସଦଙ୍କ ପାଖରୁ ସ୍ବାଧିକାର ଭଙ୍ଗ ସଂପର୍କିତ ଅଭିଯୋଗ ଲୋକସଭାର ବାଚସ୍ପତିଙ୍କୁ ମିଳିବା ପରେ ବାଚସ୍ପତି ମାମଲାର ପ୍ରଥମ ସ୍ତରୀୟ ତର୍ଜମା କରିଥାନ୍ତି।
ଲୋକସଭା ସ୍ବାଧିକାର କମିଟିରେ ୧୫ ଜଣ ସଦସ୍ୟ ରହିଥାନ୍ତି। ସ୍ବାଧିକାର କମିଟି ଦ୍ବାରା ଲୋକସଭା ବାଚସ୍ପତିଙ୍କୁ ରିପୋର୍ଟ ପ୍ରଦାନ କରାଯାଇଥାଏ। ଲୋକସଭା ବାଚସ୍ପତିଙ୍କ ଦ୍ବାରା ରିପୋର୍ଟକୁ ବିଚାର କରିବା ସମୟରେ ଅଧ ଘଣ୍ଟାର ବିତର୍କର ଅନୁମତି ମଧ୍ୟ ପ୍ରଦାନ କରାଯାଇଥାଏ। ଏହା ପରେ ବାଚସ୍ପତି ଶେଷ ନିଷ୍ପତି କ୍ରମେ କମିଟିକୁ ଗୃହରେ ରିପୋର୍ଟ ଉପସ୍ଥାପନ ପାଇଁ ନିର୍ଦେଶ ଦେଇଥାନ୍ତି। ଗୃହରେ ରିପୋର୍ଟ ଉପସ୍ଥାପନ ହେବାପରେ ସ୍ବାଧିକାର ଭଙ୍ଗ ପ୍ରସ୍ଥାବକୁ ସର୍ବସମ୍ମତିଭାବେ ଆଗତ କରାଯିବାର ଆବଶ୍ୟକତା ରହିଥାଏ।
ସପ୍ତଦଶ ଲୋକସଭାରେ ବାଚସ୍ପତି ଓମ୍ ବିର୍ଲାଙ୍କ ଦ୍ବାରା ଅକ୍ଟୋବର ୯ ତାରିଖରେ ସୁନୀଲ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ୧୫ ଜଣିଆ ସ୍ବାଧିକାର କମିଟିର ଗଠନ କରାଯାଇଛି। ଏହି କମିଟିରେ ବିଭିନ୍ନ ଦଳର ସାଂସଦମାନଙ୍କୁ ସଦସ୍ୟ ରୂପେ ମନୋନୀତ କରିଛନ୍ତି ବାଚସ୍ପତି ଓମ୍ ବିର୍ଲା। ବିଜେଡିରୁ ସାଂସଦ ଅଚ୍ୟୁତାନନ୍ଦ ସାମନ୍ତ ସଦସ୍ୟ ରହିଛନ୍ତି। ଜଣେ ମହିଳା ସାଂସଦଙ୍କ ଦ୍ବାରା ଓ ଟିଭି ବିରୋଧରେ ନୋଟିସ ଆଣିବା ଦାବି କରିବା ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିବାରୁ ବାଚସ୍ପତିଙ୍କ ନିଷ୍ପତି ଉପରେ ସମସ୍ତଙ୍କ ନଜର ରହିବ। ଷଷ୍ଠଦଶ ଲୋକସଭାରେ ଗଣମାଧ୍ୟମ ବିରୋଧରେ ସ୍ବାଧିକାର ଭଙ୍ଗ ଅଭିଯୋଗର କିଛି ମାମଲା ସ୍ବାଧିକାର କମିଟିକୁ ପଠାଯାଇଥିବାର ଦୃଷ୍ଟାନ୍ତ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/chandrani-murmu.jpg)