ଓଡ଼ିଶା‌ରେ ୩୬ ଡ୍ୟାମ୍‌ର ବିକାଶ ଲାଗି ନିଷ୍ପତ୍ତି

ଦେଶର ୭୩୬ ଡ୍ୟାମ୍ ପାଇଁ ୧୦, ୨୨୧କୋଟି
ଝୋଟ ଅଖାରେ ଖାଦ୍ୟଶସ୍ୟ ରଖିବା ବାଧ୍ୟତାମୂଳକ
ଓଡ଼ିଶାରେ ଝୋଟ ଚାଷୀଙ୍କ ପାଇଁ ବଡ଼ ସମ୍ଭାବନା

ନୂଆଦିଲ୍ଲୀ : କେନ୍ଦ୍ର କ୍ୟାବିନେଟ୍ କମିଟିରେ ଆଜି ନିଆଯାଇଥିବା ନିଷ୍ପତ୍ତି ଓଡ଼ିଶାକୁ ବଡ଼ ଆଶା ଦେଖାଇଛି। ପ୍ରଥମତଃ ଦେଶରେ ଡ୍ୟାମ ପୁନର୍ବିନ୍ୟାସ ଓ ବିକାଶ ପ୍ରକଳ୍ପ (ଡ୍ରିପ୍‌)ର ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟରେ ଓଡ଼ିଶାର ୩୬ଟି ଡ୍ୟାମର ବିକାଶ କାର୍ଯ୍ୟ ହାତକୁ ନିଆଯାଇଛି। ତେବେ ଏଥିରେ କେଉଁ କେଉଁ ପ୍ରକଳ୍ପ ରହିଛି, ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। ଏଥିସହିତ ଝୋ‌ଟ ଅଖାରେ ଖାଦ୍ୟଶସ୍ୟ ରଖିବାକୁ କ୍ୟାବିନେଟ୍ ବୈଠକରେ ବାଧ୍ୟତାମୂଳକ କରାଯାଇଛି। ଏହାଦ୍ବାରା ଚାଷୀମାନେ ଆଗାମୀ ଦିନରେ ଝୋଟ ଚାଷ କରିବାକୁ ଉତ୍ସାହିତ ହେବେ ବୋଲି ଆଶା ରଖାଯାଇଛି। ବନ୍ଦ ହୋଇ ଯାଇଥିବା ଝୋଟ ଶିଳ୍ପ ଗୁଡ଼ିକ ପୁନର୍ବାର କାର୍ଯ୍ୟକ୍ଷମ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଓଡ଼ିଶା ଓ ପଶ୍ଚିମବଙ୍ଗ ସମେତ ପୂର୍ବ ଭାରତର ଅନ୍ୟ କେତେକ ରାଜ୍ୟର କୋଟି କୋଟି ଝୋଟ ଚାଷୀ ଓ ଉପକୃତ ହେବେ। ଏଥିସହିତ ଝୋଟ ଶିଳ୍ପରେ କାର୍ଯ୍ୟରତ ଲକ୍ଷାଧିକ ଶ୍ରମିକଙ୍କୁ ପୁନର୍ବାର କାମଧନ୍ଦା ମିଳିଯିବା ଆଶା ଉଜ୍ଜୀବିତ ହୋଇଛି। ‌କ୍ୟାବିନେଟ୍ ବୈଠକ ପରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ କହିଛନ୍ତି ଯେ ୧୦୦ ପ୍ରତିଶତ ଖାଦ୍ୟଶସ୍ୟ ଏବଂ ୮୦ ପ୍ରତିଶତ ଚିନି ଝୋଟ ବସ୍ତାରେ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି।

କ୍ୟାବିନେଟରେ ନିଷ୍ପତ୍ତି ଅନୁଯାୟୀ ଡ୍ୟାମ ପୁନର୍ବିନ୍ୟାସ ଓ ବିକାଶ ପ୍ରକଳ୍ପ (ଡ୍ରିପ୍)ର ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ ଅଧୀନରେ ଦେଶର ୭୩୬ଟି ଡ୍ୟାମର ସୁରକ୍ଷା ଓ ପରିଚାଳନା କ୍ଷମତା ବୃଦ୍ଧି କରାଯିବ। ୧୦,୨୧୧ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ। ବିଶ୍ବବ୍ୟାଙ୍କ ଓ ଏସୀୟ ଭିତ୍ତିଭୂମି ନିବେଶ ବ୍ୟାଙ୍କ (ଏଆଇଆଇବି)ରୁ ଏଥିପାଇଁ ସରକାର ୭୦୦୦ କୋଟି ଟଙ୍କା ଋଣ ଆଣିବେ। ଅବଶିଷ୍ଟ ୩୨୧୧ କୋଟି ଟଙ୍କା ପ୍ରକଳ୍ପ କାର୍ଯ୍ୟକାରୀ କରୁଥିବା ଏଜେନ୍ସି ବହନ କରିବେ। ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ୧୦୨୪ କୋଟି ଟଙ୍କା ଋଣ ଆକାରରେ ଏବଂ ୨୮୫ କୋଟି ଟଙ୍କା ନିଜର ଭାଗ ଆକାରରେ ପ୍ରଦାନ କରିବେ।

ଦୁଇଟି ପର୍ଯ୍ୟାୟରେ ୧୦ ବର୍ଷ ମଧ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଆସନ୍ତାବର୍ଷ ଏପ୍ରିଲ ପହିଲାରୁ ପ୍ରକଳ୍ପ ଆରମ୍ଭ ହୋଇ ୨୦୩୧ ମାର୍ଚ୍ଚ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ୭୩୬ଟି ଡ୍ୟାମ ବିକାଶ କାର୍ଯ୍ୟ ମଧ୍ୟରୁ ରାଜସ୍ଥାନର ସର୍ବାଧିକ ୧୮୯ଟି ପ୍ରକଳ୍ପ ଥିବାବେଳେ ଏହା ପଛକୁ ମହାରାଷ୍ଟ୍ରର ୧୬୭ଟି, ତାମିଲନାଡ଼ୁର ୫୯ଟି, ଉତ୍ତର ପ୍ରଦେଶର ୩୯ଟି, ଓଡ଼ିଶାର ୩୬ଟି ଏବଂ ଆନ୍ଦ୍ର ପ୍ରଦେଶର ୩୧ଟି ପ୍ରକଳ୍ପ ରହିଛି। ଦେଶର ବର୍ତ୍ତମାନ ୫୩୩୪ ବଡ଼ ଡ୍ୟାମ ଗୁଡ଼ିକ ଥିବାବେଳେ ୪୧୧ ଡ୍ୟାମର ନିର୍ମାଣ କାର୍ଯ୍ୟ ବର୍ତ୍ତମାନ ଜାରି ରହିଛି। ଏତଦ୍‌ବ୍ୟତୀତ ହଜାର ହଜାର ସଂଖ୍ୟାରେ ଛୋଟ ଡ୍ୟାମ ରହିଛି। ଭାରତରେ ଥିବା ଡ୍ୟାମଗୁଡ଼ିକ ଯୋଗୁଁ ବାର୍ଷିକ ୩୦୦ ବିଲିୟନ୍ ଘନ ମିଟର ଜଳ ସଞ୍ଚୟ କରାଯାଉଥିବାରୁ ଏହାର ସୁରକ୍ଷା ଓ ସଠିକ ପରିଚାଳନା ପାଇଁ କେନ୍ଦ୍ର ସରକାର ଗୁରୁତ୍ୱାରୋପ କରିଛନ୍ତି।

ଏଥିସହିତ କେନ୍ଦ୍ର ସରକାର ବିଭିନ୍ନ ମାନର ଇଥାନଲ ମୂଲ୍ୟବୃଦ୍ଧିକୁ ଅନୁମତି ପ୍ରଦାନ କରିଛନ୍ତି। ରାଷ୍ଟ୍ରାୟତ୍ତ ତୈଳ କମ୍ପାନି ଗୁଡ଼ିକ ସି ବର୍ଗର ମୋଲାସେସରୁ ସଂଗୃହୀତ ଇଥାନନର ମୂଲ୍ୟ ଲିଟର ପିଛା ୪୩ ଟଙ୍କା ୭୫ ପଇସାରୁ ୪୫ ଟଙ୍କା ୬୯ ପଇସାକୁ ବୃଦ୍ଧି କରିଥିବାବେଳେ ବି ବର୍ଗର ଇଥାନଲ ମୂଲ୍ୟ ଲିଟର ପିଛା ୫୪ ଟଙ୍କା ୨୭ ପଇସାରୁ ୫୭ ଟଙ୍କା ୬୧ ପଇସାକୁ ବୃଦ୍ଧି କରାଯାଇଛି। ସେହଭଳି ଅନ୍ୟ ଏକ ବର୍ଗର ଇଥାନଲ ମୂଲ୍ୟ ଲିଟର ପିଛା ୫୯ ଟଙ୍କା ୪୮ ପଇସାରୁ ୬୨ ଟଙ୍କା ୬୫ ପଇସାକୁ ବୃଦ୍ଧି କରାଯାଇଛି। ଇଥାନନ ମିଶ୍ରିତ ପେଟ୍ରୋଲ କାର୍ଯ୍ୟକ୍ରମ ଅଧୀନରେ ୨୦୨୦-୨୧ ଇଥାନଲ ଯୋଗାଣ ବର୍ଷ ପାଇଁ ଏହି ଦର ଧାର୍ଯ୍ୟ କରାଯାଇଛି। ଆସନ୍ତା ଡିସେମ୍ବର ପହିଲାରୁ ଆରମ୍ଭ ହେଉଛି।

ସମ୍ବନ୍ଧିତ ଖବର