ମୁମ୍ବାଇ: ଏନ୍‌ସିପି ମୁଖ୍ୟ ପଦରୁ ଶରଦ ପାୱାରଙ୍କ ଇସ୍ତଫା ପରେ ନୂଆ ନେତା ବାଛିବା ପାଇଁ ଶୁକ୍ରବାର ମୁମ୍ବାଇରେ ଦଳର ବରିଷ୍ଠ ନେତାମାନଙ୍କର ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ନିଜର ଉତ୍ତରାଧିକାରୀ ବାଛିବା ପାଇଁ ପାୱାର ଏକ କମିଟି ଗଠନ କରିଛନ୍ତି। ଆସନ୍ତାକାଲି ପୂର୍ବାହ୍ନ ୧୧ଟା ବେଳେ ମୁମ୍ବାଇସ୍ଥିତ ଦଳୀୟ କାର୍ଯ୍ୟାଳୟରେ କମିଟିର ବୈଠକ ଅନୁଷ୍ଠିତ ହେବ। ପାୱାର ତାଙ୍କ ନିଷ୍ପତ୍ତିରେ ଅଟଳ ରହିଥିବା ବେଳେ ଝିଅ ସୁପ୍ରିୟା ସୁଲେ ଦଳର ପରବର୍ତ୍ତୀ ଅଧ୍ୟକ୍ଷ ହେବା ସମ୍ଭାବନା ରହିଛି।

Advertisment

ଅନ୍ୟପକ୍ଷରେ ପୁତୁରା ଅଜିତ ପାୱାର ଦଳରେ ବିଭାଜନ ଘଟାଇ ନୂଆ ଗୋଷ୍ଠୀର ମୁଖ୍ୟ ହେବାକୁ ମସୁଧା କରୁଥିବା ନେଇ ଚର୍ଚ୍ଚା ଚାଲିଛି। ଏଭଳି ସ୍ଥିତିରେ ଦଳକୁ ସୁରକ୍ଷିତ ରଖିବା ପାଇଁ ଶରଦ ପାୱାରଙ୍କ ଇସ୍ତଫା ଏକ ସୁଚିନ୍ତିତ ପଦକ୍ଷେପ ବୋଲି ବିଚାର କରାଯାଉଛି। ପିତାଙ୍କ ନିର୍ବାଚନମଣ୍ଡଳୀରୁ ପାର୍ଲାମେଣ୍ଟ ସଦସ୍ୟ ଥିବା ସୁଲେ ଦଳର ଅଧ୍ୟକ୍ଷ ହେଲେ ପାୱାରଙ୍କ ହାତରେ ତଥାପି ଦଳର ନିୟନ୍ତ୍ରଣ ରହିବ ବୋଲି କୁହାଯାଉଛି। ପାୱାରଙ୍କ ଇସ୍ତଫାକୁ ଦଳ ପକ୍ଷରୁ ବିରୋଧ କରାଯିବା ସହ ତାଙ୍କୁ ଇସ୍ତଫା ନିଷ୍ପତ୍ତି ପ୍ରତ୍ୟାହାର କରିବା ପାଇଁ ଅନୁରୋଧ କରାଯାଇଥିଲା। କିନ୍ତୁ ସେ ନିଜ ନିଷ୍ପତ୍ତିରେ ଅଟଳ ରହିଛନ୍ତି। ପାୱାର ଦଳର କର୍ମୀମାନଙ୍କୁ କହିଛନ୍ତି, ଏପରିଭାବେ ହଠାତ୍ ନିଷ୍ପତ୍ତି ଘୋଷଣା କରିବା ବୋଧହୁଏ ଠିକ୍ ହେଲାନି।

ଆପଣମାନଙ୍କର ପ୍ରତିବାଦ କରିବା ସ୍ବାଭାବିକ। ନିଷ୍ପତ୍ତି ନେବା ପୂର୍ବରୁ ଆପଣମାନଙ୍କ ସହ ଆଲୋଚନା କରିବା ଉଚିତ ଥିଲା। କିନ୍ତୁ ମୁଁ ଜାଣିଥିଲି ଆପଣମାନେ ମୋତେ ସେଥିପାଇଁ ଅନୁମତି ଦେବେ ନାହିଁ। ସେଥିପାଇଁ ମୁଁ କାହା ସହ ଆଲୋଚନା ନ କରି ସିଧାସଳଖ ନିଷ୍ପତ୍ତି ଘୋଷଣା କରିବାକୁ ବାଧ୍ୟ ହେଲି। ତେବେ ପରବର୍ତ୍ତୀ ମୁଖ୍ୟ କିଏ ହେବ ତାହା ନିର୍ଦ୍ଧାରଣ କରିବା ପାଇଁ ଏକ କମିଟି ଗଠନ କରାଯାଇଛି। ଶୁକ୍ରବାର ବୈଠକରେ ଏ ବାବଦ ନିଷ୍ପତ୍ତି ନିଆଯିବ। ପାୱାରଙ୍କ ଅନୁଗତ ତଥା ବରିଷ୍ଠ ନେତା ଛଗନ ଭୁଜବଳ କହିଛନ୍ତି, ଅଜିତ ପାୱାର ରାଜ୍ୟ ଦାୟିତ୍ବ ନେବା ଉଚିତ ଏବଂ ସୁପ୍ରିୟା ସୁଲେ ଜାତୀୟ ରାଜନୀତି ସମ୍ଭାଳିବା ଠିକ୍‌ ହେବ। ଶରଦ ପାୱାର ଜାତୀୟ ଅଧ୍ୟକ୍ଷ ରହିବାକୁ ନ ଚ‌ାହିଲେ ସୁଲେ ହିଁ ଏଥିପାଇଁ ଉପଯୁକ୍ତ ବୋଲି ସେ କହିଛନ୍ତି।