ନୂଆଦିଲ୍ଲୀ: ଆସନ୍ତା ମାସରେ ହେବାକୁ ଥିବା ଜି-୨୦ ସମ୍ମିଳନୀ ପାଇଁ ଦିଲ୍ଲୀ ସରକାର ରାଜଧାନୀର ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା ପାଇଁ ଛୁଟି ଘୋଷଣା କରିଛନ୍ତି। ଦିଲ୍ଲୀ ସରକାର ଜାରି କରିଥିବା ବିଜ୍ଞପ୍ତି ଅନୁସାରେ, କେତେକ କାର୍ଯ୍ୟାଳୟରେ କେବଳ ରବିବାର ଓ ଆଉ କେତେକ କାର୍ଯ୍ୟାଳୟରେ ଶନିବାର ଓ ରବିବାର ସର୍ବସାଧାରଣ ଛୁଟି ହୋଇଥିବା ବେଳେ କେତେକ ବାଣିଜ୍ୟିକ ବ୍ୟାଙ୍କରେ ରବିବାର ଛୁଟି ନ ଥାଏ। ଯେଉଁମାନଙ୍କର ରବିବାର ଛୁଟି ଥାଏ, ସେମାନେ ଶୁକ୍ରବାର ଓ ଶନିବାର ଛୁଟି ପାଇବେ। ଯେଉଁମାନଙ୍କର ଶନିବାର ଓ ରବିବାର ଛୁଟି ଥାଏ ସେମାନେ ଶୁକ୍ରବାର ଛୁଟି ପାଇବେ। ଯେଉଁ ବ୍ୟାଙ୍କ ଆଦି ସଂସ୍ଥାମାନଙ୍କର ରବିବାର ଛୁଟି ନ ଥାଏ, ସେମାନେ ବି ଶୁକ୍ରବାରଠାରୁ ରବିବାର ପର୍ଯ୍ୟନ୍ତ ତିନିଦିନ ଛୁଟି ପାଇବେ। ଅର୍ଥାତ୍ ସେମାନଙ୍କ କାର୍ଯ୍ୟାଳୟ ବନ୍ଦ ରହିବ। ସେପ୍ଟେମ୍ବର ୮ରୁ ୧୦ ପର୍ଯ୍ୟନ୍ତ ସମସ୍ତଙ୍କୁ ଛୁଟି ମିଳିବ। ସମସ୍ତ ସରକାରୀ ସଂସ୍ଥା, ନିଗମ, ବୋର୍ଡ, ସ୍ଥାୟୀ ପରିଷଦ, ଶିକ୍ଷାନୁଷ୍ଠାନ ଓ ସମସ୍ତ ବେସରକାରୀ କାର୍ଯ୍ୟାଳୟର କର୍ମଚାରୀମାନେ ଏହି ଛୁଟି ପାଇବେ। ସମସ୍ତ ବାଣିଜ୍ୟିକ ବ୍ୟାଙ୍କ, ଆର୍ଥିକ ଅନୁଷ୍ଠାନଗୁଡ଼ିକ ମଧ୍ୟ ଏହି ତିନିଦିନ ବନ୍ଦ ରହିବ। ସମସ୍ତ ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନ ମଧ୍ୟ ଉକ୍ତ ତିନିଦିନ ବନ୍ଦ ରହିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି।