ପାକିସ୍ତାନ: ସରକାରୀ ଚାକିରିରେ ଯୋଗଦେବା ପୂର୍ବରୁ ବ୍ୟକ୍ତିଙ୍କୁ ଧାର୍ମିକ ସୂଚନା ଦେବା ବାଧ୍ୟତାମୂଳକ

ଇସଲାମାବାଦ୍‌: ସରକାରି ଚାକିରି ପରେ ଧାର୍ମିକ ଶପଥ ପାଠ ସଂପର୍କିତ ଏକ ମାମଲାର ଶୁଣାଣି କରି ଇସଲାମାବାଦ୍‌ ହାଇକୋର୍ଟ କହିଛନ୍ତି, ପାକିସ୍ତାନରେ କୌଣସି ବ୍ୟକ୍ତି ସରକାରୀ ଚାକିରିରେ ଯୋଗ ଦେବା ବେଳେ ଧାର୍ମିକ ସୂଚନା ଦେବା ବାଧ୍ୟତାମୂଳକ। ଶୁଣାଣିରେ କୁହାଯାଇଛି ଯେ, ସିଭିଲ ପରୀକ୍ଷା, ଆର୍ମ ଫୋର୍ସ ତଥା ନ୍ୟାୟପାଳିକାରେ ଶପଥ ନେବା ପୂର୍ବରୁ ବ୍ୟକ୍ତି ନିଜର ଧର୍ମ ସମ୍ପର୍କରେ ଅବଗତ କରନ୍ତୁ। ଜଜ୍‌ ସୌକତ ଅଜିଜ୍‌ ସିଦ୍ଦିକି ଶପଥ ସମ୍ବନ୍ଧିତ ଏକ ମାମଲାର ଶୁଣାଣି କରି ଏହି ରାୟ ଶୁଣାଇଛନ୍ତି ।

ଉଲ୍ଲେଖନୀୟ ଯେ, ଗତ ବର୍ଷ ପାକିସ୍ତାନ ସରକାର କୌଣସି ପଦ ପାଇଁ ନିଆଯାଉଥିବା ଶପଥ ପାଇଁ ନିୟମକୁ ପରିବର୍ତ୍ତନ କରିଥିଲା। ଏହାକୁ ନେଇ କଟ୍ଟରପନ୍ଥୀମାନେ ବଡ଼ ଧରଣର ହଙ୍ଗାମା କରିଥିଲେ। ଅନେକ ସଂଗଠନ ପାକିସ୍ତାନ ସରକାରଙ୍କ ଏହି ନିଷ୍ପତ୍ତିକୁ କଡ଼ା ନିନ୍ଦା କରିବା ସହିତ ଆନ୍ଦୋଳନରେ ସାମିଲ ହୋଇଥିଲେ। କଟ୍ଟରପନ୍ଥୀ ସଂସ୍ଥାମାନଙ୍କର ସଦସ୍ୟମାନେ ଦେଶର ବିଭିନ୍ନ ଅଞ୍ଚଳରେ ହିଂସାକାଣ୍ଡ ଘଟାଇଥିଲେ।

ଜଜ ସିଦ୍ଦିକି ରାୟରେ କହିଛନ୍ତି, ସରକାରୀ ସେବା ଗୁଡ଼ିକରେ ଆବେଦନ କରୁଥିବା ପ୍ରାର୍ଥୀମାନଙ୍କୁ ଚାକିରିରେ ଯୋଗଦେବା ପୂର୍ବରୁ ଶପଥ ନେବା ନିତ୍ୟାନ୍ତ ଜରୁରୀ। ପ୍ରାର୍ଥୀ ଚାକିରି ଜୀବନ ଆରମ୍ଭ କରିବା ପୂର୍ବରୁ ନିଜର ଧର୍ମକୁ ସ୍ପଷ୍ଟ କରନ୍ତୁ। ଏହା ପରେ ଧର୍ମ ଅନୁସାରେ ଶପଥ ପାଠ କରାଯିବ ବୋଲି ଜଜ ସିଦ୍ଦିକି କହିଛନ୍ତି।

ସମ୍ବନ୍ଧିତ ଖବର