୩ ବର୍ଷ ପାଇଁ ଫୋକସ୍‌ ରାଜ୍ୟ ଘୋଷଣା କର: ଭର୍ତ୍ତୃହରି

ଲୋକସଭାରେ ବଜେଟ ଆଲୋଚନା

ନୂଆଦିଲ୍ଲୀ : ଓଡ଼ିଶାକୁ ତିନି ବର୍ଷପାଇଁ ସ୍ବତନ୍ତ୍ର ଫୋକସ ରାଜ୍ୟ ରୂପେ ଘୋଷଣା କରାଯାଉ। ଲୋକସଭାରେ ଗୁରୁବାର ଦିନ ବଜେଟ ଆଲୋଚନାରେ ଭାଗ ନେଇ ଏହି ଦାବି କରିଛନ୍ତି ବିଜେଡି ସାଂସଦ ଭର୍ତ୍ତୃହରି ମହତାବ। ଶ୍ରୀ ମହତାବ କହିଲେ ଯେ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଓ ନୀତି ଆୟୋଗ ସହିତ ଆଲୋଚନା କରାଯାଇଛି। ବର୍ଷକୁ ବର୍ଷ ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଛି। ଆମର ଗୋଟିଏ ମାତ୍ର ଦାବି ହେଉଛି ଓଡ଼ିକୁ ତିନି ବର୍ଷ ପାଇଁ ସ୍ବତନ୍ତ୍ର ଫୋକସ ରାଜ୍ୟର ମାନ୍ୟତା ପ୍ରଦାନ କରାଯାଉ। ୯୦ ପ୍ରତିଶତ କେନ୍ଦ୍ରୀୟ ଅଂଶଧନ ଏବଂ ୧୦ ପ୍ରତିଶତ ରାଜ୍ୟ ଅଂଶଧନ ଭିତ୍ତିରେ ପାଣ୍ଠି ପ୍ରଦାନ କରାଯାଉ। ଯାହା ଦ୍ବାରା ସ୍ଥିତି ଉପରେ କାବୁ କରାଯାଇପାରିବ।

ଆଲୋଚନାରେ ବିଭିନ୍ନ ପ୍ରସଙ୍ଗ ଉପରେ ନିଜ ମତ ରଖିବା ଅବସରରେ ସେ କହିଲେ, ପିଏମ୍‌ କିଷାନ ଆବଣ୍ଟନରେ ଗତ ବର୍ଷ ତୁଳନାରେ ଚଳିତ ବ‌ର୍ଷ ୧୩.୩୩ ପ୍ରତିଶତ ଅର୍ଥ ହ୍ରାସ ପାଇଛି। ଏଥି ସହିତ ଚାହିଦା ଆଧାରିତ ଯୋଜନା ମନରେଗାରେ ମଧ୍ୟ ପାଣ୍ଠି ହ୍ରାସ ପାଇଛି। ରାସନ କାର୍ଡ ୨୦୧୧ରୁ ଅପଡେଟ୍‌ ହୋଇନାହିଁ। ଭାରତର ୪୦ ପ୍ରତିଶତ ଲୋକ ଏବେବି ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ସାମିଲ ହୋଇନାହ‌ାନ୍ତି। ସୁପ୍ରିମକୋର୍ଟ ଅଗଷ୍ଟ ୨୦୨୨ ରାୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନକୁ ସଂପ୍ରସାରଣ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଆଜି ସୁଦ୍ଧା ଏ ଦିଗରେ କିଛି ‌ହୋଇନାହିଁ। ପ୍ରଥମେ ଜନଗଣନା କାର୍ଯ୍ୟ ଶେଷ ହେଉ ବୋଲି ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଉଛି। ଫୁଡ୍‌ ସବ୍‌ସିଡି ଅନୁଦାନ ହ୍ରାସ କରାଯାଇଛି। ଯାହାଦ୍ବାରା ଓଡ଼ିଶା ପ୍ରଭାବିତ ହେବ। ୨୦୨୨-୨୩ ରେ ଖାଦ୍ୟ ସବ୍‌ସିଡି ବାବଦରେ ୨ ଲକ୍ଷ ୧୪ ହଜାର ୫୯୬ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଥିଲା। ଚଳିତ ବଜେଟରେ ଏହାକୁ ହ୍ରାସ କରାଯାଇ ୧ ଲକ୍ଷ ୩୭ ହଜାର ୨୦୭ କୋଟି ଟଙ୍କା କରାଯାଇଛି।

ସେହିଭଳି ଖାଦ୍ୟଶସ୍ୟ ସଂଗ୍ରହ ‌ବିକେନ୍ଦ୍ରୀକରଣ ଖାଦ୍ୟ ସବସିଡି ବାବଦରେ ଗତବର୍ଷ ୭୨,୨୮୩ କୋଟି ଟଙ୍କା ଆବଣ୍ଟନ କରାଯାଇଥିଲା। ଚଳିତ ବର୍ଷ ଏହାର ପରିମାଣ ରହିଛି ୫୯,୭୯୬ କୋଟି ଟଙ୍କା। ସେ କହିଲେ ଯେ ସରକାର କହି ପାରନ୍ତି ଆମେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ପ୍ରତ୍ୟାହାର କରିନେଇଛୁ। ତେଣୁ ଅଧିକ ଶସ୍ୟ ସଂଗ୍ରହ କରିବାର ଆବଶ୍ୟକତା ନାହିଁ। ହେଲେ ଓଡ଼ିଶାରେ ୭୨ ନିୟୁତ ଟନରୁ ଅଧିକ ଧାନ ସଂଗ୍ରହ ହୋଇଥାଏ। ଏହାକୁ ରାଜ୍ୟ ସରକାର ଓ ଏଫ୍‌ସିଆଇ କିଣିଥାନ୍ତି। ସବସିଡି ଆବଣ୍ଟନରେ ହ୍ରାସ ଓ ଧାନ ସଂଗ୍ରହ କମାଯିବା ଯୋଗୁ ଓଡ଼ିଶା ଯ‌ଥେଷ୍ଟ ପ୍ରଭାବିତ ହେଉଛି। କାହିଁକି ଓଡ଼ିଶା ପ୍ରତି ଏଭଳି ବୈମାତୃକ ‌ମନୋଭାବ ବୋଲି ଶ୍ରୀ ମହତାବ ପ୍ରଶ୍ନ କରିଥିଲେ। ଏଫ୍‌ସିଆଇ ଉଷୁନା ଚାଉଳ ଉଠାଉ ନାହିଁ ବୋଲି ଶ୍ରୀ ମହତାବ କହିଥିଲେ।

ସମ୍ବନ୍ଧିତ ଖବର