ନୂଆଦିଲ୍ଲୀ: ଭାରତର ପ୍ରଧାନ ବିଚାରପତି ଏନ୍ଭି ରମଣା ଆଜି ପ୍ରୟାଗରାଜରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୧୯୭୫ ମସିହାରେ ଆଲ୍ଲାହବାଦ ହାଇକୋର୍ଟ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ ଅଯୋଗ୍ୟ ଘୋଷଣା ସଂକ୍ରାନ୍ତ ଦେଇଥିବା ରାୟକୁ ସ୍ମରଣ କରିଛନ୍ତି। ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ଏକ ସାହସିକ ପଦକ୍ଷେପ ଥିଲା ବୋଲି ମତଦେଇ ପ୍ରଧାନ ବିଚାରପତି କହିଛନ୍ତି ଯେ ୧୯୭୫ରେ ଆଲ୍ଲାହବାଦ ହାଇକୋର୍ଟର ବିଚାରପତି ଜଗମୋହନଲାଲ ସିହ୍ନା ଏ ସଂକ୍ରାନ୍ତ ରାୟ ଘୋଷଣା କରିଥିଲେ ଯାହାକି ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଥିଲା। ଇନ୍ଦିରା ଗାନ୍ଧିଙ୍କୁ ଅଯୋଗ୍ୟ ଘୋଷଣା କରିବା ସଂକ୍ରାନ୍ତ ନିଷ୍ପତ୍ତି ଅତ୍ୟନ୍ତ ସାହସିକ ନିର୍ଣ୍ଣୟ ଥିଲା ଏବଂ ଏହାର ସିଧା ପରିଣାମ ସ୍ବରୂପ ଦେଶରେ ଜରୁରୀ ପରିସ୍ଥିତି ଘୋଷଣା ହୋଇଥିଲା । ତେବେ ଏ ବାବଦରେ ଏବେ ବିସ୍ତାରିତ ଭାବେ କିଛି କହିବାକୁ ଚାହୁନାହିଁ ବୋଲି ପ୍ରଧାନ ବିଚାରପତି କହିଛନ୍ତି। ପ୍ରଧାନ ବିଚାରପତି ଆଜି ଆଲ୍ଲାହବାଦ ହାଇକୋର୍ଟର ନୂଆ ଭବନର ଶିଳନ୍ୟାସ ଉତ୍ସବରେ ଯୋଗଦେଇ ଏହି ମନ୍ତବ୍ୟ ରଖିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ନୂଆ ଭବନର ଶିଳାନ୍ୟାସ କରିଛନ୍ତି।
ସୂଚନାଯୋଗ୍ୟ ଜୁନ୍ ୧୨, ୧୯୭୫ରେ ଆଲ୍ଲାହବାଦ ହାଇକୋର୍ଟ ଇନ୍ଦିରା ଗାନ୍ଧିଙ୍କୁ ନିର୍ବାଚନୀ ଅନିୟମିତତା ମାମଲାରେ ୬ ବର୍ଷ ପାଇଁ ଅଯୋଗ୍ୟ ଘୋଷଣା କରିଥିଲେ ଏବଂ ଏହି ସମୟ ମଧ୍ୟରେ ସେ କୌଣସି ନିର୍ବାଚିତ ପଦ ପଦବିରେ ରହିପାରିବେ ନାହିଁ ବୋଲି ରାୟ ଦେଇଥିଲେ। ଏହାପରେ ଜୁନ୍ ୨୫, ୧୯୭୫ରେ ଇନ୍ଦିରା ଜରୁରୀ ପରିସ୍ଥିତି ଲାଗୁ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/65f4654sh654s654sfh56hsfsfhfhsfhs.jpg)