ସେବାରୁ ଅବ୍ୟାହତି ନେଲା ନୌସେନାର ଆଇଏନଏସ ଖୁକ୍ରି; ଏବେ ହେବ ଏକ ସଂଗ୍ରହାଳୟ

ନୂଆଦିଲ୍ଲୀ: ଦୀର୍ଘ ୩୨ ବର୍ଷ କାଳ ଧରି ସେବା ପ୍ରଦାନ କରିବା ପରେ ଶୁକ୍ରବାର ଦିନ ଭାରତୀୟ ନୌସେନାରେ ନିୟୋଜିତ ଜାହାଜ ଖୁକ୍ରିକୁ ଆନୁଷ୍ଠାନିକ ଭାବେ ସେବାରୁ ଅବ୍ୟାହତି ଦିଆଯାଇଛି। ସେବାରୁ ଅବ୍ୟାହତି ନେବାପରେ ଏହାକୁ ଡିୟୁ ପ୍ରଶାସନକୁ ହସ୍ତାନ୍ତର କରାଯାଇଛି। ଏହାକୁ ଏକ ପୂର୍ଣ୍ଣ ସଂଗ୍ରହାଳୟ ଭାବରେ ବିକଶିତ କରିବା ପାଇଁ ଡିୟୁ ପ୍ରଶାସନ ଯୋଜନା ପ୍ରସ୍ତୁତ କରିଛି। ଆଇଏନଏସ ଖୁକ୍ରି ଏହାର ସେବା ସମୟରେ ଉଭୟ – ପଶ୍ଚିମ ଏବଂ ପୂର୍ବ ନୌସେନାର ଅଂଶ ହେବାର ଗୌରବ ପାଇଥିଲା।

ଭାରତୀୟ ନୌସେନା ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଡିୟୁରେ ଆୟୋଜିତ ଏକ ସମାରୋହରେ କେନ୍ଦ୍ର ଶାସିତ ଅଞ୍ଚଳ ଦାଦ୍ରା ଏବଂ ନଗର ହାଭେଲି ଏବଂ ଦମନ ଏବଂ ଲକ୍ଷାଦ୍ୱୀପର ପ୍ରଶାସକ ପ୍ରଫୁଲ ପଟେଲଙ୍କୁ ଖୁକ୍ରିକୁ ଆନୁଷ୍ଠାନିକ ଭାବେ ହସ୍ତାନ୍ତର କରାଯାଇଥିଲା। ଖୁକ୍ରିକୁ ସାଧାରଣ ପରିଦର୍ଶନ ପାଇଁ ଡିୟୁ ପ୍ରଶାସନ ଦ୍ୱାରା ଏକ ସଂଗ୍ରହାଳୟରେ ପରିଣତ କରିବାକୁ ଯୋଜନା କରାଯାଇଛି ବୋଲି ଏଥିରେ ଉଲ୍ଲେଖ କରାଯାଇଛି। ଆଇଏନଏସ ଖୁକ୍ରି ନାମ ବହନ କରିବାରେ ନୌସେନାର ଏହା ହେଉଛି ଦ୍ୱିତୀୟ ଜାହାଜ। ପ୍ରଥମଟି ୧୯୭୧ରେ ଦିଉ ଉପକୂଳରେ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ହଜିଯାଇଥିଲା। ସ୍ୱର୍ଗତ କ୍ୟାପଟେନ ମହେନ୍ଦ୍ରନାଥ ମୁଲ୍ଲା (ମହାବୀର ଚକ୍ର ବିଜେତା)ଙ୍କ ନେତୃତ୍ୱରେ ସେହି ଜାହାଜର ସାହସୀ କର୍ମଚାରୀମାନେ ଦିଉର ଖୁକ୍ରି ସ୍ମାରକୀରେ ଅମର ହୋଇଯାଇଥିଲେ।

ସମ୍ବନ୍ଧିତ ଖବର