ନୂଆଦିଲ୍ଲୀ: ଜିଏସଟି କାଉନସିଲର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଜୁନ ୧୨ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ କରୋନା ମହାମାରୀ ବେଳେ ଅତ୍ୟାବାଶକୀୟ ସାମଗ୍ରୀ ଉପରେ ଜିଏସଟି ଦର କମାଇବାକୁ ନେଇ ନିଷ୍ପତ୍ତି ହୋଇପାରେ ।
ମେ ୨୮ ତାରିଖରେ ଜିଏସଟି କାଉନସିଲର ବୈଠକରେ ପିପିଇ କିଟ୍, ମାସ୍କ, ଟିକା ସହିତ କୋଭିଡ ପାଇଁ ବ୍ୟବହୃତ ସାମଗ୍ରୀ ଉପରେ ସୁବିଧା ଦେବାକୁ ଏକ ଗ୍ରୁପ ଅଫ୍ ମିନିଷ୍ଟର୍ସ ଗଠନ କରାଯାଇଥିଲା । ସେମାନେ ଏହା ଉପରେ ଅନୁଧ୍ୟାନ କରି ଜୁନ ୭ ତାରିଖରେ ରିପୋର୍ଟ ପ୍ରଦାନ କରିଛନ୍ତି ।
/sambad/media/post_attachments/wp-content/uploads/2020/10/ppe-istock-scaled.jpg)
ଜିଏସଟି କାଉନସିଲର ଜଣେ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ଖବର ମୁତାବକ ଶନିବାର ଦିନ ବୈଠକ ବସିବ । ଏହି ବୈଠକରେ ଗ୍ରୁପ ଅଫ୍ ମିନିଷ୍ଟର୍ସ ରିପୋର୍ଟ ଉପରେ ବିଚାର କରାଯିବ । ଅନ୍ୟପଟେ କିଛି ରାଜ୍ୟର ଅର୍ଥମନ୍ତ୍ରୀ କୋଭିଡ ମହାମାରୀ ସମ୍ବନ୍ଧୀୟ ସାମଗ୍ରୀ ଉପରେ ଜିଏସଟି କମ କରିବାକୁ ପୂର୍ବରୁ ଦାବି ଜଣାଇ ଆସିଛନ୍ତି । ଏହି ଦାବି ପ୍ରଥମେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉଠାଇଥିବା ବେଳେ ଏବେ ବିଜେପି ଶାସିତ ଉତ୍ତରପ୍ରଦେଶ ସରକାର ବି ଏଭଳି ଦାବିକୁ ସମର୍ଥନ କରିଛନ୍ତି ।
ଏହାକୁ ନଜରରେ ରଖି ଆଶା କରାଯାଉଛି କି ଜୁନ ୧୨ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଗ୍ରୁପ ଅଫ୍ ମିନିଷ୍ଟର୍ସ ରିପୋର୍ଟ ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଦାବିକୁ ଅନୁଧ୍ୟାନ କରି କୋଭିଡ୍ ସମ୍ବନ୍ଧୀୟ ସାମଗ୍ରୀ ଉପରେ ଅର୍ଥମନ୍ତ୍ରୀ ଜିଏସଟି ଦର କମ କରିପାରନ୍ତି ।