କମୁଛି ସଂକ୍ରମଣ, ବଢ଼ୁଛି ମୃତ୍ୟୁ: ଦିନକରେ ୩,୧୧,୧୭୦ ସଂକ୍ରମିତ, ୪,୦୭୭ ମୃତ

ନୂଆଦିଲ୍ଲୀ: ମହାମାରୀ କୋଭିଡ୍‌-୧୯ ଦ୍ବିତୀୟ ଲହର ସଂକ୍ରମଣର ଲୁଚକାଳି ଖେଳ ଦେଶର ଭୂତାଣୁ ବିଶେଷଜ୍ଞ ଓ ଯୋଜନାବିତ୍‌ଙ୍କ ପାଇଁ କିଛି ଚୂଡ଼ାନ୍ତ ଉପସଂହାର ଆଣିପାରୁନି। ଦେଶରେ ଦୈନିକ ସଂକ୍ରମଣ କମି ଆସିବା ଯେତିକି ଆଶ୍ବସ୍ତି ଆଣିଦେଉଛି, ମୃତକଙ୍କ ସଂଖ୍ୟା ବଢ଼ିବା ମଧ୍ୟ ସେତିକି ଚିନ୍ତାର ବିଷୟ ହୋଇଛି। ଗତ ସପ୍ତାହରେ ଦୈନିକ ସଂକ୍ରମଣ ୪ ଲକ୍ଷରୁ ଅଧିକ ରହୁଥିବା ବେଳେ ଏବେ ତାହା ଧୀରେ ଧୀରେ କମି ୩ ଲକ୍ଷ ପାଖକୁ ଖସି ଆସିଛି। ରବିବାର ସକାଳ ୮ଟା ସୁଦ୍ଧା ବିଗତ ୨୪ ଘଣ୍ଟା ଭିତରେ ଦେଶରେ ୩,୧୧,୧୭୦ ଜଣ ନୂତନ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି ଯାହା ବିଗତ ୨୫ ଦିନ ଭିତରେ ସର୍ବନିମ୍ନ ଦୈନିକ ସଂକ୍ରମଣ ବୋଲି ଜଣାଯାଇଛି। ସେଥି ମଧ୍ୟରୁ କର୍ଣ୍ଣାଟକରେ ସର୍ବାଧିକ ୪୧,୬୬୪ ଜଣ ଥିବା ବେଳେ ତାହା ପଛକୁ ମହାରାଷ୍ଟ୍ରରେ ୩୪,୮୪୮ ଜଣ ରହିଛନ୍ତି। ସେହିପରି ତାମିଲନାଡୁରେ ୩୩,୬୫୮ ଜଣ, କେରଳରେ ୩୨,୬୮୦ ଜଣ ଓ ଆନ୍ଧ୍ରପ୍ରଦେଶରେ ୨୨,୫୧୭ ଜଣ ନୂତନ ସଂକ୍ରମିତ ଠାବ ହୋଇଛନ୍ତି।

ଶନିବାରର ଏହି ସଂଖ୍ୟାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୪୬,୮୪,୦୭୭ ହୋଇଛି। ସେହିପରି ଏହି ଦିନକ ଭିତରେ ୩,୬୨,୪୩୭ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ମୋଟ ୨,୦୭,୯୫,୩୩୫ ଜଣ ପୀଡ଼ିତ ଏହି ମହାମାରୀରୁ ସୁସ୍ଥ ହୋଇଥିବା ଜଣାଯାଇଛି। ଲଗାତାର ପଞ୍ଚମ ଦିନ ପାଇଁ ନୂତନ ସଂକ୍ରମିତଙ୍କ ତୁଳନାରେ ଅଧିକ ସଂଖ୍ୟକ ଆରୋଗ୍ୟ ଲାଭ କରିବା ସହ ଆରୋଗ୍ୟ ହାର ୮୪.୨୫ ପ୍ରତିଶତ ପରି ଉଚ୍ଚରେ ରହିବା ଆଶ୍ବସ୍ତିର କାରଣ ହୋଇଛି। ତଥାପି ଦେଶରେ ଅଦ୍ୟାବଧି ୩୬,୧୮,୪୫୮ଟି ସକ୍ରିୟ ମାମଲା ରହିଛି। ଅପରପକ୍ଷେ, ଏହି ୨୪ ଘଣ୍ଟା ଭିତରେ ଦେଶରେ ମୋଟ ୪,୦୭୭ ଜଣଙ୍କର କୋଭିଡ୍‌ରେ ମୃତ୍ୟୁ ହୋଇଛି। ସେଥିରୁ ମହାରାଷ୍ଟ୍ରରେ ସର୍ବାଧିକ ୯୬୦ ଜଣ ଓ ତାହା ପଛକୁ କର୍ଣ୍ଣାଟକରେ ୩୪୯ ଜଣ ରହିଛନ୍ତି। ଗତ ସପ୍ତାହରେ ଗୁରୁବାର ଯାଏ ଲଗାତାର ତିନି ଦିନ ଧରି ଦେଶରେ କୋଭିଡ୍‌ ମୃତକଙ୍କ ସଂଖ୍ୟା ୪,୦୦୦ ଉପରେ ରହିବା ପରେ ଶୁକ୍ରବାର ତାହା ୪ ହଜାର ତଳକୁ ଖସି ଆସି ଆଶ୍ବସ୍ତି ଆଣିଥିବା ବେଳେ ଆଜି ପୁଣି ତାହା ୪ ହଜାରକୁ ଟପିଯାଇ ଚିନ୍ତାର କାରଣ ହୋଇଛି। ଏହାକୁ ମିଶାଇ ଦେଶରେ ମୋଟ କୋଭିଡ୍‌ ମୃତକଙ୍କ ସଂଖ୍ୟା ୨,୭୦,୨୮୪ରେ ପହଞ୍ଚିଥିବା କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ସୂଚନାରୁ ସ୍ପଷ୍ଟ ହୋଇଛି। ବର୍ତ୍ତମାନ ସୁଦ୍ଧା ମୋଟ ୩୧,୪୮,୫୦,୧୪୩ଟି ନମୁନା ପରୀକ୍ଷା କରାସରିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର