ନୂଆଦିଲ୍ଲୀ: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ‘ଅତି ଭୟଙ୍କର ସାମୁଦ୍ରିକ ବାତ୍ୟା’ ପାଲଟିବ ବୋଲି ଆଜି ସକାଳେ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ବାତ୍ୟା ପ୍ରକୋପରୁ ଆଗାମୀ ୨୪ ଘଣ୍ଟା ଧରି ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ପ୍ରବଳ ବୃଷ୍ଟିପାତ ହେବ ବୋଲି ସତର୍କ ସୂଚନା ଜାରି କରାଯାଇଛି।

Advertisment

ସକାଳ ୮.୩୦ ବୁଲେଟିନ୍‌ରେ ଭାରତୀୟ ପାଣିପାଗ ବିଭାଗ କହିଛି ଯେ, ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଗତ ୬ ଘଣ୍ଟା ହେବ ଆଂଶିକ ଭାବେ ସ୍ଥିର ଥିଲା। ପରେ ଏହା ତୀବ୍ରତର ହୋଇ ସାମୁଦ୍ରିକ ବାତ୍ୟା ‘ୟାସ୍‌’ ପାଲଟିବା ସହ ସୋମବାର ଭୋର୍‌ ୫.୩୦ ବେଳକୁ ୧୬.୩ ଡିଗ୍ରି ଉତ୍ତର ଦ୍ରାଘିମା ଏବଂ ୮୯.୭ ଡିଗ୍ରି ପୂର୍ବ ଅକ୍ଷାଂଶ ମଧ୍ୟରେ ପୋର୍ଟ ବ୍ଲେୟାର୍‌ରୁ ପ୍ରାୟ ୬୦୦ କିଲୋମିଟର ଦୂର ଉତ୍ତର-ଉତ୍ତରପଶ୍ଚିମ, ପାରାଦୀପରୁ ୫୪୦ କିଲୋମିଟର ଦୂର ଦକ୍ଷିଣ-ଦକ୍ଷିଣପୂର୍ବ, ବାଲେଶ୍ବରରୁ ୬୫୦ କିଲୋମିଟର ଦୂର ଦକ୍ଷିଣ-ଦକ୍ଷିଣପୂର୍ବ ଏବଂ ଦିଘାରୁ ୬୩୦ କିଲୋମିଟର ଦୂର ଦକ୍ଷିଣ-ଦକ୍ଷିଣପୂର୍ବ ସମୁଦ୍ର ଉପରେ କେନ୍ଦ୍ରୀଭୂତ ହୋଇଥିଲା।

publive-image Image Courtesy of IMD

ଆଗାମୀ ୨୪ ଘଣ୍ଟା ମଧ୍ୟରେ ‘ୟାସ୍‌’ ଭୟଙ୍କର ସାମୁଦ୍ରିକ ବାତ୍ୟା ପାଲଟି ଧୀରେ ଧୀରେ ଉତ୍ତର-ଉତ୍ତରପଶ୍ଚିମ ଆଡ଼କୁ ଗତି କରିବା ସହ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଅତି ଭୟଙ୍କର ସାମୁଦ୍ରିକ ବାତ୍ୟାରେ ପରିଣତ ହେବ।

publive-image Image Courtesy of IMD

ମେ ୨୬ ତାରିଖ ପ୍ରତ୍ୟୁଷ ବେଳକୁ ‘ୟାସ୍‌’ ଅତି ଭୀଷଣ ସାମୁଦ୍ରିକ ବାତ୍ୟା ଭାବେ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ପହଞ୍ଚିବ। ମେ ୨୬ ତାରିଖ ମଧ୍ୟାହ୍ନ ବେଳକୁ  ଏହା ପାରାଦୀପ ଓ ସାଗର ଦ୍ବୀପ ମଧ୍ୟ ଦେଇ ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ଥିବା କଥା ଭାରତୀୟ ପାଣିପାଗ ବିଭାଗ କହିଛି।