ନୂଆଦିଲ୍ଲୀ : ‘ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ବାଧୀନତା ଦେବି’, ‘ଦିଲ୍ଲୀ ଚଲୋ’ର ଡାକରା ଦେଇଥିବା ମହାନ୍ ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ତାଙ୍କର ୭୭ତମ ମୃତ୍ୟୁ ବାର୍ଷିକୀରେ ଗୁରୁବାର ନେତାମାନେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

Advertisment

କଂଗ୍ରେସ ଓ ସମାଜବାଦୀ ପାର୍ଟିର ଟ୍ବିଟର ହ୍ୟାଣ୍ଡେଲରେ ନେତାଜୀଙ୍କୁ ଶ୍ରଦ୍ଧା ନିବେଦନ କରାଯାଇଛି। ଝାଡ଼ଖଣ୍ଡ ବିରୋଧୀ ଦଳର ନେତା ବାବୁଲାଲ ମାରାଣ୍ଡି ଇଣ୍ଡିଆ ଗେଟ୍‌ରେ ଥିବା ନେତାଜୀଙ୍କ ବିଗ୍ରହର ଫଟୋ ସେୟାର କରି ମହାନ ଦେଶଭକ୍ତ କହି ଆଜାଦ ହିନ୍ଦ ଫୌଜର ପ୍ରତିଷ୍ଠାତାଙ୍କୁ ସ୍ମରଣ କରିଛନ୍ତି।

ବିଜେପି ଜାତୀୟ ମୁଖପାତ୍ର ପ୍ରେମ ଶୁକ୍ଳା ମଧ୍ୟ ଟ୍ବିଟ୍ କରି ନେତାଜୀଙ୍କ ଗୁଣଗାନ କରିଛନ୍ତି। ଆନ୍ଧ୍ରପ୍ରଦେଶର ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ବିଷ୍ଣୁବର୍ଦ୍ଧନ ରେଡ୍ଡୀ, ବିଜେପିର ଝୁନ୍‌ଝୁନୁ ଏମ୍‌ପି ନରେନ୍ଦ୍ର କୁମାର ପ୍ରମୁଖ ବହୁ ନେତା ମୃତ୍ୟୁ ବାର୍ଷିକୀରେ ନେତାଜୀଙ୍କୁ ସ୍ମରଣ କରିଛନ୍ତି।

୧୮୯୭ ମସିହା ଜାନୁଆରି ୨୩ ତାରିଖରେ କଟକରେ ଜନ୍ମ ହୋଇଥିବା ଏହି ମହାନ୍ ବିପ୍ଳବୀଙ୍କ ମୃତ୍ୟୁ ତାରିଖ ବିବାଦୀୟ ହୋଇଥିଲେ ମଧ୍ୟ ୧୯୪୫ ମସିହା ଅଗଷ୍ଟ ୧୮ ତାରିଖରେ ବିମାନ ଦୁର୍ଘଟଣାରେ ତାଙ୍କ ମୃତ୍ୟୁ ହୋଇଥିବା ଅନେକେ ବିଶ୍ବାସ କରୁଛନ୍ତି। ବହୁଲୋକ ଏହି ମତକୁ ମାନୁଥିବାରୁ ତାକୁ ଏବେ ନେତାଜୀଙ୍କ ମୃତ୍ୟୁ ଦିବସ ଭାବେ ପାଳନ କରାଯିବା ଆରମ୍ଭ ହେଲାଣି।