ଦୀପକ ପାଲିଓ୍ୱାଲ୍‌ଙ୍କ ବିରଳ ତ୍ୟାଗ : କୋଭିଡ୍ ଟିକା ପାଇଁ ଜୀବନକୁ ବାଜି ଲଗାଇ ସ୍ବେଚ୍ଛାସେବୀ ସାଜିଲେ

ନୂଆଦିଲ୍ଲୀ : ସାରା ବିଶ୍ବରେ ଅଦ୍ୟାବଧି କୋଟିଏ ୩୫ ଲକ୍ଷରୁ ଅଧିକ ଲୋକଙ୍କୁ ଘାଇଲା କରିବା ସହ ପାଖାପାଖି ୫ ଲକ୍ଷ ୮୩ ହଜାର ମୃତ୍ୟୁର କାରଣ ସାଜିଥିବା ମହାମାରୀ କୋଭିଡ୍-୧୯ର ମୁକାବିଲା ପାଇଁ ଭିନ୍ନ ଭିନ୍ନ ସ୍ତରରେ ବିଭିନ୍ନ ପ୍ରୟାସା ଜାରି ରହିଛି। ତେବେ ଏହାର ନିରାକରଣ ଉଦ୍ଦେଶ୍ୟରେ ଅକ୍ସଫୋର୍ଡ ଟିକା ବିକାଶ ପ୍ରକଳ୍ପ ଦ୍ବାରା ବିକଶିତ ଏକ ଟିକା ପାଇଁ ସ୍ବେଚ୍ଛାସେବୀ ସାଜିବା ହିଁ ଏକ ବିରଳ ତ୍ୟାଗ କହିଲେ ଅତ୍ୟୁକ୍ତି ହେବନାହିଁ। ଏହି ଟିକାର ନୈଦାନିକ ପରୀକ୍ଷଣ ପାଇଁ ଲଣ୍ଡନରେ ରହୁଥିବା ସୁସ୍ଥ ସବଳ ଭାରତୀୟ ବଂଶୋଦ୍ଭବ ଦୀପକ ପାଲିଵାଲ୍‌ ନିଜ ଜୀବନକୁ ବାଜି ଲଗାଇବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି।

ଗତ ମାର୍ଚ୍ଚ ମଧ୍ୟଭାଗ ବେଳକୁ ଅନିୟନ୍ତ୍ରିତ କରୋନାଭୂତାଣୁ ସଂକ୍ରମଣକୁ ମୁକାବିଲା କରୁଥିବା ସ୍ବାସ୍ଥ୍ୟକର୍ମୀମାନଙ୍କ ପରି ସମ୍ମୁଖ ଯୋଦ୍ଧାଙ୍କ ଉତ୍ସର୍ଗୀକୃତ ତ୍ୟାଗରେ ଉତ୍ସାହିତ ହୋଇ ଦୀପକ କୋଭିଡ୍‌ ପୀଡ଼ିତଙ୍କ ପାଇଁ କିଛି କରିବେ ବୋଲି ମନରେ ଅଭିଳାଷ ରଖିଥିଲେ। ତେବେ ଏପ୍ରିଲ ମଧ୍ୟଭାଗରେ ଯେତେବେଳେ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଦ୍ବାରା ବିକଶିତ ଏକ ଟିକା(ସିଏଚ୍‌ଏଡିଓଏକ୍ସ୧)ର ସବୁଠୁ ଗୁରୁତ୍ବପୂର୍ଣ୍ଣ ତଥା ବିପଜ୍ଜନକ ଦ୍ବିତୀୟ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ପାଇଁ ସ୍ବେଚ୍ଛାସେବୀ ଖୋଜାଗଲା, ଦୀପକ ସେଥିରେ ନିଜକୁ ସାମିଲ କରିବା ଏକ ସୌଭାଗ୍ୟ ବୋଲି ଧରିନେଲେ। ସେତେବେଳେ ନିଜ ପତ୍ନୀଙ୍କ ସହ ଲଣ୍ଡନରେ ରହୁଥିବା ଏହି ୪୨ ବର୍ଷୀୟ ଭେଷଜ ପରାମର୍ଶଦାତା ତତ୍‌ଜନିତ ଆଶୁ ବିପଦ ପ୍ରତି ଆଦୌ ଖାତିର କରିନଥିଲେ। ସମ୍ଭାବ୍ୟ ପରିଣାମ ସମ୍ପର୍କରେ ଜଣେ ବନ୍ଧୁଙ୍କ ଠାରୁ ସୂଚନା ପାଇ ସୁଦ୍ଧା ସେ ନିଜକୁ ଏହି ପରୀକ୍ଷଣରେ ସାମିଲ କରିଥିବା ବେଳେ ତାଙ୍କ ପତ୍ନୀ ଏଥିରେ ରାଜି ନଥିଲେ। ଏପ୍ରିଲ ୧୬ ତାରିଖରେ ତାଙ୍କର ଯାବତୀୟ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ପରିଣତି ସମ୍ପର୍କରେ ମଧ୍ୟ ଅବଗତ କରାଯାଇଥିଲା। ଯଦିଓ ନିଜ ପରିବାରରେ ମାଆ, ପତ୍ନୀ, ଭଉଣୀ ଏବଂ ଅନ୍ୟମାନଙ୍କ ସ୍ନେହଶ୍ରଦ୍ଧା ତାଙ୍କୁ ସାମୟିକ ଭାବେ ବିବ୍ରତ କରୁଥିଲା, ତେବେ ଲକ୍ଷ ଲକ୍ଷ କୋଭିଡ୍‌ ଆକ୍ରାନ୍ତଙ୍କ କଥା ଭାବି ସେ ଆଦୌ ବିଚଳିତ ହୋଇନଥିଲେ। ଶେଷରେ ମେ ୧୧ରେ ତାଙ୍କ ଠାରେ ଟିକାର ନିର୍ଦ୍ଦିଷ୍ଟ ମାତ୍ରା ପ୍ରୟୋଗ କରାଯାଇ ତାଙ୍କୁ ଦୁଇ ଘଣ୍ଟା ଅପେକ୍ଷା କରିବାକୁ କୁହାଯାଇଥିଲା। ସେଦିନ ରାତିରେ ତାଙ୍କୁ ଭୀଷଣ ଜ୍ବର ହେବା ସହ ଗୋଡ଼ହାତ ଥରିବାକୁ ଲାଗିଲା ଏବଂ ଟିକା ନେଇଥିବା ସ୍ଥାନରେ ବିନ୍ଧା ଓ ଫୁଲା ଜଣାପଡ଼ିଥିଲା। ତେବେ ତାହା ପରେ ତାଙ୍କୁ ଆଉ ବେଶି କିଛି ଅସ୍ବାଭାବିକତା ମନେ ହୋଇନାହିଁ।

ଅପରପକ୍ଷେ, ନିରନ୍ତର ସ୍ବାସ୍ଥ୍ୟକର୍ମୀଙ୍କ ନିରୀକ୍ଷଣରେ ରହୁଥିବା ଦୀପକଙ୍କୁ ୯୦ ଦିନ ଯାଏ ଅପେକ୍ଷା କରିବାକୁ ପଡ଼ିବ ଏବଂ ପରେ ଆହୁରି ୬ ମାସ ଯାଏ ମଧ୍ୟ ସଜାଗ ରହିବାକୁ ହେବ। ଅବଶ୍ୟ ପାର୍ଶ୍ବ ପ୍ରତିକ୍ରିୟା ସ୍ବରୂପ ତାଙ୍କଠାରେ ସେପରି କିଛି ଅବିଗୁଣ ପରିଲକ୍ଷିତ ହୋଇ ନଥିଲେ ମଧ୍ୟ ସମ୍ଭାବ୍ୟ ବିପଦ ତାଙ୍କ ପିଛା ଛାଡ଼ିନି। ଏହା ସତ୍ତ୍ବେ ଜୀବନକୁ ଏପରି ଉତ୍ସର୍ଗ କରିବା ଘଟଣା ଦୀପକଙ୍କୁ ନିଆରା ପ୍ରମାଣିତ କରିଛି।

ସମ୍ବନ୍ଧିତ ଖବର