ଅକ୍ସଫୋର୍ଡ କୋଭିଡ୍-୧୯ ଟିକା ପରୀକ୍ଷଣରେ ସ୍ବେଚ୍ଛାସେବୀ ହୋଇଛନ୍ତି ଜଣେ ଭାରତୀୟ, ଜାଣନ୍ତୁ ସେ କିଏ…

ନୂଆଦିଲ୍ଲୀ: ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଦ୍ବାରା ପ୍ରସ୍ତୁତ କୋଭିଡ୍-୧୯ ଟିକାର ମାନବ ପରୀକ୍ଷଣରେ ଅନ୍ୟତମ ସ୍ବେଚ୍ଛାସେବୀ ହେଉଛନ୍ତି ବ୍ରିଟିସ୍-ଭାରତୀୟ ୪୨ ବର୍ଷିୟ ଦୀପକ ପାଲିୱାଲ୍। ଏପ୍ରିଲ୍ ମାସରେ ଏହି ଟିକା ପରୀକ୍ଷଣର ପ୍ରଥମ ପର୍ଯ୍ୟାୟ ହେବା କଥା ଜାଣିବା ପରେ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣରେ ସ୍ବେଚ୍ଛାସେବୀ ହେବାକୁ ସେ ନାଁ ତାଲିକାଭୁକ୍ତ କରାଇଥିଲେ। କିନ୍ତୁ, ଏଥିପାଇଁ ତାଙ୍କ ପରିବାର କିଂବା ସାଙ୍ଗସାଥୀ କାହାରି ସମର୍ଥନ ନ ଥିଲା।

ଗଣମାଧ୍ୟମକୁ ସେ କହିଛନ୍ତି, ‌ପତ୍ନୀ ସମେତ ମୋ ପରିବାର ସମସ୍ତେ ମୋ ନିଷ୍ପତ୍ତି‌ ଯୋଗୁଁ ଚିନ୍ତାକୁଳ ହୋଇପଡ଼ିଥିଲେ। ମତେ ସେମାନେ ‘ଗିନି ପିଗ୍’ (ଔଷଧ ପରୀକ୍ଷା ଲାଗି ବ୍ୟବହାର ହେଉଥିବା ମୂଷା ବା କୃଦନ୍ତ ଶ୍ରେଣୀୟ ଜୀବ) ନ ହେବାକୁ ପରାମର୍ଶ ଦେଇଥିଲେ। ମୋ ଜୀବନ ବିପନ୍ନ ହେଉ ପଛକେ ଏ ମହାମାରୀ ସଙ୍ଗେ ଲଢ଼ିବାକୁ ବିଶ୍ବକୁ ମୁଁ ସହଯୋଗ କରିବାକୁ ଚାହିଁଥିଲି।

ଏପ୍ରିଲ୍ ୧୬ ତାରିଖରେ ହୋଇଥିବା ଦ୍ବିତୀୟ ପର୍ଯ୍ୟାୟ ‘ସିଏଚ୍‌ଏଡିଓଏକ୍ସ୧ଏନ୍ କୋଭ୍-୧୯’ ଟିକା ପରୀକ୍ଷଣ ଲାଗି ବଛାଯାଇଥିବା ୧୦୦୦  ସ୍ବେଚ୍ଛାସେବୀଙ୍କ ମଧ୍ୟରେ ସେ ସାମିଲ ହୋଇଥିଲେ। ପାଲିୱାଲ୍ ଏହି ପରୀକ୍ଷଣରେ ଅଂଶ ଗ୍ରହଣ କରିଥିବା ଜଣେ ମାତ୍ର ଭାରତୀୟ ବୋଲି ଖବର ମିଳିଛି। ପାଲିୱାଲ୍‌ଙ୍କ ଘର ରାଜସ୍ଥାନର ଜୟପୁରରେ। ମଣିପାଲ ବିଶ୍ବବିଦ୍ୟାଳୟ ସ୍ନାତକୋତ୍ତର ହାସଲ କରିବା ପରେ ସେ ୨୦୧୦ରେ ଇଂଲଣ୍ଡ୍ ଚାଲିଯାଇଥିଲେ।

Image Courtesy of Times Now

ପାଲିୱାଲ୍ ପୁଣି କହିଛନ୍ତି, ନିଜ ଅବଦାନ ପାଇଁ ସେ ଖୁସି ଥିଲେ ବି ପରୀକ୍ଷଣରେ ଅଂଶ ଗ୍ରହଣ କରିଥିବାରୁ ଦୁଶ୍ଚିନ୍ତା ବି ଘାରୁଛି। ସେ କହନ୍ତି, ଚିନ୍ତାର କାରଣ ହେଲା ଏହା ପୂର୍ବରୁ ଏହି ଟିକା କେବଳ ପ୍ରାଣୀମାନଙ୍କୁ ପରୀକ୍ଷାମୂଳକ ଭାବେ ଦିଆଯାଇଥିଲା। କେତେକ କହିଲେ ଟିକା ନେଇଥିବାରୁ ମୋ ପ୍ରଜନନ କ୍ଷମତା ଲୋପ ପାଇଯିବ। ଅନ୍ୟ କେତେକ କହିଲେ ଗବେଷକମାନେ ଗତିବିଧି ଜାଣିବାକୁ ମୋ ଦେହରେ ଚିପ୍‌ସ୍ ଲଗାଇ ଦେଇଥାଇ ପାରନ୍ତି।

ଆହୁରି ମଧ୍ୟ କେତେକ ଗବେଷକ କହିଲେ ଯେ, ଟିକା ଦ୍ବାରା ବୃଦ୍ଧି ପାଉଥିବା ରୋଗପ୍ରତିରୋଧକ ଶକ୍ତି ଯୋଗୁଁ ସେ କୋଭିଡ୍-୧୯ ସଂକ୍ରମଣ ହୋଇଛନ୍ତି ବୋଲି ସନ୍ଦେହ ଉପୁଜି ପାରେ। କିନ୍ତୁ, ସେ ଦ୍ବିଧାବୋଧ କରି ନ ଥିଲେ। ମାନବଜାତିକୁ ରକ୍ଷା କରିବା ନିମନ୍ତେ ଏସୀୟ ସମ୍ପ୍ରଦାୟଭାବେ ସେ ପ୍ରତିନିଧିତ୍ବ କରିବାକୁ ନିଷ୍ପତ୍ତି ନେଇ ସାରିଥିଲେ।

ମେ ୧୧ ତାରିଖ ଦିନ ସେ ଟିକା ନେବା ପରେ କେତେକ ଗାଇଡ୍‌ଲାଇନ୍‌ ପାଳନ କରୁଛନ୍ତି। ଏଥିପାଇଁ ଷ୍ଟଡି ଟ୍ରାଏଲ୍‌ରେ ଯୋଗଦେବାକୁ ଯିବା, ଟିକା ପରୀକ୍ଷଣ କେନ୍ଦ୍ରକୁ ସର୍ବସାଧାରଣ ପରିବହନରେ ନ ଯିବା, ଶରୀର ଉପସର୍ଗ ଆଦି ଅଧ୍ୟୟନ ଏବଂ ନିରୀକ୍ଷଣ କରିବାକୁ ଗବେଷକମାନଙ୍କୁ ଅନୁମତି ଦେବା ଆଦିରେ ସହଯୋଗ କରୁଛନ୍ତି। ଏବେ ସେ ବର୍ଷେ ପର୍ଯ୍ୟନ୍ତ ନିରୀକ୍ଷଣରେ ରହିବେ।

ସମ୍ବନ୍ଧିତ ଖବର