ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ତୀବ୍ର ହେଉଛି କନ୍ଦଳ; ବାହାରୁନି ସମାଧାନର ରାସ୍ତା; ବିଜେପି ସହ ବୈଠକକୁ ବାତିଲ କଲା ଶିବସେନା

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି- ଶିବସେନା ମେଣ୍ଟ ବିପୁଳ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲେ ମଧ୍ୟ ଏଯାବବତ୍‌ ସେଠାରେ ସରକାର ଗଠନ ସମ୍ଭବପର ହୋଇପାରି ନାହିଁ। ମୁଖ୍ୟମନ୍ତ୍ରୀ ଚୌକି ପାଇଁ ବିଜେପି ଓ ସହଯୋଗୀ ଶିବସେନା ମଧ୍ୟରେ ଆରମ୍ଭ ହୋଇଥିିବା ବିବାଦ କ୍ରମଶଃ ତିକ୍ତ ଓ ତୀବ୍ର ହୋଇ ପଡ଼ୁଥିବା ବେଳେ ସରକାର ଗଠନ ପାଇଁ ସମସ୍ୟା ତୁଟିବା ବଦଳରେ ବଢ଼ିବାରେ ଲାଗିଛି।

ଅନ୍ୟପକ୍ଷରେ ଆଜି ମଧ୍ୟାହ୍ନରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଦେବେନ୍ଦ୍ର ଫଡ୍‌ନାବିସ୍‌ ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଶିବସେନାରର ୫୦-୫୦ ଫର୍ମୂଲାକୁ ପ୍ରତ୍ୟାଖାନ କରିିବା ସହ; ‘ଆଗାମୀ ୫ ବର୍ଷ ପାଇଁ ମୁଁ ହିଁ ମୁଖ୍ୟମନ୍ତ୍ରୀ ରହିବି’ ବୋଲି ଘୋଷଣା କରିଦେବା ପରେ ଉଭୟ ଦଳ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଆହୁରି ଉଗ୍ର ଓ ତିକ୍ତ ହୋଇ ପଡ଼ିଛି। ଫଳ ସ୍ବରୂପ ଆଜି ସନ୍ଧ୍ୟାରେ ସରକାର ଗଠନ ଉଦ୍ଦେଶ୍ୟରେ ବିଜେପି ସହ ଆୟୋଜିତ ହେବାକୁ ଥିବା ବୈଠକକୁ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ଶେଷ ମୂହୁର୍ତ୍ତରେ ବାତିଲ କରି ଦେଇଛନ୍ତି।

News Nation

ମହାରାଷ୍ଟ୍ରର ବିଜେପି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନାବିସ୍‌ ଆଜି ନିର୍ବାଚନ ପୂର୍ବରୁ ଶିବସେନା ସହିତ ଆସନ ବୁଝାମଣା ବେଳେ ବିଜେପି ଅଧ୍ୟକ୍ଷ ଅମିତ୍‌ ଶାହା ଯେଉଁ ଆଲୋଚନା କରିଥିଲେ ସେଥିରେ ୫୦-୫୦ ଫର୍ମୂଲାରେ ସରକାର ଗଠନ ଓ ଉଭୟ ଦଳ ଦୁଇପାଳିରେ ଅଢ଼େଇ ଅଢ଼େଇ ବର୍ଷ କରି ମୁଖ୍ୟମନ୍ତ୍ରୀ ଆସନରେ ବସିବା ପାଇଁ କୌଣସି ସର୍ତ୍ତ ନଥିଲା ବୋଲି କହିବା ପରେ ଶିବସେନା ଆ‌େଲାଚନା କାଳର ଭିଡିଓ ବାହାର କରି ବିଜେପି ଅଧ୍ୟକ୍ଷ ଅମିତ୍‌ ଶାହାଙ୍କ ନିକଟକୁ ପଠାଇଛି।

ଅନ୍ୟପକ୍ଷରେ, ନିର୍ବାଚନ ପରେ ସରକାର ଗଠନ ପୂର୍ବରୁ ଶିବସେନା ପକ୍ଷରୁ ଯେଉଁସବୁ ଦାବି ଉପସ୍ଥାପନ କରାଯାଉଛି ସେସବୁ ସଂପୂର୍ଣ୍ଣ ଅମୂଳକ ଏବଂ ଆଧାରହୀନ। ଏସଂପର୍କରେ ଶିବସେନା କ୍ଷମତା ମୋହରେ ନିଜର ମୁଖପତ୍ର ‘ସାମନା’ରେ ବିଜେପିକୁ ସାଧାରଣରେ ଅପମାନିତ ଓ ନିନ୍ଦିତ କରିବାକୁ ଯେଉଁ ଅପଚେଷ୍ଟା ଆରମ୍ଭ କରିଛି, ତାହାକୁ ମଧ୍ୟ ବିଜେପି ବରଦାସ୍ତ କରିବ ନାହିଁ। ଶିବସେନାର ମୁଖପତ୍ର ‘ସାମନା’ରେ ବିଜେପି ବିରୋଧରେ ଚାଲିଥିବା ଅପପ୍ରଚାର ବନ୍ଦ ନହେବା ପର୍ଯ୍ୟନ୍ତ ବିଜେପି ଶିବସେନା ସହ କୌଣସି ପ୍ରକାରର ଆଳୋଚନା କରିବ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି ଫଡ୍‌ନାବିସ୍‌।

ସମ୍ବନ୍ଧିତ ଖବର