ବିଜେପି ନେତାଙ୍କ ଘୋଷଣା: ଦୀପିକା ଓ ଭଂସାଲୀଙ୍କ ମୁଣ୍ଡକାଟ କଲେ ମିଳିବ ୧୦ କୋଟି ପୁରସ୍କାର

ହରିଆଣା: ସଞ୍ଜୟଲୀଲା ଭଂସାଲୀଙ୍କ ନିର୍ଦ୍ଦେଶିତ ବିବାଦୀୟ ଚଳଚ୍ଚିତ୍ର ‘ପଦ୍ମାବତୀ’କୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ହରିଆଣାର ବିଜେପି ନେତା ସୂରଜ ପଲ୍‌ ଅମ୍ମୁ। ଏପରିକି ସେ ଏକ ବିବାଦୀୟ ଘୋଷଣା ମଧ୍ୟ କରିଛନ୍ତି। ସେ କହିଛନ୍ତି ଯିଏ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଭଂସାଲୀ ଏବଂ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଦୀପିକାଙ୍କ ମୁଣ୍ଡକାଟ କରିବ ତାହାକୁ ମୁଁ ପୁରସ୍କାର ହିସାବରେ ୧୦ କୋଟି ଟଙ୍କା ପ୍ରଦାନ କରିବି।

ଏଥିସହ, ଦୀପିକା ଏବଂ ଭଂସାଲୀଙ୍କ ମୁଣ୍ଡକାଟ କଲେ ୫ କୋଟି ପୁରସ୍କାର ଘୋଷଣା କରିଥିବା ମିରଟର ଜଣେ ଯୁବକଙ୍କୁ ସୂରଜ ପଲ୍‌ ଅମ୍ମୁ ଅଭିନନ୍ଦନ ଜଣାଇଛନ୍ତି। ବିଜେପି ନେତା ଆହୁରି ବି କହିଛନ୍ତି ଯେ ଖାଲି ୧୦ କୋଟି ନୁହେଁ, ବରଂ ତାଙ୍କ ପରିବାରର ସମସ୍ତ ମୌଳିକ ଆବଶ୍ୟକତାକୁ ମଧ୍ୟ ସେ ପୂରା କରିବାର ପ୍ରତିଶୃତି ଦେଉଛି।

ଏପରିକି ଚଳଚ୍ଚିତ୍ରରେ ୨ ମୁଖ୍ୟ ପୁରୁଷ ଭୂମିକାରେ ନଜର ଆସିଥିବା ସାହିଦ ଓ ରଣବୀରଙ୍କ ଗୋଡ଼ ଭାଙ୍ଗି ଦେବା ପାଇଁ ମଧ୍ୟ ସେ ଧମକ ଦେଇଛନ୍ତି।

ସେ କହିଛନ୍ତି ଆବଶ୍ୟକ ପଡ଼ିଲେ ମୁଁ ବିଜେପି ଛାଡ଼ିବାକୁ ପ୍ରସ୍ତୁତ। ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ବଳ ପ୍ରୟୋଗ କରି ଚଳଚ୍ଚିତ୍ରଟିକୁ ପ୍ରେକ୍ଷାଳୟକୁ ଆସିବାକୁ ଦିଅନ୍ତୁ ନାହିଁ।

ଉଲ୍ଲେଖଯୋଗ୍ୟ, ଡିସେମ୍ବର ୧ ତାରିଖରେ ଚଳଚ୍ଚିତତ୍ରଟି ମୁକ୍ତିଲାଭ କରିଥାନ୍ତା। ମାତ୍ର ଏହି ତାରିଖରେ ଆଉ ମୁକ୍ତିଲାଭ କରିବ ନାହିଁ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ରବିବାର କୁହାଯାଇଛି।

ସମ୍ବନ୍ଧିତ ଖବର