ମୁମ୍ବାଇ: ବଲିଉଡର ଅନ୍ୟତମ ସଫଳ ଅଭିନେତ୍ରୀ ଦୀପିକା ପାଦୁକୋନ (୩୨) ୨୦୦୬ରୁ ଆଜି ପର୍ଯ୍ୟନ୍ତ ଅଗଣିତ ଦର୍ଶକଙ୍କ ହୃଦୟରେ ରାଜ୍ କରି ଆସିଛନ୍ତି। ତାଙ୍କର ଅଭିନୟ ନିପୁଣତା, ସୌନ୍ଦର୍ଯ୍ୟ ଏବଂ ଜୀବନ ଶୈଳୀ ସର୍ବଦା ଚର୍ଚ୍ଚାରେ ରହି ଆସିଥିବା ବେଳେ ଦୀପିକା ତାଙ୍କର ମନର କଥା ଗଣମାଧ୍ୟମରେ ପ୍ରକାଶ କରି ପ୍ରଶଂସକ ମହଲରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ସମାଲୋଚନାକୁ ଦୀପିକା କେବେ ଖାତିର୍ କରନ୍ତି ନାହିଁ। ଦୀପିକା ତାଙ୍କର ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ନିକଟରେ ଦେଇଥିବା କେତେକ ରୋଚକ ବୟାନ:
Sambad is now on WhatsApp
Join and get latest news updates delivered to you via WhatsApp
ରଣବୀର କପୁରଙ୍କ ପ୍ରତାରଣା
ଏକଦା ରଣବୀର କପୁରଙ୍କ ସହ ପ୍ରେମ ସଂପର୍କ ନେଇ ଚର୍ଚ୍ଚାରେ ରହିଥିବା ଦୀପିକା ଆଗାମୀ ନଭେମ୍ବରରେ ବଲିଉଡ ଷ୍ଟାର୍ ରଣବୀର ସିଂହଙ୍କୁ ବିବାହ କରିବେ ବୋଲି କୁହାଯାଉଛି। ତେବେ ରଣବୀର କପୁରଙ୍କ ସଂପର୍କରେ ଏକ ଚାଞ୍ଚଲ୍ୟକର ବୟାନରେ ଦୀପିକା କହିଛନ୍ତି ଯେ ସେ ତାଙ୍କ ସହିତ ପ୍ରତାରଣାପୂର୍ଣ୍ଣ ବ୍ୟବହାର କରିଛନ୍ତି। ଅନ୍ୟ କାହା ସହିତ ରଣବୀର କପୁରଙ୍କୁ ଘନିଷ୍ଠ ଅବସ୍ଥାରେ ଦୀପିକା ଠାବ କରିବା ପରେ ତାଙ୍କ ମତ ବଦଳି ଯାଇଥିଲା ଏବଂ ସେ ତାଙ୍କ ସହ ସଂପର୍କ ବଢ଼ାଇ ନଥିଲେ ବୋଲି କହିଛନ୍ତି।
ସଫଳତା ସତ୍ତ୍ୱେ ବିଷାଦଗ୍ରସ୍ତ ଥିଲେ
ଦୀପିକା କହିଛନ୍ତି ଯେ ତାଙ୍କର ଅଭିନୟ ଜୀବନର ଆରମ୍ଭ ପରେ ସେ ଅଚାନକ ବିଷାଦଗ୍ରସ୍ତ ହୋଇପଡ଼ିଥିଲେ। କିନ୍ତୁ ଏଥିରୁ ମୁକୁଳିବାକୁ ମଧ୍ୟ ସେ ବାଟ ଖୋଜି ନେଇଥିଲେ। ତେବେ ବଲିଉଡ୍ରେ ସଫଳ ହେବା ସତ୍ତ୍ୱେ ମଧ୍ୟ ତାଙ୍କୁ ଅନେକ ସମୟରେ ଅବସାଦର ମୁକାବିଲା କରିବାକୁ ପଡ଼ୁଥିଲା। ତାଙ୍କର ବକ୍ଷ ସୌନ୍ଦର୍ଯ୍ୟରେ ବୃଦ୍ଧି ଘଟାଇବାକୁ ତାଙ୍କୁ ଅନେକ ପରାମର୍ଶ ମିଳିଥିଲା, ତେବେ ସେ ଏହାକୁ ଗ୍ରହଣ ନକରି ଯାହା ଉଚିତ ତାହା କରୁଥିଲେ ବୋଲି କହିଛନ୍ତି।
ଶ୍ରୀଦେବୀଙ୍କ ମୃତ୍ୟୁ ଉଦାସ କରିଥିଲା
ଖ୍ୟାତନାମା ଅଭିନେତ୍ରୀ ଶ୍ରୀଦେବୀଙ୍କ ଅଚାନକ ମୃତ୍ୟୁରେ ମୁଁ ବହୁତ ଉଦାସ ଓ ବିଚଳିତ ହୋଇପଡ଼ିଥିଲି ବୋଲି କହିଛନ୍ତି ଦୀପିକା । ଶ୍ରୀଦେବୀ ଦୁବାଇ ଗସ୍ତ କରିବାର କିଛିଦିନ ପୂର୍ବରୁ ସେ ତାଙ୍କ ସହ କଥାବାର୍ତ୍ତା ହୋଇଥିଲେ। ଅଚାନକ ତାଙ୍କର ମୃତ୍ୟୁ ବଲିଉଡରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କଲା ବୋଲି ଦୀପିକା କହିଛନ୍ତି।
ହିଟ୍ ଫିଲ୍ମ କ୍ୟାରିଅର୍କୁ ସୁରକ୍ଷା ଦେଇଥିଲା
ଦୀପିକା କହିଛନ୍ତି ଯେତେବେଳେ ବଲିଉଡରେ ସେ ନିଜ ସ୍ଥିତି ସୁଦୃଢ଼ କରିବାକୁ ଚାହୁଥିଲେ ସେତେବେଳେ ରଣବୀର କପୁର ଅଭିନୀତ ‘ୟେ ଯଓ୍ଵାନୀ ହେ ଦିଓ୍ଵାନୀ’ ତାଙ୍କ କ୍ୟାରିଅର୍ ପାଇଁ ବହୁତ ଉପଯୋଗୀ ହୋଇଥିଲା। ରଣବୀର ଓ ତାଙ୍କ ସଂପର୍କକୁ ନେଇ ପରବର୍ତ୍ତୀ ସମୟରେ ଝଡ଼ ସୃଷ୍ଟି ହୋଇଥିଲେ ମଧ୍ୟ ଏହା ତାଙ୍କ କ୍ୟାରିଅର୍ ଉପରେ କୌଣସି ଖରାପ ପ୍ରଭାବ ପକାଇ ନଥିଲା ବୋଲି କହିଛନ୍ତି।
‘ପଦ୍ମାବତ’ ପାଇଁ ମିଳିଥିଲା ସର୍ବାଧିକ ପ୍ରଶଂସା
ଦୀପିକା କହିଛନ୍ତି ଯେ ତାଙ୍କର ହିଟ୍ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରୁ ସେ ସର୍ବାଧିକ ପ୍ରଶଂସା ଓ ସମର୍ଥନ ପାଇଥିଲେ ‘ପଦ୍ମାବତ୍’ ଚଳଚ୍ଚିତ୍ରରେ। ବଡ଼ ଧରଣର ବିବାଦ ଘେରରେ ଏହି ଫିଲ୍ମ ରହିବା ସତ୍ତ୍ୱେ ବିପୁଳ ଜନସମର୍ଥନ ଯୋଗୁଁ ଏହା ମୁକ୍ତିଲାଭ କରିବାକୁ ସକ୍ଷମ ହୋଇଥିଲା ବୋଲି ସେ କହିଛନ୍ତି।
ଜୀବନର ଜଟିଳତାରେ ଭାଙ୍ଗିପଡ଼ିନାହିଁ
ଦୀପିକା କହିଛନ୍ତି ଯେ ତାଙ୍କ ବ୍ୟକ୍ତିଗତ ଜୀବନରେ କିଛି ସଂପର୍କ ଭାଙ୍ଗିବା ନେଇ ସେ ମର୍ମାହତ ହୋଇଛନ୍ତି, କିନ୍ତୁ ଜୀବନର ଜଟିଳତାରେ କେବେ ଭାଙ୍ଗି ପଡ଼ିନାହାନ୍ତି। ପରିବାର ଏବଂ ବନ୍ଧୁମାନଙ୍କଠାରୁ ମିଳିଥିବା ସମର୍ଥନ ମତେ ଅନେକ ଜଟିଳତାରୁ ମୁକ୍ତି ଦେଇଛି ବୋଲି ସେ କହିଛନ୍ତି। ଜୀବନର ସବୁ କ୍ଷେତ୍ରରେ ସେ ତାଙ୍କ ପିତା ପ୍ରକାଶ ପାଦୁକୋନଙ୍କଠାରୁ ସମର୍ଥନ ପାଇଆସିଥିବା କହିଛନ୍ତି।
ସୋସିଆଲ ମିଡିଆ ଫ୍ୟାନ୍ଙ୍କ ସହ ଯୋଡ଼ି ହେବାକୁ ସୁଯୋଗ ଦେଇଛି
ଦୀପିକା କହିଛନ୍ତି ଯେ ସୋସିଆଲ ମିଡିଆ ତାଙ୍କୁ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ସହ ସିଧାସଳଖ ଯୋଡ଼ି ହେବାର ସୁଯୋଗ ଦେଇଛି। ନିଜକୁ ପ୍ରକାଶ କରିବା ପାଇଁ ଏହା ସର୍ବଶ୍ରେଷ୍ଠ ମାଧ୍ୟମ ବୋଲି ସେ କହିଛନ୍ତି। ନିଜର ମନକଥା କହିବା ଏବଂ ଫ୍ୟାନ୍ଙ୍କ ନିକଟରେ ପହଞ୍ଚିବା ନିମନ୍ତେ ଏହା ଅପରିହାର୍ଯ୍ୟ ବୋଲି ସେ କହିଛନ୍ତି।
ମୁଁ ଗର୍ଭବତୀ ନୁହେଁ କି ନିକଟରେ ବିବାହ କରିବାର ନାହିଁ
ରଣବୀର ସିଂହଙ୍କ ସହ ଦୀର୍ଘ ଦିନର ପ୍ରେମ ସଂପର୍କକୁ ନେଇ ଚର୍ଚ୍ଚାରେ ଥିବା ଦୀପିକା କହିଛନ୍ତି ଯେ ଏବେ ତାଙ୍କର ବିବାହ ସଂପର୍କରେ ସ୍ପଷ୍ଟ କହିବାର ସମୟ ଆସିଯାଇଛି। ସେ କହିଛନ୍ତି ମୁଁ ଗର୍ଭବତୀ ନୁହେଁ କି ବିବାହ ପାଇଁ ଚୁକ୍ତିବଦ୍ଧ ହୋଇନାହିଁ। ନିକଟରେ ବିବାହ କରିବାର ମଧ୍ୟ ଯୋଜନା ନାହିଁ।
ହଲିଉଡ-ବଲିଉଡ୍ରେ ଫରକ୍ ନାହିଁ
‘ଟ୍ରିପଲ୍ ଏକ୍ସ: ରିଟର୍ଣ୍ଣ ଅଫ୍୍ ଜାଣ୍ଡେର କେଜ୍’ରେ ଅଭିନୟ କରି ବିଶ୍ୱବ୍ୟାପୀ ଚର୍ଚ୍ଚା ସୃଷ୍ଟି କରିଥିବା ଦୀପିକା କହିଛନ୍ତି ହଲିଉଡ ଏବଂ ବଲିଉଡ ମଧ୍ୟରେ ସେ ବିଶେଷ ଫରକ୍ ଦେଖୁନାହାନ୍ତି। ସେ କେବଳ ଭଲ ଅଭିନୟ କରିବାକୁ ଚାହୁଛନ୍ତି। ହଲିଉଡ୍ରେ ମଧ୍ୟ ତାଙ୍କୁ ଅନେକ ସମର୍ଥନ ମିଳିଛି ଏବଂ ଆଗକୁ ଏହା ଜାରି ରହିବ ବୋଲି ସେ ଆଶା ରଖିଥିବା କହିଛନ୍ତି।