ନୂଆଦିଲ୍ଲୀ : ସାମ୍ବାଦିକ ତରୁଣ ତେଜପାଲ, ଅନିରୁଦ୍ଧ ବହଲ, ମାଥ୍ୟୁ ସାମୁଏଲ ଏବଂ ଏମ୍/ଏସ ତେହଲକା ଡଟ୍ କମ୍ ଅବସରପ୍ରାପ୍ତ ଭାରତୀୟ ସେନା ଅଫିସର ମେଜର ଜେନେରାଲ୍ ଏମଏସ୍ ଆହ୍ଲୁୱାଲିଆଙ୍କୁ ୨ କୋଟି ଟଙ୍କାର କ୍ଷତିଭରଣା ଦେବେ। ଏକ ମାନହାନି ମାମଲାରେ ଦୀର୍ଘ ୨୨ ବର୍ଷ ପରେ ଦିଲ୍ଲୀ ହାଇକୋର୍ଟ ତରୁଣ ତେଜପାଲ ଏବଂ ଅନ୍ୟମାନଙ୍କୁ ଏହି ମାମଲାରେ ୨ କୋଟି ଟଙ୍କାର କ୍ଷତିଭରଣା ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୦୧ରେ ତେହଲକା ଦ୍ବାରା ଏକ ଷ୍ଟିଙ୍ଗ ଅପରେସନ୍ ହୋଇଥିଲା।
ଆହ୍ଲୁୱାଲିଆ ପ୍ରତିରକ୍ଷା ଚୁକ୍ତିରେ ଦୁର୍ନୀତିରେ ସାମିଲ ଅଛନ୍ତି ବୋଲି ଅଭିଯୋଗ ହୋଇଥିଲା। ଏନେଇ ଅବସରପ୍ରାପ୍ତ ସେନା ଅଫିସର ଆହ୍ଲୁୱାଲିଆ ଏକ ମାନହାନି ମାମଲା ରୁଜୁ କରିଥିଲେ। ଭୁଲ୍ ତଥ୍ୟ ଦେଇ ସର୍ବସାଧାରଣରେ ତାଙ୍କ ସମ୍ମାନହାନି କରାଯାଇଛି ବୋଲି ସେ କହିଥିଲେ। ଜଷ୍ଟିସ ନିନା ବନ୍ସଲ କ୍ରିଷ୍ଣାଙ୍କ ଖଣ୍ଡପୀଠ ମଧ୍ୟ ଏହି ମାମଲାର ଶୁଣାଣି ସମୟରେ କହିଛନ୍ତି, ଆବେଦନକାରୀ ୨୩ ବର୍ଷ ଧରି ଉକ୍ତ ନିନ୍ଦା ସହ ବଞ୍ଚିଛନ୍ତି। ଏଭଳି ସ୍ଥିତିରେ କ୍ଷମା ମାଗିବାର କିଛି ଅର୍ଥ ନାହିଁ ବୋଲି ଦର୍ଶାଇ କୋର୍ଟ ଏହି ମାମଲାରେ ଅବସରପ୍ରାପ୍ତ ସେନା ଅଫିସରଙ୍କୁ ୨ କୋଟି ଟଙ୍କାର କ୍ଷତିଭରଣା ଦେବାପାଇଁ ତେଜପାଲ ଓ ତେହଲକାକୁ ନିର୍ଦ୍ଦେଶ ଦେଇଛନ୍ତି।